ବନ୍ଦ କୁ ସମର୍ଥନ କରୁନି ଘରୋଇ ବସ ମାଲିକ ସଂଘ, ରାଜଧାନୀରେ ଗଡିବନି କୌଣସି ଅଟୋ
ଭୁବନେଶ୍ୱର : ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ବାଣିଜ୍ୟ ଅନୁଷ୍ଠାନ ସହ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ଗାଡି ମଟର ବନ୍ଦ ରହିବ । ତେବେ ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଗୋଟେ ଦିନ ବସ୍ ବନ୍ଦ ହେଲେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ବସ୍ ମାଲିକ ବଡ଼ କ୍ଷତିର ସମ୍ମୁଖୀନ ହେବ । ତେଣୁ ଆସନ୍ତାକାଲି ବସ୍ ସେବା ଚାଲିବ । ଯେଉଁଠି ପିକେଟିଙ୍ଗରେ ବନ୍ଦ କରାଯିବ ସେଠାରେ ବସ୍ ସେବା ବନ୍ଦ ରହିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ ସଭାପତି ବରଦା ପ୍ରସନ୍ନ ଆଚାର୍ଯ୍ୟ ।
ଏପଟେ ଆସନ୍ତା ବନ୍ଦ ପ୍ରଭାବରେ ରାଜ୍ୟରେ ଅଟୋ ସେବା ମଧ୍ୟ ପ୍ରଭାବିତ ହେବ। କାଲି ଗଡିବନି କୌଣସି ଅଟୋ । ରାଜଧାନୀ ଅଟୋ ଚାଳକ ସଂଘର ଆହ୍ୱାନ । ଆସନ୍ତାକାଲି ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀ ସମେତ ରାଜ୍ୟର ସମସ୍ତ ଜାଗାରେ ଅଟୋ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି । ସାରା ଓଡ଼ିଶାରେ ୧ ଲକ୍ଷରୁ ଅଧିକ ଅଟୋ ଚଳାଚଳ ବନ୍ଦ ରହିବାକୁ ଥିବା ବେଳେ, ଭୁବନେଶ୍ୱରରେ ୨୦ ହଜାରରୁ ଅଧିକ ଅଟୋ ରାସ୍ତାକୁ ଓହ୍ଲାଇବ ନାହିଁ । ବନ୍ଦ ସମୟରେ ଗାଡ଼ିର କ୍ଷତି ହେଲେ ଇନ୍ସୁରାନ୍ସ କ୍ଲେମ୍ ସୁବିଧା ନଥିବାରୁ ଅଟୋ ସେବା ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । କୌଣସି ପ୍ରକାରର ଅନଲାଇନ୍ କିମ୍ବା ଅଫଲାଇନ୍ ଅଟୋ ଚାଲିବ ନାହିଁ । ଗତକାଲି ଏନେଇ ଆସୋସିଏସନର ବୈଠକ ବସିଥିଲା । ଅଟୋ ଚଳାଚଳ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଏଥିରେ ନିଷ୍ପତି ନିଆଯାଇଛି। ନିଜ ଅଞ୍ଚଳରେ ଧାରଣାରେ ସାମିଲ ହେବା ପାଇଁ ମଧ୍ୟ ଅଟୋ ଚାଳକଙ୍କୁ କୁହାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।