ଆଜି ଶ୍ରୀ ମନ୍ଦିରରେ ବଳଭଦ୍ରଙ୍କ ଜନ୍ମୋତ୍ସବ ସହ ଗହ୍ମା ଉତ୍ସବ ପାଳନ

Aug 28, 2026 - 11:22
ଆଜି ଶ୍ରୀ ମନ୍ଦିରରେ ବଳଭଦ୍ରଙ୍କ ଜନ୍ମୋତ୍ସବ ସହ ଗହ୍ମା ଉତ୍ସବ ପାଳନ

ପୁରୀ : ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାଖି ପିନ୍ଧାଇବେ । ବୀରଡୋରିରେ ଶ୍ରୀବିଗ୍ରହ ପିନ୍ଧିବେ ୬ ଥାକିଆ ରାଖୀ । ମହାପ୍ରଭୁଙ୍କ ପାରମ୍ପରିକ ପାଟରା ବିଶୋୟୀ ସେବକ ଦୋଳ ମଣ୍ଡପ ସାହି ନିବାସୀ ସନ୍ତୋଷ କୁମାର ପାତ୍ର ଓ ପୁଅ ପ୍ରସାଦ ଠାକୁରଙ୍କ ପାଇଁ ୪ଟି ରାଖୀ ପ୍ରସ୍ତୁତ କରିଛନ୍ତି । ପୂର୍ଣ୍ଣିମା ଦିନ ଚର୍ଚ୍ଚା ଡାକିଗଲେ ରାଖୀ ଶ୍ରୀମନ୍ଦିର ଗାରଦ ଜିମା ଦିଆଯିବ । ଭଣ୍ଡାର ମେକାପ ସେଥିରେ ଚନ୍ଦନ କର୍ପୂର ଦେଇ ପ୍ରସ୍ତୁତ ରଖିବେ । ସିଂହାରୀ ସେବାୟତ ଠାକୁରଙ୍କୁ ଲାଗି କରିବେ । ଶ୍ରୀମନ୍ଦିର ପ୍ରଶାସନପକ୍ଷରୁ ୪ ସୁନା ଲାଗିଥିବା ପାଟ ରାଖୀ ଓ ଗୁଆର ମାଳି ଠାକୁରେ ଲାଗି ହେବେ । 

ସେହିପରି ଆଜି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବାକୁ ଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ନୀତି ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିବେ ।

ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ । ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଏହାପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।