Who Brought Five Orangutans to Odisha: କଳା ଗାଡ଼ି ନେଇ ବଢ଼ିଲା ସନ୍ଦେହ, ୫୫ ସିସିଟିଭି ଯାଞ୍ଚ କଲା STF

Sep 10, 2026 - 21:01
Who Brought Five Orangutans to Odisha: କଳା ଗାଡ଼ି ନେଇ ବଢ଼ିଲା ସନ୍ଦେହ, ୫୫ ସିସିଟିଭି ଯାଞ୍ଚ କଲା STF

ଦେଶରେ ନଥିବା ବିରଳ ଓରାଙ୍ଗଉଟାନ ହଠାତ୍ ବାଲେଶ୍ବରର ଜଙ୍ଗଲକୁ ଆସିଲେ କେମିତି, କିଏ ଆଣିଲା ଆଉ କାହିଁକି ଆଣିଥିଲା। ବଣମଣିଷ ମିଳିବାର ୬୦ ଘଣ୍ଟା ପରେ ବି ମିଳୁନି ତାର ଉତ୍ତର। କେଉଁ ବାଟ ଦେଇ ସେମାନଙ୍କୁ ଅଣାଯାଇଛି, ଏହା ପଛରେ ଅନ୍ତର୍ଜାତୀୟ ରାକେଟ୍ କାମ କରୁଛି କି, ସେନେଇ ତଦନ୍ତ କରୁଛି STF। ବାଲେଶ୍ବର ଭୋଗରାଇ ବ୍ଲକ ବିଚିତ୍ରପୁରର ବଡପାହି ଜଙ୍ଗଲ। ବିଦେଶୀ ବିରଳ ବନ୍ୟଜନ୍ତୁ ଉଦ୍ଧାର ହୋଇଥିବା ଏହି ସ୍ଥାନରେ ଘନ ଘନ ଯାଂଚ୍ କରୁଛି ଏସଟିଏଫ। ଅତିରିକ୍ତ ଏସପି ଓ ଜଣେ ଇନ୍ସପେକ୍ଟର ଜଙ୍ଗଲ ଆଖପାଖ ବୁଲି ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରୁଛନ୍ତି। ସାଙ୍ଗରେ ବନବିଭାଗର ଟିମ୍। କେଉଁ ରାସ୍ତା ଦେଇ ଏହି ନୀରିହ ବଣମଣିଷଙ୍କୁ ଅଣାଯାଇଥିଲା, କିଏ ସେମାନଙ୍କୁ ଦେଖିଥିଲା, ସେଦିନ ଆଉ କିଏ କିଏ ଏ ଅଂଚଳକୁ ଆସିଥିଲେ, ଟିକନିଖ କରି ତଥ୍ୟ ସଂଗ୍ରହ କରୁଛି ତଦନ୍ତକାରୀ ଟିମ୍। ଘଟଣାର ୬୦ ଘଣ୍ଟା ପରେ ଉଦ୍ଧାରସ୍ଥଳକୁ ଘେରାବନ୍ଦୀ କରି ନିଷିଦ୍ଧାଂଚଳ ଘୋଷଣା କରିଛି ବନ ବିଭାଗ। ପ୍ରମାଣ ନଷ୍ଟ ଆଶଙ୍କାରେ ନିଆଯାଇଛି ପଦକ୍ଷେପ। ସେପଟେ ଘଟଣାସ୍ଥଳରୁ ମିଳିଛି ମାସ୍କ। ବଣ ମଣିଷଙ୍କୁ ଏଠାରେ ଛାଡିବାକୁ ଆସିଥିବା ବ୍ୟକ୍ତି ଏହି ମାସ୍କ ପିନ୍ଧି ଆସିଥିବା ସନ୍ଦେହ କରାଯାଉଛି। 

ବଢୁଛି ବଣମଣିଷ ତସ୍କରୀ ରାକେଟ୍ ସନ୍ଦେହ, ସ୍କାନରରେ ରହିଛି ପଶ୍ଚିମବଙ୍ଗର ଦୀଘା। ସେଠି ଡିଲ୍ ହୋଇଥାନ୍ତା ନା ଓଡ଼ିଶା ଆଣି ଲୁଚାଇବା ପରେ କରାଯାଇଥାନ୍ତା ଡିଲ୍ ? କାହିଁକି ନିର୍ଜନ ସ୍ଥାନରେ ୫ ଓରାଙ୍ଗଓଟାନଙ୍କୁ ଛାଡିଦେଲେ ? ଧରା ପଡ଼ିଯିବା ଭୟରେ ନା ଲୁଚାଇବା ଉଦ୍ଦେଶ୍ୟରେ ? ଜଙ୍ଗଲର ଏତେ ଭିତରକୁ ଆସିଲେ କେମିତି ? ବନ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମାଫିଆଙ୍କ ସହିତ ଲିଙ୍କ୍ ନାହିଁ ତ ? ଯୋଜନାବଦ୍ଧ ଭାବେ ଏଠାକୁ ଅଣାଯାଇ ଥିଲା କି ? ଦୁଇ ଦିନରେ ଭୋଗରାଇ ଓ ପଶ୍ଚିମବଙ୍ଗ ଆଖପାଖ ଅଂଚଳର ୫୫ଟି ସିସିଟିଭି ଫୁଟେଜ୍ ଯାଂଚ୍ କରାଯାଇଛି। ପଶ୍ଚିମବଙ୍ଗର କଲାଘାଟରେ ଥିବା ଟୋଲ୍ ପ୍ଲାଜାର CCTV ଓ ଅନ୍ୟାନ୍ୟ ତଥ୍ୟ ମଧ୍ୟ STF ଯାଞ୍ଚ କରିଛି। 

ବିଶେଷଜ୍ଞଙ୍କ କହିବା ହେଉଛି, ଓରାଙ୍ଗଉଟାନଙ୍କୁ ଜଳପଥରେ ବାଂଲାଦେଶ କିମ୍ବା ମିଆଁମାର ଚାଲାଣ କରାଯାଉଥିବା ବେଳେ ନୌସେନା ଭୟରେ ଦୀଘାକୁ ଆଣି ଓଡ଼ିଶାରେ ଲୁଚାଇଥାଇ ପାରନ୍ତି ମାଫିଆ। ବିଚିତ୍ରପୁରର ଠିକଣା ପାଇଁ ସ୍ଥାନୀୟ ଲୋକ ବା ବନ କର୍ମଚାରୀଙ୍କ ସହଯୋଗକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ଅନ୍ତରାଷ୍ଟ୍ରୀୟ ଚୋରା ଚାଲାଣରେ ସ୍ଥାନୀୟ ସଂପୃକ୍ତି ରହିଥାଏ। ଏହା ଜଣେ କି ଗୋଟିଏ ଗ୍ରୁପର କାମ ନୁହେଁ। ଏଠାରେ ଥିବା ସେମାନଙ୍କ ଖବରୀ ଏହି ଜାଗା ବିଷୟରେ ନିଶ୍ଚିତ ସେମାନଙ୍କୁ ଖବର ଦେଇଥିବେ। ଓରାଙ୍ଗଉଟାନଙ୍କୁ ପ୍ରଥମେ ବିଚିତ୍ରପୁର ଜଙ୍ଗଲରେ ଲୁଚାଇ ରଖିବା ଏବଂ ପରେ ଚେକିଂ କମିଲେ ଚାଲାଣ କରିବା ଉଦ୍ଦେଶ୍ୟ ଥାଇପାରେ କିମ୍ବା ଧରାପଡ଼ିବା ଭୟରେ ସେମାନଙ୍କୁ ଏଠାରେ ଛାଡ଼ି ପଳାଇ ଥାଇ ପାରନ୍ତି ମାଫିଆ। 

ସେପଟେ ସେଦିନ ରାତିରେ ଜଙ୍ଗଲକୁ ୧୫ ମିନିଟ୍ ପାଇଁ ଆସି ଫେରି ଯାଇଥିବା କଳା ଗାଡି ମଧ୍ୟ ସ୍କାନରରେ ରହିଛି। ସଂପୃକ୍ତ ଗାଡ଼ି ଦୀଘାରୁ ଆସିଥିବା ସନ୍ଦେହ କରାଯାଉଛି। ଆରସିସିଏଫ୍ କହିଛନ୍ତି, ଏହା ପଛରେ ନିହାତି ଅନ୍ତର୍ଜାତୀୟ ଲିଙ୍କ୍ ରହିଥିବ। ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ଏମାନଙ୍କୁ ଚାଲାଣ କରାଯାଉଥିଲା। NHରେ କଡା ଚେକିଂ ଥିବାରୁ ଭିତିରିଆ ରାସ୍ତାରେ ଚାଲାଣ କରାଯାଇଥାଇପାରେ। ମିଆଁମାରକୁ ଲାଗି ନର୍ଥ ଇଷ୍ଟ, ନର୍ଥ ଇଷ୍ଟକୁ ଲାଗି ପୂର୍ବ ଭାରତ। ଭୌଗୋଳିକ ଦୃଷ୍ଟିରୁ ସୁବିଧା ଥିବାରୁ ଏହି ରୁଟ୍ କୁ ବଛା ଯାଇଥିବା ସନ୍ଦେବ କରାଯାଉଛି। WCCBର ୨ଟି ଟିମ୍ ଭୋପାଳ ଓ କୋଲକାତାରୁ ଆସି ତଦନ୍ତରେ ସହଯୋଗ କରୁଥିବା RCCF କହିଛନ୍ତି। 

ଏପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ଓରାଙ୍ଗଉଟାନ ଚାଲାଣରେ ଯିଏ ସମ୍ପୃକ୍ତ ଥିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।