Thyroid Care And Yoga: ଥାଇରଏଡ୍ ଥିଲେ କରନ୍ତୁ ଏହି ଯୋଗାସନ; ବ୍ରିଜ୍ ପୋଜ୍ରୁ ଉଜ୍ଜାୟୀ ପ୍ରାଣାୟାମ, ଜାଣନ୍ତୁ ଯୋଗ ରୁଟିନ୍
ଆଜିକାଲି ଷ୍ଟ୍ରେସ୍, ଅନିୟମିତ ଜୀବନଶୈଳୀ ଏବଂ ହରମୋନ୍ର ପରିବର୍ତ୍ତନ କାରଣରୁ ଥାଇରଏଡ୍ ସମ୍ପର୍କିତ ସମସ୍ୟା ଅନେକଙ୍କ ମଧ୍ୟରେ ଦେଖାଯାଉଛି। ଥାଇରଏଡ୍ ଗ୍ରନ୍ଥି ଶରୀରର ମେଟାବୋଲିଜମ୍, ଶକ୍ତି ଏବଂ ହରମୋନ୍ ସନ୍ତୁଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଡାକ୍ତରଙ୍କ ପରାମର୍ଶ ଓ ନିର୍ଦ୍ଦିଷ୍ଟ ଔଷଧ ସହ ଯୋଗ ଏବଂ ପ୍ରାଣାୟାମକୁ ଦୈନନ୍ଦିନ ଜୀବନରେ ସାମିଲ କରାଯାଇପାରେ। ନିୟମିତ ଯୋଗାଭ୍ୟାସ ଶରୀରକୁ ଆରାମ ଦେବା ଏବଂ ଷ୍ଟ୍ରେସ୍ କମାଇବାରେ ସହାୟକ ହୋଇଥାଏ।
ବ୍ରିଜ୍ ପୋଜ୍ରୁ କରନ୍ତୁ ଆରମ୍ଭ
ପ୍ରଥମେ ମ୍ୟାଟ୍ ଉପରେ ପିଠି ପଟେ ଶୋଇପଡ଼ନ୍ତୁ। ଦୁଇ ଆଣ୍ଠୁକୁ ମୋଡ଼ି ପାଦକୁ ତଲେ ରଖନ୍ତୁ। ପରେ ଧୀରେ ଧୀରେ ଅଣ୍ଟା ଓ ଛାତିକୁ ଉପରକୁ ଉଠାନ୍ତୁ। ଏହି ଅବସ୍ଥାରେ ଗଳା ଓ ବେକ ପାଖରେ ହାଲୁକା ଷ୍ଟ୍ରେଚ୍ ଅନୁଭବ ହୋଇପାରେ। ୧୦ରୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଏହି ଆସନରେ ରହିପାରିବେ।
ହଳାସନ
ବ୍ରିଜ୍ ପୋଜ୍ ପରେ ଧୀରେ ଧୀରେ ପାଦକୁ ମୁଣ୍ଡ ପଛକୁ ନେଇଯାଆନ୍ତୁ। ସମ୍ଭବ ହେଲେ ପାଦର ଆଙ୍ଗୁଠିକୁ ମାଟିରେ ଛୁଆଇବାକୁ ଚେଷ୍ଟା କରନ୍ତୁ। ନିଜ କ୍ଷମତା ଅନୁସାରେ ୨୦ରୁ ୩୦ ସେକେଣ୍ଡ ଯାଏଁ ଏହି ଆସନ ରଖନ୍ତୁ। ତେବେ ଜୋର କରି ଏହି ଆସନ କରିବା ଉଚିତ୍ ନୁହେଁ।
ଉଷ୍ଟ୍ରାସନ
ଆଣ୍ଠୁ ଉପରେ ବସି ଦୁଇ ଆଣ୍ଠୁ ମଧ୍ୟରେ କିଛି ଦୂରତା ରଖନ୍ତୁ। ପରେ ହାତକୁ ପଛକୁ ନେଇ ଗୋଇଠି ଧରିବାକୁ ଚେଷ୍ଟା କରନ୍ତୁ। ଛାତିକୁ ଉପରକୁ ଉଠାଇ ଶରୀରକୁ ହାଲୁକା ପଛକୁ ନିଅନ୍ତୁ। ସ୍ୱାଭାବିକ ଭାବେ ଶ୍ୱାସ ନେଇ ୨୦ରୁ ୩୦ ସେକେଣ୍ଡ ଏହି ମୁଦ୍ରାରେ ରହିପାରିବେ।
ମତ୍ସ୍ୟାସନ
ପିଠି ପଟିଆ ଶୋଇ ଶରୀରକୁ ରିଲାକ୍ସ କରନ୍ତୁ। ଏହାପରେ ଛାତିକୁ ଉପରକୁ ଉଠାଇ ମୁଣ୍ଡର ଉପର ଅଂଶକୁ ହାଲୁକା ଭାବେ ମ୍ୟାଟ୍ରେ ରଖିବାକୁ ଚେଷ୍ଟା କରନ୍ତୁ। ଏହି ସମୟରେ ଶ୍ୱାସ ଉପରେ ଧ୍ୟାନ ରଖନ୍ତୁ। ପ୍ରାୟ ୨୦ରୁ ୩୦ ସେକେଣ୍ଡ ଏହି ଆସନ କରାଯାଇପାରେ।
ଶେଷରେ ଉଜ୍ଜାୟୀ ପ୍ରାଣାୟାମ
ଯୋଗାସନ ସରିବା ପରେ କିଛି ସମୟ ବିଶ୍ରାମ ନିଅନ୍ତୁ। ପରେ ଉଜ୍ଜାୟୀ ପ୍ରାଣାୟାମ କରିପାରିବେ। ଏଥିରେ ମୁହଁ ବନ୍ଦ ରଖି ଗଳାକୁ ଚାପି ଧୀରେ ଧୀରେ ଶ୍ୱାସକୁ ଟାଣିବାକୁ ହୋଇଥାଏ। ଏହି ସମୟରେ ଏକ ଗଳାରୁ ଏକ ଶବ୍ଦ ଆସିବ। ଏହା ଶ୍ୱାସକୁ ନିୟନ୍ତ୍ରଣ କରିବା ଏବଂ ଷ୍ଟ୍ରେସ୍ କମାଇବାରେ ସହାୟକ ହୋଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।