Who Is Sonal Dinusha: ଭାରତୀୟ ବୋଲରଙ୍କୁ ପାଣି ପିଆଇଲେ ସୋନଲ ଦିନୁଶା, ଜାଣନ୍ତୁ କିଏ ଏହି ଯୁବ ବ୍ୟାଟର?

Aug 27, 2026 - 15:46
Who Is Sonal Dinusha: ଭାରତୀୟ ବୋଲରଙ୍କୁ ପାଣି ପିଆଇଲେ ସୋନଲ ଦିନୁଶା, ଜାଣନ୍ତୁ କିଏ ଏହି ଯୁବ ବ୍ୟାଟର?

ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଢ଼େଇ ଜାରି ରହିଛି। କଲମ୍ବୋ ଟେଷ୍ଟର ପଞ୍ଚମ ଦିନରେ ଶ୍ରୀଲଙ୍କା ପାଇଁ ଆଶାର କିରଣ ପାଲଟିଛନ୍ତି ଯୁବ ବ୍ୟାଟର ସୋନଲ ଦିନୁଶା। ଭାରତୀୟ ବୋଲରଙ୍କ ସାମ୍ନାରେ ଧୈର୍ଯ୍ୟ ଓ ଦମ୍ଭର ସହ ବ୍ୟାଟିଂ କରି ସେ ହାସଲ କରିଛନ୍ତି ଆଉ ଏକ ଶତକ।

ମାତ୍ର ଚତୁର୍ଥ ଟେଷ୍ଟ ଖେଳୁଥିବା ସୋନଲ ଦିନୁଶା ଏବେ ଶ୍ରୀଲଙ୍କାର ଭରସାଯୋଗ୍ୟ ମଧ୍ୟକ୍ରମ ବ୍ୟାଟର ଭାବେ ଉଭା ହୋଇଛନ୍ତି। ଭାରତ ବିପକ୍ଷ ଚଳିତ ସିରିଜ୍‌ରେ ତାଙ୍କ ବ୍ୟାଟ୍ ଲଗାତାର କଥା କହୁଛି। ଲଗାତାର ଚାରିଟି ୫୦ରୁ ଅଧିକ ରନ୍‌ର ଇନିଂସ୍ ଖେଳି ସେ ଚର୍ଚ୍ଚାରେ ରହିଛନ୍ତି।

ଗାଲେରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦିନୁଶା ଅପରାଜିତ ୧୦୦ ରନ୍ କରିଥିଲେ। ଏହା ଥିଲା ତାଙ୍କ ପ୍ରଥମ ଟେଷ୍ଟ ଶତକ। ପରେ କଲମ୍ବୋ ଟେଷ୍ଟର ପ୍ରଥମ ଇନିଂସ୍‌ରେ ମଧ୍ୟ ସେ ଦମଦାର ବ୍ୟାଟିଂ କରି ୧୦୩ ରନ୍ କରିଥିଲେ। ଏବେ ପଞ୍ଚମ ଦିନରେ ଆଉ ଏକ ଶତକ ସହ ଶ୍ରୀଲଙ୍କାର ଆଶାକୁ ଜୀବିତ ରଖିଛନ୍ତି।

୨୫ ବର୍ଷୀୟ ଦିନୁଶା ୨୦୨୫ ଜୁନ୍ ୨୫ରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ୭ଟି ଇନିଂସ୍‌ରେ ତାଙ୍କ ବ୍ୟାଟ୍‌ରୁ ଆସିଛି ୩୭୦ ରନ୍, ଯାହାର ବ୍ୟାଟିଂ ଆଭେରେଜ୍‌ ରହିଛି ୬୧.୬୬।

ଟେଷ୍ଟ କ୍ରିକେଟ୍‌ରେ ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ଦିନୁଶା ଏପର୍ଯ୍ୟନ୍ତ ଶ୍ରୀଲଙ୍କା ପାଇଁ ଦିନିକିଆ କିମ୍ବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି। କିନ୍ତୁ ଟେଷ୍ଟରେ ତାଙ୍କ ଲଗାତାର ପ୍ରଦର୍ଶନ ଦେଖିଲେ, ଖୁବଶୀଘ୍ର ହ୍ୱାଇଟ୍-ବଲ୍ ଦଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ମଧ୍ୟ ଦିନୁଶାଙ୍କ ରେକର୍ଡ ଖୁବ ମଜଭୁତ ରହିଛି। ୬୯ଟି ମ୍ୟାଚ୍‌ରେ ୩,୮୮୨ ରନ୍, ହାରାହାରି ୪୬.୨୧। ଏଥିରେ ରହିଛି ୧୨ଟି ଶତକ ଓ ୨୦ଟି ଅର୍ଦ୍ଧଶତକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।