ଆସନ୍ତା ସପ୍ତାହରେ ପୁଣି ଏକ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆଜିଠାରୁ ପାଣିପାଗରେ ହେବ ବଡ଼ ପରିବର୍ତ୍ତନ । ପଶ୍ଚିମାଝଡ ପ୍ରଭାବରେ ଆଜିଠାରୁ ଆସନ୍ତା ୯ ତାରିଖ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏକ ଟ୍ରଫ୍ ଲାଇନ୍ (Trough line) ପ୍ରଭାବରେ ଏହି ପାଗ ପରିବର୍ତ୍ତନ ହେଉଛି, ଯାହା ଫଳରେ ମେଘୁଆ ପାଗ ସହ ଝଡ଼ବର୍ଷା ହେବ। ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ବଜ୍ରପାତ ଓ ଘଡ଼ଘଡ଼ି ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ଅକ୍ଟୋବର ୮ ରେ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାମାନଙ୍କର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଏବଂ ଝଟକା ପବନ ଦେଖିବାକୁ ମିଳିପାରେ । ବଜ୍ରପାତ ସମୟରେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସେପଟେ ଇସିଏମଡବଲୁଏଫ୍ ଆକଳନ ଅନୁସାରେ ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୪ରେ ଅବପାତ ରୂପ ନେଇପାରେ । ୧୫ ତାରିଖକୁ ଏହା ଗଭୀର ଅବପାତରେ ପରିଣତ ହୋଇ ୧୬ ତାରିଖବେଳକୁ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।