ଆଜି ‘ନୋ UPI ଡେ’: QR କୋଡ୍‌ରେ କଳା କପଡ଼ା ବାନ୍ଧିଲେ ବ୍ୟବସାୟୀ; ପକେଟ୍‌ରେ ରଖନ୍ତୁ ନଗଦ

Sep 23, 2026 - 11:35
ଆଜି ‘ନୋ UPI ଡେ’: QR କୋଡ୍‌ରେ କଳା କପଡ଼ା ବାନ୍ଧିଲେ ବ୍ୟବସାୟୀ; ପକେଟ୍‌ରେ ରଖନ୍ତୁ ନଗଦ

ନୂଆଦିଲ୍ଲୀ,୨୩।୯: UPI ପେମେଣ୍ଟକୁ ନେଇ ପ୍ରସ୍ତାବିତ ନୂଆ ନିୟମ ବିରୋଧରେ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବଡ଼ ସହରରେ ‘ନୋ UPI ଡେ’ ପାଳନ କରିବାକୁ ବ୍ୟବସାୟୀ ସଂଗଠନଗୁଡ଼ିକ ପ୍ରସ୍ତୁତ ହୋଇଛନ୍ତି। ଇନ୍ଦୋର, ଭୋପାଳ, ଜବଲପୁର ଓ ଗୱାଲିୟର ଭଳି ସହରରେ UPI ପେମେଣ୍ଟ ଗ୍ରହଣ ନକରିବାକୁ ଅଭିଯାନ ଚାଲିବ।

ଇନ୍ଦୋରରୁ ଏହି ବିରୋଧର ଆରମ୍ଭ ହୋଇଛି। ଦାବି ଅନୁସାରେ, ୧୨୫ରୁ ଅଧିକ ବ୍ୟବସାୟୀ ସଂଘ ଏବଂ ପ୍ରାୟ ୨ ଲକ୍ଷ ବ୍ୟବସାୟୀ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ସରାଫା ବଜାର, କପଡ଼ା ବଜାର ଓ ମାରୋଠିଆ ବଜାର ଭଳି ପ୍ରମୁଖ ବ୍ୟବସାୟିକ ଅଞ୍ଚଳରେ ଡିଜିଟାଲ ପେମେଣ୍ଟ ବନ୍ଦ ରଖିବାକୁ ବ୍ୟବସାୟୀମାନେ ଆହୱାନ ଦେଇଛନ୍ତି।

ମଙ୍ଗଳବାର ରାତିରେ ରିଗାଲ ସ୍କୋୟାରରେ ଟାଇଲ୍ସ ଆଣ୍ଡ ସାନିଟାରୀ ୱେୟାର ବ୍ୟବସାୟୀ ସଂଘର ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏଥିରେ ୧୫୦ରୁ ଅଧିକ ବ୍ୟବସାୟୀ ସାମିଲ ହୋଇ UPI ଉପରେ ଚାର୍ଜକୁ ବିରୋଧ କରି ନାରାବାଜି କରିଥିଲେ।

ବ୍ୟବସାୟୀମାନେ ଅଭିଯୋଗ କରୁଛନ୍ତି ଯେ ଅକ୍ଟୋବର ୧୫ରୁ ୨,୦୦୦ ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ଟ୍ରାଞ୍ଜାକ୍ସନ ଉପରେ ୦.୪ ପ୍ରତିଶତ MDR ଲାଗୁ ହେବାର ପ୍ରସ୍ତାବ ରହିଛି। ଏହା ଲାଗୁ ହେଲେ ଛୋଟ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ବୋଲି ସେମାନେ କହିଛନ୍ତି।

ବ୍ୟବସାୟୀଙ୍କ ମତରେ, କିରାଣା, କପଡ଼ା, ସରାଫା ଓ ପେଟ୍ରୋଲ ପମ୍ପ ଭଳି ବ୍ୟବସାୟରେ ଲାଭର ପରିମାଣ ପୂର୍ବରୁ ହିଁ ସୀମିତ। ଏହା ଉପରେ UPI ଲେନଦେନରେ MDR ଲାଗିଲେ ବ୍ୟବସାୟୀଙ୍କ ଖର୍ଚ୍ଚ ଆହୁରି ବଢ଼ିବ।

ବ୍ୟବସାୟୀ ସଂଗଠନଗୁଡ଼ିକର ଆକଳନ ଅନୁସାରେ, କେବଳ ଭୋପାଳ ଓ ଇନ୍ଦୋରର ବ୍ୟବସାୟୀଙ୍କ ଉପରେ ମାସକୁ ପ୍ରାୟ ୧୪.୪ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିପାରେ।

ଏହି ବିରୋଧକୁ ମଧ୍ୟପ୍ରଦେଶ ପେଟ୍ରୋଲ ପମ୍ପ ଡିଲର୍ସ ଆସୋସିଏସନ ମଧ୍ୟ ସମର୍ଥନ କରିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ୧୬ରୁ ରାଜ୍ୟର ପେଟ୍ରୋଲ ପମ୍ପରେ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଇନ୍ଧନ କିଣିଲେ କେବଳ ନଗଦ ଟଙ୍କାରେ ପେମେଣ୍ଟ ନେବାର ନିଷ୍ପତ୍ତି ନିଆଯାଇଛି।

ତେବେ UPI ଉପରେ ପ୍ରସ୍ତାବିତ MDR ନିୟମ ନେଇ ସରକାରୀ ସ୍ତରରେ ଚୂଡ଼ାନ୍ତ ସ୍ପଷ୍ଟତା ଏବଂ ନିୟମର ଅନ୍ତିମ ରୂପ କ’ଣ ରହିବ, ତାହା ଉପରେ ନଜର ରହିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।