Three Young Children Drown In Pond: କଇଁ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୩ ଶିଶୁ; ଗାଁରେ ଶୋକର ଛାୟା
ଗାଁ ଦାଣ୍ଡରେ ଦୁଃଖର ଗହଳି।
କାନ୍ଦ ବୋବାଳିରେ ଫାଟିପଡୁଛନ୍ତି ପରିବାର ଲୋକେ।
କେଇଟା ମିନିଟ୍ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଛି।
ଯେଉଁ ପିଲାମାନେ କିଛି ସମୟ ପୂର୍ବରୁ ଏକାଠି ଖେଳୁଥିଲେ, ସେମାନେ ଆଉ ଫେରିଲେନି।
ପୋଖରୀରେ ବୁଡ଼ି ଏକାସାଙ୍ଗେ ଚାଲିଯାଇଛି ତିନି ତିନିଟି କୁନି ଜୀବନ।
Advertisment ଘଟଣା ଘଟିଛି କଟକ ଜିଲ୍ଲା ଭଦରେଶ୍ୱର ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ।
ମୃତ ଶିଶୁମାନେ ହେଲେ ସଲମାନ ଖାଁନ, ଜିସାନ ଖାନ ଓ ଅରହମ ଖାଁନ।
ସେମାନେ ଖେଳୁଥିବା ସମୟରେ ପୋଖରୀ ପାଖକୁ ଯାଇଥିଲେ।
କଇଁ ଫୁଲ ତୋଳିବା ବେଳେ ଅଘଟଣ ଘଟିଥିବା ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି।
ମୃତ ସଲମାନ ଓ ଜିସାନ ଦୁଇ ଭାଇ ଥିବା ଜଣାପଡ଼ିଛି।
ସଲମାନ ଏଲ୍କେଜିରେ ପଢ଼ୁଥିବା ବେଳେ ଜିସାନ ୟୁକେଜିର ଛାତ୍ର ଥିଲେ।
ଅରହମ ଖାଁନ ନର୍ସରିରେ ପାଠ ପଢ଼ୁଥିଲେ।
ଦୁନିଆକୁ ଭଲଭାବେ ଚିହ୍ନିବା ପୂର୍ବରୁ ତିନି ପିଲାଙ୍କ ଏଭଳି ଅକାଳ ମୃତ୍ୟୁ ସମଗ୍ର ଗାଁକୁ ସ୍ତବ୍ଧ କରିଦେଇଛି।
Advertisment ସୂଚନା ଅନୁସାରେ, ସବୁଦିନ ପରି ପିଲାମାନେ ଘର ପାଖରେ ଖେଳୁଥିଲେ।
ଦୀର୍ଘ ସମୟ ଯାଏ ଘରକୁ ନଫେରିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଥିଲା।
ଏହାପରେ ଗ୍ରାମବାସୀ ଓ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି ଆରମ୍ଭ କରିଥିଲେ।
ଖୋଜାଖୋଜି ବେଳେ ପୋଖରୀ ପାଣିରେ ଜଣେ ଶିଶୁ ଭାସୁଥିବା ଦେଖିଥିଲେ ଗ୍ରାମବାସୀ।
ତୁରନ୍ତ ପୋଖରୀ ଭିତରକୁ ପଶି ଖୋଜିବା ପରେ ଗୋଟିଏ ପରେ ଗୋଟିଏ କରି ସମସ୍ତ ତିନି ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା।
ହେଲେ ସେତେବେଳକୁ ସବୁକିଛି ସରିଯାଇଥିଲା।
ତିନି କୁନି ଜୀବନକୁ ଆଉ ବଞ୍ଚାଇହେବା ସମ୍ଭବ ହୋଇନଥିଲା।
ଏହି ଖବର ପ୍ରଚାର ହେବା ପରେ ଗୋପାଳପୁର ଗାଁରେ ଶୋକର ଛାୟା ଖେଳିଯାଇଛି।
ଦୁଇ ପୁଅଙ୍କୁ ଏକାଥରେ ହରାଇଥିବା ପରିବାରର ଅବସ୍ଥା କହିବାକୁ ଶବ୍ଦ ନାହିଁ।
ମୃତକଙ୍କ ଜେଜେ ସେକ ସବୁର ଓ ସମ୍ପର୍କୀୟ ମିରାଜ ଖାଁନ ଘଟଣାକୁ ନେଇ ଭାଙ୍ଗିପଡ଼ିଛନ୍ତି।
ଅନ୍ୟପଟେ ଭଦରେଶ୍ୱର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପିଲାମାନେ କିପରି ପୋଖରୀରେ ପଡ଼ିଲେ, ଜଣେ ଅନ୍ୟଜଣଙ୍କୁ ବଞ୍ଚାଇବାକୁ ଯାଇ ଅଘଟଣ ଘଟିଲା କି ନାହିଁ, ଏସବୁ ଦିଗରେ ଖୋଳତାଡ଼ କରାଯାଉଛି।
ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଏକାସାଙ୍ଗେ ଚାଲିଯାଇଛନ୍ତି ସଲମାନ, ଜିସାନ ଓ ଅରହମ।
ଖେଳାଘର ଏବେ ନିରବ, ଗାଁ ଦାଣ୍ଡରେ ନାହିଁ ସେମାନଙ୍କ ହସ।
ତିନି କୁନି ଜୀବନର ଅକାଳ ବିୟୋଗରେ କେବଳ ତିନିଟି ପରିବାର ନୁହେଁ, ପୂରା ଗୋପାଳପୁର ଅଞ୍ଚଳ ଏବେ ଶୋକରେ ବୁଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।