Village: ୩୦ ବର୍ଷ ପରେ ଗାଁକୁ ଫେରୁଛନ୍ତି ୩୦ ଅନୁସୂଚିତ ଜାତି ପରିବାର
ନୟାଗଡ଼: ପ୍ରାୟ ୩୦ ବର୍ଷ ପରେ ଗାଁରୁ ବାସନ୍ଦ ହୋଇଥିଲେ। ପୈତୃକ ଭିଟାମାଟି ଧଳାବନ୍ଧ ଗ୍ରାମକୁ ୧୧ତାରିଖ ରବିବାର ଦିନରେ ଫେରିବାକୁ ଯାଉଥିବା ୩୦ଟି ଅନୁସୂଚିତ ଜାତି ପରିବାରଙ୍କ ସୁରକ୍ଷା, ରହଣି ଓ ଖାଦ୍ୟ ବ୍ୟବସ୍ଥାକୁ ନେଇ ଆମ୍ବେଦକର ସେବକ ସଂଘ ରାଜ୍ୟ ଅଧ୍ୟକ୍ଷ ମନୋରଞ୍ଜନ ଜେନା ଓ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ବହୁବର୍ଷ ଧରି ନିଜ ଗ୍ରାମରୁ ବିଚ୍ଛିନ୍ନ ହୋଇ ରହିଥିବା ଏହି ପରିବାରଗୁଡ଼ିକ ଏବେ ନିଜ ଭିଟାମାଟିକୁ ଫେରିବା ପ୍ରକ୍ରିୟାରେ ଅଛନ୍ତି। ଗ୍ରାମକୁ ଫେରିବା ପରେ ସେମାନଙ୍କର ସୁରକ୍ଷିତ ରହଣି, ଖାଦ୍ୟ, ପାନୀୟଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନିଶ୍ଚିତ କରିବା ପ୍ରଶାସନର ଦାୟିତ୍ୱ। ପରିବାରଗୁଡ଼ିକର ସ୍ଥାୟୀ ଥଇଥାନ ଓ ରୋଜଗାର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ପ୍ରଶାସନ ତୁରନ୍ତ ଏକ ଅସ୍ଥାୟୀ ଥଇଥାନ କେନ୍ଦ୍ର କରିବା ସହିତ ପଲିଥିନ୍, ଟେଣ୍ଟ୍ କିମ୍ବା ଅନ୍ୟ ଉପଯୁକ୍ତ ଆଶ୍ରୟ ଯୋଗାଇ ଦିଅନ୍ତୁ।
World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଅସ୍ଥାୟୀ ଥଇଥାନ କେନ୍ଦ୍ର, ଖାଦ୍ୟ ଓ ମୌଳିକ ସୁବିଧା ଯୋଗାଇବାକୁ ଦାବି
ଏହା ସହିତ ପରିବାରଗୁଡ଼ିକ ନିଜେ ରୋଜଗାର କରି ସ୍ୱାବଲମ୍ବୀ ହେବା ପର୍ଯ୍ୟନ୍ତ ଖାଦ୍ୟ, ରାସନ ଓ ନିରାପଦ ପାନୀୟଜଳ ଯୋଗାଇବାକୁ ଦାବି କରାଯାଇଛି। ପରିବାରଗୁଡ଼ିକର ସ୍ଥାୟୀ ଥଇଥାନ ଓ ଜୀବିକା ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ୬ ମାସ ପର୍ଯ୍ୟନ୍ତ ଖାଦ୍ୟ, ଆଶ୍ରୟ ଓ ଆବଶ୍ୟକ ମାନବିକ ସହାୟତା ଯୋଗାଇବାକୁ ସଂଘ ଦାବି କରିଛି। ସେହିପରି ଯୋଗ୍ୟ ପରିବାରକୁ ରାସନ କାର୍ଡ, ଖାଦ୍ୟ ସୁରକ୍ଷା, ବିଭିନ୍ନ ଭତ୍ତା, ଆବାସ ଓ ସରକାରୀ କଲ୍ୟାଣ ଯୋଜନାରେ ସାମିଲ କରିବା ସହିତ ମନରେଗା, ଜୀବିକା ମିସନ ଓ ଅନ୍ୟାନ୍ୟ ରୋଜଗାରମୂଳକ ଯୋଜନାରେ ପରିବାରଗୁଡ଼ିକୁ ସାମିଲ କରିବାକୁ ଦାବି ହୋଇଛି। ଗାଁକୁ ଫେରିବା ସମୟରେ ଏହି ପରିବାରଗୁଡ଼ିକୁ ଆବଶ୍ୟକ ପୁଲିସ ସୁରକ୍ଷା ଯୋଗାଇବା ଏବଂ କୌଣସି ଧମକ, ଆକ୍ରମଣ କିମ୍ବା ଅପ୍ରୀତିକର ଘଟଣା ଯେପରି ନଘଟେ ସେଥିପାଇଁ ଆଗୁଆ ୬ ମାସ ପର୍ଯ୍ୟନ୍ତ ପୁଲିସ ସୁରକ୍ଷା ଯୋଗାଇବା ପାଇଁ ପଦକ୍ଷେପ ନେବାକୁ ସଂଘ ଦାବି କରିଛି। ସଂଘ ପକ୍ଷରୁ ଆହୁରି ଦାବି କରାଯାଇଛି ଯେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ତହସିଲ ଓ ପୁଲିସ ପ୍ରଶାସନର ସମନ୍ୱୟରେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇ ପରିବାରଗୁଡ଼ିକର ନିୟମିତ ତଦାରଖ କରାଯାଉ। ପ୍ରକାଶ ଥାଉକି, ଏକ ଘଟଣାରେ ସାକ୍ଷୀ ଦେବାକୁ କେନ୍ଦ୍ର କରି ଉକ୍ତ ପରିବାରଗୁଡ଼ିକ ଜାତିଗତ ଭେଦଭାବ ଓ ସାମାଜିକ ବାସନ୍ଦର ଶିକାର ହୋଇ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।