ଆସନ୍ତା କାଲି ପୁଣି ଏକ ଲଘୁଚାପ ... ୧୨ ରୁ ୧୫ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

Aug 11, 2026 - 12:22
ଆସନ୍ତା କାଲି ପୁଣି ଏକ ଲଘୁଚାପ ... ୧୨ ରୁ ୧୫ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟକୁ ପିଛା ଛାଡୁନାହିଁ ଲଘୁଚାପ । ପଛକୁ ପଛ ଲଘୁଚାପ ଫଳରେ ଜାରି ରହିଛି ଲଗାଣ ବର୍ଷା । ୧୨ ତାରିଖ ବେଳକୁ ପୁଣି ଏକ ଲଘୁଚାପ । ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବିଶେଷକରି ଉତ୍ତର, ଉପକୂଳ ଏବଂ ଏହାର ସଂଲଗ୍ନ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ । ୧୨ରୁ ୧୫ ଅଗଷ୍ଟ ମଧ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନକୁ ପ୍ରବଳ ବର୍ଷା ଜନିତ ଚେତାବନୀ ମଧ୍ୟ ଜାରି ହୋଇଛି । 

ଆଜି ପାଇଁ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଡ଼ବର୍ଷା ନେଇ ସତର୍କତା ଜାରି କରିଛି IMD । ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼, ଯାଜପୁର, ଢେଙ୍କାନାଳ, ଗଞ୍ଜାମ, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ହାଲୁକାରୁ ପ୍ରବଳ ବର୍ଷା ହୋଇପାରେ । ଅନ୍ୟ ଜିଲ୍ଲାରେ ମଧ୍ୟ ବର୍ଷା ଓ ଘଡ଼ଘଡ଼ିର ସମ୍ଭାବନା ରହିଛି । 

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଶନିବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର  ଏବେ ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶ ସଂଲଗ୍ନ ଛତିଶଗଡ଼ରେ ସକ୍ରିୟ ରହିଛି। ବର୍ତ୍ତମାନ ଏହାର ପ୍ରଭାବ ରାଜ୍ୟ ଉପରେ ନାହିଁ। ବର୍ତ୍ତମାନ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଅନେକ ସ୍ଥାନରେ ବର୍ଷା ହେଉଛି। ଆଗକୁ ଲଘୁଚାପ ସହ ସକ୍ରିୟ ମୌସୁମୀ ପ୍ରଭାବରେ ପୁଣି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ଗଞ୍ଜାମର ପାତ୍ରପୁରରେ ୮୦.୪ ମିମି, ଖୋର୍ଦ୍ଧାର ଚିଲିକାରେ ୭୭ ମିମି ଏବଂ ବେଲଗୁଣ୍ଠାରେ ୭୬ ମିମି ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୮.୩ ମିମି ଏବଂ କଟକରେ ୪.୬ ମିମି ବର୍ଷା ହୋଇଛି । ୧୪ ଅଗଷ୍ଟ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଓ ସଂଲଗ୍ନ ସମୁଦ୍ରରେ ୩୫ରୁ ୪୫ କିମି ବେଗରେ ପବନ ବହିବା ସହ ଝଟକା ପବନର ବେଗ ୫୫ କିମି ପର୍ଯ୍ୟନ୍ତ ଯାଇପାରେ । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।