ଆଜି ଛାତ୍ର ସଂସଦ ନିର୍ବାଚନ, ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ
ଭୁବନେଶ୍ଵର : ଆଜି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ । ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସରେ ରହିଛି ସରଗରମ । ସକାଳ ୮ଟାରୁ ଆରମ୍ଭ ହୋଇ ମତଦାନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ଭୋଟ ପରେ ଆଜି ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ଏବଂ ଆସନ୍ତା କଲି ରହିଛି ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ । ହିଂସା ଆଶଙ୍କାରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।
ଛାତ୍ର ସଂସଦ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ୱିଟ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା ଗଣତନ୍ତ୍ରର ମୂଳଦୁଆ ଏବଂ ଭବିଷ୍ୟତର ନେତୃତ୍ୱ ଗଠନର ଏକ ମୁଖ୍ୟ ମାଧ୍ୟମ । ଆଜି କ୍ୟାମ୍ପସରେ ଆପଣମାନେ ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ, ତାହା ଆଗାମୀ ଦିନରେ ଆମ ରାଜ୍ୟ ତଥା ଦେଶକୁ ଏକ ନୂତନ ଦିଗ୍ ଦର୍ଶନ ଦେବ । ତେଣୁ କୌଣସି ପ୍ରକାର ହିଂସା, ଗୁଜବ ବା ବିଭେଦର ଶିକାର ନ ହୋଇ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି ନିର୍ବାଚନରେ ସାମିଲ ହୁଅନ୍ତୁ । ସମସ୍ତ ଛାତ୍ରଛାତ୍ରୀ ଓ ପ୍ରାର୍ଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ।
କ୍ୟାମ୍ପସରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ କଡ଼ା ସୁରକ୍ଷା ଓ ଚେକିଂ ବ୍ୟବସ୍ଥା କରାଯାଇଛି ଏବଂ କେବଳ ବୈଧ ପରିଚୟ ପତ୍ର (ID Card) ଥିବା ଛାତ୍ରଛାତ୍ରୀଙ୍କୁ ହିଁ କଲେଜ ଭିତରକୁ ପ୍ରବେଶ ଅନୁମତି ଦିଆଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।