Who Is Behind The Orangutan Racket: ବଣମଣିଷ ତସ୍କରୀର ମାଷ୍ଟରମାଇଣ୍ଡ କିଏ… ସ୍କାନରରେ SUV, ଧରାଦେଉନାହାଁନ୍ତି ସନ୍ଦିଗ୍ଧ ବାପା-ପୁଅ
ଦିନ ଗଡୁଛି, ରହସ୍ୟ ବଢୁଛି। କେବେ ହେବ ଦେଶ ଦୋହଲାଇ ଦେଇଥିବା ଓରାଙ୍ଗଉଟାନ୍ ରାକେଟର ପର୍ଦ୍ଦାଫାସ ? ମାଷ୍ଟର ମାଇଣ୍ଡ କିଏ ? ଭୋଗରାଇରୁ ପଶ୍ଚିମବଙ୍ଗ ୨୫୦ରୁ ଅଧିକ ସିଟିଟିଭି ଘାଣ୍ଟିଲାଣି ଏସଟିଏଫ୍। ଏବେ ତଦନ୍ତକାରୀ ଟିମ୍ ଠୋସ୍ ସୁରାକ୍ ପାଇଥିବା ସୂଚନା ମିଳିଛି। ଦୀଘାର ସନ୍ଦିଗ୍ଧ ହୋଟେଲର ହାର୍ଡ ଡିସ୍କ ଏସଟିଏଫ୍ ହାତରେ ଲାଗିଛି। ସ୍କାନରରେ ଥିବା ହୋଟେଲ୍ ମାଲିକ ଓ ପୁଅ ଫେରାର୍ ହେବା ବଣମଣିଷ ତସ୍କରୀ ରାକେଟ ସନ୍ଦେହକୁ ବଢ଼ାଇ ଦେଇଛି। ଏପଟେ ନନ୍ଦନକାନନରେ ଚିକିତ୍ସା ପରେ ଏବେ ପୁଣି ଫେରିଛି ୫ ଓରାଙ୍ଗଉଟାନଙ୍କ ଚଞ୍ଚଳତା।
ଗୋଟିଏ SUV...୨୫୦ରୁ ଅଧିକ CCTV...ହୋଟେଲ୍ ହାର୍ଡ ଡିସ୍କ। ଏହି ୩ଟି କ୍ଲୁ ଖୋଲିବ କି ବଣମଣିଷ ତସ୍କରୀର ରହସ୍ୟ ? ତଥ୍ୟ ପ୍ରମାଣ ଯୋଗାଡ଼ିବା ସହ ଓରାଙ୍ଗଉଟାନ୍ ଉଦ୍ଧାର ରାକେଟର ଖିଅ ଖୋଜୁଛି ଏସଟିଏଫି। ମିଳିଛି ବଡ଼ ସୁରାଗ। ତଦନ୍ତକାରୀ ଟିମ୍ ହାତରେ ଦୀଘାର ସେହି ସନ୍ଦିଗ୍ଧ ହୋଟେଲର ହାର୍ଡ ଡିସ୍କ ଲାଗିଛି। ସେହିପରି ଟ୍ରେସ୍ ହୋଇଛି CCTVରେ କଏଦ୍ ବ୍ଲାକ୍ SUVର ନମ୍ବର।ଏଥିସହ ସାମନାକୁ ଆସିଛି ହୋଟେଲ୍ ମାଲିକ ଓ ତାଙ୍କ ପୁଅର ପରିଚୟ। ହୋଟେଲ୍ ମାଲିକ ହେଲେ ଜୟନ୍ତ ମାଇତି ଓ ପୁଅ ଶମ୍ଦୀପ ମାଇତି। ଏସଟିଏଫର ଛାନଭିନ୍ ଭୟରେ ଦୁହେଁ ବିଦେଶ ଫେରାର ହୋଇଥିବା ଚର୍ଚ୍ଚା ହେଉଛି।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ମାଇତି ବାପା-ପୁଅଙ୍କ ବିଦେଶ ଗସ୍ତର ଏକ ଦୃଶ୍ୟ। କିନ୍ତୁ ଭିଡିଓ ଏବେକାର ନା ନାହିଁ ସ୍ପଷ୍ଟ ହୋଇନି। ସେପଟେ ହୋଟେଲରୁ ମିଳିଥିବା ହାର୍ଡ ଡିସ୍କ ଆଧାରରେ ତଥ୍ୟ ଯୋଗାଡୁଛି ଏସଟିଏଫ୍। ସେଠାକୁ କେଉଁମାନେ ଆସୁଥିଲେ, କେଉଁ ଗାଡ଼ି ଯାଉଥିଲା, କେଉଁ ତାରିଖରେ କେଉଁ ଗାଡି ଆସୁଥିଲା ? ପ୍ରତ୍ୟେକ ଫୁଟେଜର ଫ୍ରେମକୁ ଫ୍ରେମ୍ ଯାଞ୍ଚ କରାଯାଉଛି। ସେହିପରି ଭୋଗରାଇରୁ ପଶ୍ଚିମବଙ୍ଗ ଯାଏଁ ୨୫୦ରୁ ଅଧିକ ସିସିଟିଭିକୁ ଘାଣ୍ଟୁଛନ୍ତି ତଦନ୍ତକାରୀ ଟିମ୍।
ସେପଟେ ଓରାଙ୍ଗଉଟାନ ତସ୍କରୀ ନେଇ Wildlife Crime Control Bureau-WCCBର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଅନୁପ ନାୟକ କହିଛନ୍ତି, ଏହି ୫ଟି ଓରାଂଉଟାନ୍ ଶିଶୁ ଜଙ୍ଗଲ କିମ୍ବା କ୍ୟାପଟିଭରୁ ଆସିଛନ୍ତି ଜଣାପଡ଼ିନାହିଁ। ଏବେ କୋଲକାତାର ଆଞ୍ଚଳିକ WCCB ସହିତ ଏସଟିଏଫର ତଦନ୍ତ ଚାଲିଛି।
ତେବେ ଓରାଙ୍ଗଉଟାନ ଛୁଆଗୁଡ଼ିକୁ ସ୍ଥଳପଥ ଦେଇ ଅଣା ଯାଇଥିବା ସନ୍ଦେହ କରାଯାଉଛି। ଯଦି ଜଳପଥରେ ଆସିଥାଏ, ତାହେଲେ ଓଡ଼ିଶା ପାଇଁ ବିପଦ। ଏହି ତସ୍କରୀ ଘଟଣାରେ କେବଳ ବାପା-ପୁଅ ନୁହଁନ୍ତି, ସେମାନଙ୍କ ଉପରେ ବି ବସ୍ ଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି। ଅନ୍ୟପଟେ ଓଡ଼ିଶା-ପଶ୍ଚିମ ବଙ୍ଗ ସୀମାନ୍ତ ଉଦୟପୁରରେ ସୁରକ୍ଷା କଡାକଡ଼ି କରିବାକୁ ଦାବି କରିଛନ୍ତି ଭୋଗରାଇବାସୀ।
ଏଣେ ନନ୍ଦନକାନନରେ ବିନା ମାଆରେ ଦିନ କାଟୁଥିବା ୫ ଓରାଂଉଟାନ୍ ଛୁଆଙ୍କର ଗ୍ୟାସ୍-ବଦହଜମି ଭଳି ସମସ୍ୟା ଦେଖାଦେଇଥିଲା। ହଠାତ୍ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ଉପୁଜିବା ପରେ ସେମାନଙ୍କ ଖାଇବା କମିଯିବା ସହିତ ଫୁର୍ତ୍ତି ଦେଖିବାକୁ ମିଳିନଥିଲା। କିନ୍ତୁ ଚିକିତ୍ସା ପରେ ଏବେ ପୁଣି ଖେଳକୁଦ କରୁଛନ୍ତି।
ମା’ କ୍ଷୀର ନ ପାଇବାରୁ ସେମାନଙ୍କୁ ବିକଳ୍ପ ଭାବେ ଡବା କ୍ଷୀର, ସହିତ ଆଳୁ ଚକଟା, ସିଝା ସେଓ ଓ ଗୋଟା ଫଳ ଦିଆଯାଉଛି। ତେବେ ଏହି ଅତିଥିମାନେ ଗୁଣ୍ଡ ଖାଦ୍ୟ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଏହାସହ ଭିଟାମିନ୍-ଡି ପାଇଁ ସକାଳ ସମୟରେ ଝରକା ଓ କବାଟ ଖୋଲି ସୂର୍ଯ୍ୟକିରଣ ପାଇବାର ବ୍ୟବସ୍ଥା କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।