UPI Merchant Fee Won’t Impact Payment Volumes: ୟୁପିଆଇ ଚାର୍ଜକୁ ନେଇ ବଡ଼ ଖବର, ଜାଣନ୍ତୁ କ’ଣ କହିଲେ ଆରବିଆଇ ଗଭର୍ଣ୍ଣର

Oct 07, 2026 - 18:40
UPI Merchant Fee Won’t Impact Payment Volumes: ୟୁପିଆଇ ଚାର୍ଜକୁ ନେଇ ବଡ଼ ଖବର, ଜାଣନ୍ତୁ କ’ଣ କହିଲେ ଆରବିଆଇ ଗଭର୍ଣ୍ଣର

ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଆଗକୁ କିଛି ବଡ଼ ମୂଲ୍ୟର ୟୁପିଆଇ ପେମେଣ୍ଟରେ ମର୍ଚ୍ଚାଣ୍ଟ ଚାର୍ଜ ଲାଗିବ। ତେବେ ଏହି ଚାର୍ଜ ଯୋଗୁଁ ଡିଜିଟାଲ ପେମେଣ୍ଟ କମିବ ନାହିଁ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା।

ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଛୋଟ ଧରଣର ଚାର୍ଜ ୟୁପିଆଇ କାରବାର ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ କିଛି ୟୁପିଆଇ ମର୍ଚ୍ଚାଣ୍ଟ ପେମେଣ୍ଟରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା ଏମ୍‌ଡିଆର୍ ଲାଗୁ ହେବ।

ତେବେ ଏହି ଚାର୍ଜ ସିଧାସଳଖ ଗ୍ରାହକଙ୍କଠାରୁ ନିଆଯିବ ନାହିଁ। ଯୋଗ୍ୟ ମର୍ଚ୍ଚାଣ୍ଟମାନେ ଏହି ଚାର୍ଜ ବହନ କରିବେ। ୨ ହଜାର ଟଙ୍କାରୁ କମ୍ ଦୈନନ୍ଦିନ ୟୁପିଆଇ ପେମେଣ୍ଟ ଓ ଜଣେ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିଙ୍କୁ ହେଉଥିବା ଟ୍ରାନ୍ସଫର୍ ପୂର୍ବଭଳି ମାଗଣା ରହିବ।

ତେବେ ଗତ ମାସରେ ୟୁପିଆଇ କାରବାରରେ ସାମାନ୍ୟ ହ୍ରାସ ଦେଖାଯାଇଥିଲା। ଅଗଷ୍ଟରେ ୨୪.୫୧ ବିଲିୟନ୍ ଟ୍ରାନ୍ସାକ୍ସନ୍ ହୋଇଥିବା ବେଳେ ସେପ୍ଟେମ୍ବରରେ ଏହା ୨୪.୦୭ ବିଲିୟନ୍‌କୁ ଖସିଥିଲା। ସେହିପରି ସେପ୍ଟେମ୍ବରରେ ୟୁପିଆଇ ମାଧ୍ୟମରେ ମୋଟ ୨୯.୩୭ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା।

ଏମ୍‌ଡିଆର୍‌ର ୦.୪ ପ୍ରତିଶତ ଚାର୍ଜ ୟୁପିଆଇ ପେମେଣ୍ଟ ବ୍ୟବସ୍ଥାର ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ବଣ୍ଟାଯିବ। ଏଥିରୁ ୪୦ ପ୍ରତିଶତ ଗ୍ରାହକଙ୍କ ବ୍ୟାଙ୍କକୁ, ୩୦ ପ୍ରତିଶତ ମର୍ଚ୍ଚାଣ୍ଟଙ୍କ ବ୍ୟାଙ୍କ କିମ୍ବା ପେମେଣ୍ଟ ଗେଟୱେକୁ, ୨୦ ପ୍ରତିଶତ ୟୁପିଆଇ ଆପ୍‌କୁ ଏବଂ ୧୦ ପ୍ରତିଶତ ପେୟର୍ ପିଏସ୍‌ପି ବ୍ୟାଙ୍କକୁ ଯିବ। ସରକାର ଏଥିରୁ କୌଣସି ଶେୟାର ପାଇବେ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।