Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର

Oct 10, 2026 - 01:06
Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର

"ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ଠାରେ ଓଡ଼ିଶା ସୂଚନା ସେବା (ଓଆଇଏସ) ଅଧିକାରୀମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଧୁନିକ ଗଣଯୋଗାଯୋଗ ତଥା ଜନ ସଞ୍ଚାର ପଦ୍ଧତି ସମ୍ପର୍କରେ ଓଆଇଏସ ଅଧିକାରୀମାନଙ୍କର ମାର୍ଗଦର୍ଶନ କରିଛନ୍ତି।

Advertisment "ଏମର୍ଜିଂ ଟ୍ରେଣ୍ଡସ୍‌ ଇନ୍‌ ସୋସିଆଲ୍‌ ମିଡିଆ" (ସାମାଜିକ ଗଣମାଧ୍ୟମରେ ନୂତନ ଧାରା) ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ମିଶ୍ର ଆଧୁନିକ ଗଣଯୋଗାଯୋଗ ପଦ୍ଧତି, ନୂଆ ଧାରା, ପରିବର୍ତ୍ତିତ ଗଣମାଧ୍ୟମ ପରିଦୃଶ୍ୟ, ପ୍ରଶାସନ ପାଇଁ ଜନସଞ୍ଚାରର ଆବଶ୍ୟକତା ଆଦି ବିଷୟ ଉପରେ ବିସ୍ତୃତ ଭାବେ ମତ ରଖିଥିଲେ ।

ସେ ଓଆଇଏସ ଅଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ମତବିନିମୟ ମଧ୍ୟ କରିଥିଲେ।

ଶ୍ରୀ ମିଶ୍ର କହିଥିଲେ, ଜନସଞ୍ଚାର ଏକ ଚିରାଚରିତ ପ୍ରଶାସନିକ ପ୍ରକ୍ରିୟା ନୁହେଁ, ବରଂ ପ୍ରଭାବୀ ପ୍ରଶାସନ ଲାଗି ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ମୌଳିକ ଆବଶ୍ୟକତା।

ସେ ଆଧୁନିକ ସରକାରୀ ଯୋଗାଯୋଗ, ଲୋକସେବାରେ ନୈତିକତା ଏବଂ ନାଗରିକଙ୍କ ଭାଗୀଦାରୀର ପରବର୍ତ୍ତିତ ସ୍ୱରୂପ ଉପରେ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ଉପରେ ଆଲୋକପାତ କରି ଶ୍ରୀ ମିଶ୍ର କହିଥିଲେ, ଜନସାଧାରଣଙ୍କ ସହ ଯୋଗାଯୋଗ କରିବା କ୍ଷେତ୍ରରେ ଦେଖା ଦେଉଥିବା ମୌଳିକ ଆହ୍ୱାନଗୁଡ଼ିକ ଭିନ୍ନଭିନ୍ନ କ୍ଷେତ୍ରରେ ପ୍ରାୟତଃ ସମାନ ହୋଇଥାଏ।

ଜାତୀୟ ସୁରକ୍ଷା ଭଳି ସାର୍ବଭୌମ ପ୍ରସଙ୍ଗକୁ ବାଦ୍‌ ଦେଲେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରଶାସନକୁ ପ୍ରଭାବିତ କରୁଥିବା ମୁଖ୍ୟ ପ୍ରସଙ୍ଗଗୁଡ଼ିକ ସାଧାରଣ ନାଗରିକଙ୍କ ସହ ଯୋଡ଼ି ହୋଇ ରହିଥାଏ।

ସମ୍ପ୍ରତି ଗଣଯୋଗାଯୋଗ ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ଆସିଛି।

ସୂଚନା ସେବା ଅଧିକାରୀମାନେ ଏହି ପରିବର୍ତ୍ତିତ ପ୍ରକ୍ରିୟାକୁ ବୁଝିବା ଉଚିତ୍‌ ଏବଂ ତଦନୁଯାୟୀ କାମ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଦାର୍ଶନିକ ଏବଂ ସାହିତ୍ୟିକ ପରମ୍ପରା ବିଷୟରେ ଉଲ୍ଲେଖ କରି ଶ୍ରୀ ମିଶ୍ର କହିଥିଲେ, ମାନବୀୟ ଭାବ ବିନିମୟ ସଭ୍ୟତା ଓ ସାମାଜିକ ଏକତା ସହ ଗଭୀର ଭାବେ ଯୋଡ଼ି ହୋଇ ରହିଛି।

Literature: ସମାଜ ଗଠନରେ ସାହିତ୍ୟର ଭୂମିକା ଅପରିହାର୍ଯ୍ୟ: ଅଖିଳ କୁମାର ମିଶ୍ର ଏହି ପରିପ୍ରେକ୍ଷୀରେ ସେ ଶ୍ରୀମଦ୍‌ ଭଗବତ ଗୀତାରେ ଶ୍ରୀକୃଷ୍ଣ-ଅର୍ଜୁନ ସମ୍ବାଦ ଏବଂ ଯୋଗ ବଶିଷ୍ଠରେ ବଶିଷ୍ଠ-ଶ୍ରୀରାମଙ୍କ ମଧ୍ୟରେ ହୋଇଥିବା ମତ ବିନିମୟର ଉଦାହରଣ ଦେଇଥିଲେ।

ସେ କହିଥିଲେ, ଦୀର୍ଘସ୍ଥାୟୀ ପ୍ରଶାସନିକ ନୀତି ଏବଂ ରାମରାଜ୍ୟର ଅବଧାରଣା ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗର ଭିତ୍ତିଭୂମି ଉପରେ ଆଧାରିତ।

ସମାଜବିଜ୍ଞାନୀ ଡେଭିଡ୍ ରିସମ୍ୟାନଙ୍କ ପ୍ରମୁଖ କୃତି ""ଦି ଲୋନଲି କ୍ରାଉଡ୍"" ବିଷୟରେ ଉଲ୍ଲେଖ କରି ସେ କହିଥିଲେ, ପ୍ରଶାସନିକ ସେବା ଅଧିକାରୀମାନେ ଯେଉଁ ଶବ୍ଦ ଚୟନ କରନ୍ତି ତାହା ବିଶାଳ ସାମାଜିକ ଶକ୍ତି ଧାରଣ କରିଥାଏ।

ଶବ୍ଦଗୁଡ଼ିକ କେବଳ ଆମକୁ ଅସ୍ଥାୟୀ ଭାବରେ ପ୍ରଭାବିତ କରନ୍ତି ନାହିଁ, ସେଗୁଡ଼ିକ ଆମକୁ ସାମାଜିକ ଓ ଅସାମାଜିକ ମଧ୍ୟ କରିଥା"ନ୍ତି।

ପ୍ରତ୍ୟେକ ସଂସ୍ଥାଗତ ଯୋଗାଯୋଗ ନାଗରିକ ସଂହତି ପ୍ରତିଷ୍ଠା କରେ କିମ୍ବା ବିଚ୍ଛିନ୍ନତାକୁ ବ୍ୟାପକ କରିଥାଏ ବୋଲି ଶ୍ରୀ ମିଶ୍ର କହିଥିଲେ।

ପ୍ରଶାସନିକ ଉତ୍ତରଦାୟିତ୍ୱ ଉପରେ ମତପ୍ରକାଶ କରି ଶ୍ରୀ ମିଶ୍ର ସରକାରୀ ଅଧିକାରୀମାନେ ସାମ୍ନା କରୁଥିବା ଅନିର୍ବାର୍ଯ୍ୟ ନୈତିକ ଦ୍ୱିଧାବୋଧକୁ ବୁଝିବା ଲାଗି ଆଲବର୍ଟ କାମସଙ୍କ କ୍ଷୁଦ୍ରଗଳ୍ପ ପଢ଼ିବା ଲାଗି କହିଥିଲେ।

ସେ ପ୍ରଶାସନିକ ଅଧିକାରୀମାନଙ୍କର ସଂସ୍ଥାଗତ ସ୍ଥିତିକୁ ବେସରକାରୀ ଲୋକଙ୍କ ଠାରୁ ଭିନ୍ନ ବୋଲି ଅଭିହିତ କରିଥିଲେ।

ସରକାରୀ ସେବା ଅଧିକାରୀମାନଙ୍କର ରାଜ୍ୟ ଓ ଏହାର ନାଗରିକଙ୍କ ପ୍ରତି ଏକ ବଡ଼ ଗୁରୁଦାୟିତ୍ୱ ରହିଥାଏ ବୋଲି ସେ କହିଥିଲେ।

ରାଜକାର୍ଯ୍ୟ ବା ସାର୍ବଜନୀନ ଦାୟିତ୍ୱ ସବୁବେଳେ ପିତୃକାର୍ଯ୍ୟ ବା ବ୍ୟକ୍ତିଗତ ବିଷୟ ଅଥବା ପାରିବାରିକ ଦାୟିତ୍ୱ ଠାରୁ ଊର୍ଦ୍ଧ୍ୱରେ ରହିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ।

ସେ କହିଥିଲେ, ସରକାରୀ କର୍ମଚାରୀମାନେ ସଚେତନ ଭାବେ ଏହି ସେବାରେ ଯୋଗ ଦେଇଥାନ୍ତି।

ତେଣୁ, କର୍ତ୍ତବ୍ୟବୋଧ, ଜନସାଧାରଣଙ୍କ ବିଶ୍ୱାସ ଏବଂ ଅନୁଷ୍ଠାନ ପାଇଁ ପ୍ରତିବଦ୍ଧତା ସର୍ବୋପରି ହେବା ଆବଶ୍ୟକ।

ସନ୍ଦେହ ଓ ସମାଲୋଚନା କରିବା ସହଜ ହୋଇପାରେ, କିନ୍ତୁ ଗଠନମୂଳକ ପ୍ରଶାସନ ଲାଗି ସଂସ୍ଥା ପ୍ରତି ନିଷ୍ଠା, ଦୃଢ଼ତା ଏବଂ ଗଭୀର ଉତ୍ତରଦାୟିତ୍ୱ ରହିବାର ଆବଶ୍ୟକତା ରହିଛି।

ଅଧିବେଶନ ସମୟରେ, ଶ୍ରୀ ମିଶ୍ର ବାର୍ତ୍ତା ପ୍ରସାରଣ, ନେତୃତ୍ୱ, ବିଶ୍ୱାସ ଏବଂ ଦିଗଦର୍ଶନର ଅସ୍ପଷ୍ଟତା ପରି ସୂକ୍ଷ୍ମତାକୁ ବିଶ୍ଳେଷଣ କରିବା ପାଇଁ ଓଆଇଏସ ଅଧିକାରୀମାନଙ୍କୁ ନେଇ ଏକ ପାରସ୍ପରିକ ତଥା ଅନୁଭୂତି ଆଧାରିତ ପ୍ରୟାସ କରିଥିଲେ ।

ଏଥିରେ ଆଖିରେ ପଟି ବାନ୍ଧି ବାର୍ତ୍ତା ପ୍ରସାରଣ କରିବା ଏବଂ ଏହାକୁ ଗ୍ରହଣ କରିବାର ଏକ ଆକ୍ଟିଭିଟି ବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଆକ୍ଟିଭିଟିକୁ ସମୀକ୍ଷା କରି ଶ୍ରୀ ମିଶ୍ର ଅତି କମ୍‌ ସୂଚନା ପ୍ରଦାନ କରୁଥିବା ଯୋଗାଯୋଗ ବା ରିଡକ୍ସନିଷ୍ଟ କମ୍ୟୁନିକେସନ୍‌ ର ବିପଦ ସମ୍ପର୍କରେ ଚେତାଇ ଦେଇଥିଲେ।

ସେ କହିଥିଲେ, କୌଣସି ପ୍ରଚାରପତ୍ର, ପୁସ୍ତିକା କିମ୍ବା ହୋର୍ଡିଂର ପ୍ରସାର କରିଦେବା ପ୍ରକୃତ ଯୋଗାଯୋଗ ନୁହେଁ ।

ଏଗୁଡ଼ିକ କେବଳ ପୋଷ୍ଟମ୍ୟାନଙ୍କ ଭଳି କାମ କରନ୍ତି।

ପ୍ରକୃତ ଗଣଯୋଗାଯୋଗ ଲାଗି ଦିଗର ସ୍ପଷ୍ଟତା, କାର୍ଯ୍ୟରେ ସହାୟକ ହେଉଥିବା ମାର୍ଗଦର୍ଶନ, ସହାନୁଭୂତି ଏବଂ ଧ୍ୟାନ ସହକାରେ ଶୁଣିବାର ଆବଶ୍ୟକତା ରହିଥାଏ।

ଏହା ହିଁ ପ୍ରକୃତ ଦୁଇ ମୁଖୀ ରାସ୍ତା ବୋଲି ସେ କହିଥିଲେ।

ସେ ପରାମର୍ଶ ଦେଇ କହିଥିଲେ, ସୂଚନା ଅଧିକାରୀମାନେ ନିଜର ସହଯୋଗୀ ଏବଂ ତୃଣମୂଳସ୍ତରର ମାଧ୍ୟମକୁ ଅଧିକ ବ୍ୟାପକ ଏବଂ ପୂର୍ଣ୍ଣ ସୂଚନା ସହିତ ଭଲ ଭାବେ ପ୍ରସ୍ତୁତ କରନ୍ତୁ ଯାହା ଫଳରେ ଜନକଲ୍ୟାଣର ବାର୍ତ୍ତା ବିନା କୌଣସି ବାଧା କିମ୍ବା ପ୍ରତିବନ୍ଧକରେ ଅନ୍ତିମ ସୋପାନରେ ପହଞ୍ଚି ପାରିବ।

ଏହି ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳଙ୍କ ସମେତ ରାଜ୍ୟ ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।