Hotel: ହୋଟେଲ୍ ମାଲିକ ଓଡ଼ିଶାମୁହାଁ: ଓଡ଼ିଶା ପର୍ଯ୍ୟଟନ ଉପରେ ଆଖି, ରାଜ୍ୟରେ ୭୪ ନୂଆ ହୋଟେଲ୍
ଭୁବନେଶ୍ବର (ପ୍ରଭାତ ପଟ୍ଟନାୟକ): ଓଡ଼ିଶାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ, ସୁଦୃଶ୍ୟ ବେଳାଭୂମି, ବଣଜଙ୍ଗଲ, ଆଦିବାସୀ ଜନଜୀବନ ଓ ଐତିହ୍ୟ କୀର୍ତ୍ତରାଜି ବିଶ୍ବର ଯେକୌଣସି କୋଣରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯଥେଷ୍ଟ। ଏହାର ପ୍ରଭାବରେ ପ୍ରତିବର୍ଷ ଦେଶବିଦେଶରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି। ଏଥିସହିତ ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ଶିଳ୍ପ ଓ ବ୍ୟବସାୟ ହବ୍ ଭାବେ ମଧ୍ୟ ନିଜର ପ୍ରତିଷ୍ଠା ଦୃଢ଼ କରିବାରେ ଲାଗିଛି। ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ରରେ ଭ୍ରମଣ ବଢ଼ିବା ସହ ସେଥିରୁ ସୃଷ୍ଟି ହୋଇଥିବା ସୁଯୋଗ ହାତେଇବା ଲାଗି ହୋଟେଲ୍ ମାଲିକମାନେ ଏବେ ଓଡ଼ିଶା ମୁହାଁ ହେବା ଆରମ୍ଭ କରିଛନ୍ତି। ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ସଂସ୍ଥା ରାଜ୍ୟରେ ସେମାନଙ୍କ ହୋଟେଲ୍ ଖୋଲିବାକୁ ଯାଉଛନ୍ତି। ସପ୍ତତାରକା ହୋଟେଲ୍ଠାରୁ ଆରମ୍ଭ ପଞ୍ଚତାରକା, ତିନିତାରକା, ଇକୋ-ରିସୋର୍ଟସ୍, ୱେଲ୍ନେସ୍ ରିସୋର୍ଟସ୍, ଥିମ୍ ବେସ୍ଡ ରିସୋର୍ଟସ୍, ହୋଟେଲ୍ ଓ ରେସ୍ତୋରାଁ, ୱେ-ସାଇଡ୍ ଆମେନିଟିଜ୍, କନ୍ଭେନ୍ସନ୍ ସେଣ୍ଟର ଆଦି ତିଆରି କରିବା ଯୋଜନା ରଖିଥିବା ଜଣାପଡ଼ିଛି।
Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୭୪ରୁ ଅଧିକ ପ୍ରମୁଖ ହୋଟେଲ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ହୋଟେଲ୍ ଶିଳ୍ପକୁ ଏ ମଧ୍ୟରେ ୧୧,୫୦୯ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହା କାର୍ଯ୍ୟକାରୀ ହେଲେ ୧୪,୦୦୦ କୋଠରି ଏବଂ ରାଜ୍ୟରେ ୧ ଲକ୍ଷ ୨୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ହୋଟେଲ୍ ପ୍ରକଳ୍ପ ପିଛା ୨ କୋଟି ଟଙ୍କାରୁ ଆରମ୍ଭ କରି ୩୬୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିବେ ବୋଲି ସରକାରଙ୍କୁ ଜଣାଇଛନ୍ତି। କେବଳ ସେତିକି ନୁହେଁ, ବହୁ ସଂଖ୍ୟାରେ ଆଞ୍ଚଳିକ ସଂସ୍ଥା ମଧ୍ୟ ହୋଟେଲ୍ ନିର୍ମାଣ କରୁଛନ୍ତି। ସେହିଭଳି ହୋଟେଲ୍ ଶିଳ୍ପରେ ହେଉଥିବା ଏହି ସମ୍ପ୍ରସାରଣ କେବଳ ଭୁବନେଶ୍ବର, କୋଣାର୍କ ଓ ପୁରୀ ମଧ୍ୟରେ ସୀମିତ ରହିନାହିଁ। ଏବେ ଭିତରକନିକା, ଚିଲିକା, ଦେଓମାଳି ଓ ଦାରିଙ୍ଗବାଡ଼ି ଭଳି ଚର୍ଚ୍ଚିତ ସ୍ଥାନ ସହିତ କଟକ, ସମ୍ବଲପୁର, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ନୂଆପଡ଼ା, କନ୍ଧମାଳ, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ବାଲେଶ୍ବର, ରାୟଗଡ଼ା, ନୟାଗଡ଼, ଅନୁଗୋଳ ଓ ସୁବର୍ଣ୍ଣପୁର ଭଳି ଜିଲ୍ଲାରେ ମଧ୍ୟ ନୂଆ ହୋଟେଲ୍ ପ୍ରକଳ୍ପ ଆସିବ।
Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ
ତଥ୍ୟ ଅନୁସାରେ, ଅଧିକାଂଶ ସପ୍ତତାରକା ଓ ପଞ୍ଚତାରକା ହୋଟେଲ୍ ପ୍ରକଳ୍ପ ପୁରୀ ଓ ଭୁବନେଶ୍ବର-ଖୋର୍ଦ୍ଧାରେ ନିର୍ମାଣ ହେବାକୁ ଯାଉଛି। ପୁରୀରେ ମେଫେୟାର ହୋଟେଲ୍ସ ଆଣ୍ଡ୍ ରିସୋର୍ଟସ୍, ୱାର୍ଲଡ୍ ହୋଟେଲ୍ସ, ରାଡିସନ୍ ପିଓର ଓଡ଼ିଶା ଓ ଆଟ୍ମୋସ୍ଫିୟର କୋର୍ ଭଳି ସଂସ୍ଥା ହୋଟେଲ୍ ନିର୍ମାଣ କରୁଛନ୍ତି। ଭୁବନେଶ୍ବର-ଖୋର୍ଦ୍ଧାରେ ଏସ୍ଏନ୍ଏମ୍ ହୋଟେଲ୍ସ ଓ ଶ୍ରୀକ୍ରିଷ୍ଣା ଇଷ୍ଟେଟ୍ସ ହୋଟେଲ୍ ପ୍ରକଳ୍ପ ଘୋଷଣା କରିଛନ୍ତି। କଟକରେ ସ୍ବସ୍ତି ପ୍ରିମିୟମ୍ ଓ ବିଶ୍ବ ଆଣ୍ଡ୍ ଜିତ୍ ମଲ୍ଟି କମ୍ପ୍ଲେକ୍ସ ହୋଟେଲ୍ ନିର୍ମାଣ କରିବେ। ସମ୍ବଲପୁରରେ ଜେଏଏସ୍ଟାୱାର୍ସ ଏଲ୍ଏଲ୍ପି ହୋଟେଲ୍ କରୁଛି। ୱାର୍ଲଡ୍ ହୋଟେଲ୍ସ ଓ କାମତ୍ ହୋଟେଲ୍ସ ଗୋପାଳପୁରରେ ସୁଯୋଗ ଦେଖିଛନ୍ତି। ସେଥିପାଇଁ ସେଠାରେ ନିଜର ପ୍ରକଳ୍ପ ନିର୍ମାଣ କରିବାକୁ ଅଗେଇ ଆସିଛନ୍ତି। କୋରାପୁଟରେ ୱାର୍ଲଡ୍ ହୋଟେଲ୍ସ ଏକ ପଞ୍ଚତାରକା ହୋଟେଲ୍ ନିର୍ମାଣ କରିବ ଏବଂ ୨୫୦ କୋଟି ଟଙ୍କାର ଏକ ରିସୋର୍ଟ ମଧ୍ୟ ସେଠାରେ ସ୍ଥାପନ ହେବ। ଭଦ୍ରକରେ ସ୍ବସ୍ତି ଗ୍ରୁପ୍ ଓ ପ୍ରଭାତ ହସ୍ପିଟାଲିଟି, ଦାରିଙ୍ଗବାଡ଼ିରେ ପ୍ରଭାତ ହସ୍ପିଟାଲିଟି, ବାଲେଶ୍ବରରେ କାମତ ହୋଟେଲ୍ସ, ରାୟଗଡ଼ାରେ ରେଗାଲ୍ ପାରାଡାଇଜ୍ ଗ୍ରୁପ୍ ଓ ଶ୍ରୀ ଆଦିତ୍ୟ ଗ୍ରାଣ୍ଡ୍ ହୋଟେଲ୍ ତିଆରି କରିବେ। ନୟାଗଡ଼ରେ ଶ୍ରୀ ହସ୍ପିଟାଲିଟି ଭେଞ୍ଚର୍ସ ଏବଂ ସୁବର୍ଣ୍ଣପୁରରେ ହୋଟେଲ୍ ହିଲ୍ଟନ୍ ଓ ତୋଷାଳି ସ୍ୟାଣ୍ଡ୍ ହୋଟେଲ୍ ନିର୍ମାଣ ଘୋଷଣା କରିଛନ୍ତି। ରେଗାଲ୍ ପାରାଡାଇଜ୍ ଗ୍ରୁପ୍ ଅଧିକାଂଶ ଜିଲ୍ଲାରେ ୩୦ କୋଟି ଟଙ୍କା ନିବେଶରେ ନିଜର ବିଭିନ୍ନ ପ୍ରକାର ହୋଟେଲ୍ ନିର୍ମାଣ କରିବାକୁ ଯୋଜନା ରଖିଛି।
ଏ ସମ୍ପର୍କରେ ଓଡ଼ିଶା ହୋଟେଲ୍ ଓ ରେସ୍ତୋରାଁ ସଂଘ (ଏଚ୍ଆର୍ଏଓ)ର କାର୍ଯ୍ୟକାରୀ ସଭାପତି ଶ୍ରୀନିବାସ ସୁବୁଦ୍ଧି କହିଛନ୍ତି, ରାଜ୍ୟ ସରକାର ୧୫ଟି ସ୍ଥାନକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରିବାକୁ ଚାହୁଛନ୍ତି। ଦ୍ରୁତ ଗତିରେ ଓଡ଼ିଶା ଏକ କ୍ରୀଡ଼ା ପର୍ଯ୍ୟଟନ ସ୍ଥାନ ଭାବେ ମଧ୍ୟ ଉଭା ହେଉଛି। ଏଥିପାଇଁ ରାଜ୍ୟରେ ବହୁ ସଂଖ୍ୟାରେ ତାରକା ମାନର ହୋଟେଲ୍ କୋଠରି ଆବଶ୍ୟକ। ଆମ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସେଭଳି କୋଠରି ସଂଖ୍ୟା ୧୦ ହଜାରରୁ ଅଧିକ ରହିଛି। ଓଡ଼ିଶାରେ କିନ୍ତୁ ତାହା ୫୦୦୦ କୋଠରି ମଧ୍ୟରେ ସୀମିତ ରହିଛି। ଆହୁରି ୫୦୦୦ ତାରକା ମାନର କୋଠରି ଆମକୁ ଦରକାର। ତେଣୁ ଅଧିକରୁ ଅଧିକ ହୋଟେଲ୍ ତିଆରି ହେଲେ ସେହି ଆବଶ୍ୟକତା ପୂରଣ ହେବା ସହ ପର୍ଯ୍ୟଟକମାନଙ୍କୁ ରହଣୀର ଉତ୍କୃଷ୍ଟ ପରିବେଶ ମିଳିପାରିବ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।