ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଦୁଇ ବରିଷ୍ଠ ଅଧିକାରୀ ସୁଜିତ ରାଉଳ ଏବଂ ଅରୁଣ ବିଶ୍ୱାଳ ନିଲମ୍ବିତ । କଟକ ସର୍କଲ ଜେଲ ର ସିନିଅର ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ (ଓଏସ) ନିଲମ୍ବିତ । ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ଜେଲରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶରେ ଉଭୟଙ୍କୁ ନିଲମ୍ବନ କରାଯାଇଛି ।
ସୂଚନାନୁସାରେ, ସୁଜିତ କୁମାର ରାଉଳଙ୍କ ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଫେରାର ହେବା ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି । ଜେଲ୍ ମିନିଟ୍ ବୁକ୍ ଓ ଗେଟ୍ ରେଜିଷ୍ଟରରେ ଦସ୍ତଖତ ଜାଲିଆତି ଏବଂ ଅଫିସ ରେକର୍ଡ ହେରଫେର ମାମଲାରେ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଚୌଦ୍ୱାର ଥାନା ପୋଲିସ ତାଙ୍କୁ ଗିରଫ କରିଛି ।
ସେହିଭଳି, ଅରୁଣ କୁମାର ବିଶ୍ୱାଳଙ୍କ ନାଁରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ରହିଛି । ଜଣେ ଜୁନିୟର ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା, ଦୁଷ୍କର୍ମ, ଶାରୀରିକ ଆକ୍ରମଣ ଏବଂ ରାତି ଅଧରେ ତାଙ୍କ ଘର ସାମ୍ନାରେ ହଙ୍ଗାମା କରିବା ଅଭିଯୋଗରେ ଭୁବନେଶ୍ୱରର ଖାରବେଳନଗର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।