କ୍ରାଇମବ୍ରାଞ୍ଚରେ ପେନ ଡ୍ରାଇଭ ଦାଖଲ କଲେ ସୌମ୍ୟରଞ୍ଜନଙ୍କ ବାପା

Aug 11, 2026 - 15:35
କ୍ରାଇମବ୍ରାଞ୍ଚରେ ପେନ ଡ୍ରାଇଭ ଦାଖଲ କଲେ ସୌମ୍ୟରଞ୍ଜନଙ୍କ ବାପା

ଭୁବନେଶ୍ୱର : ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ନୂଆ ମୋଡ଼ । କ୍ରାଇମବ୍ରାଞ୍ଚରେ ପେନ ଡ୍ରାଇଭ ଦାଖଲ କଲେ ସୌମ୍ୟରଞ୍ଜନଙ୍କ ବାପା ଦୁଃଶାସନ ସ୍ୱାଇଁ । ସୋମବାର ଦିନ ସେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତକାରୀ ଅଧିକାରୀଙ୍କୁ ଏକ ପେନ୍‌ଡ୍ରାଇଭ୍ ହସ୍ତାନ୍ତର କରିଛନ୍ତି, ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ହ୍ୱାଟ୍ସଆପ୍ ଚାଟ୍, ଭଏସ୍ ମେସେଜ୍ ଏବଂ ଭିଜୁଆଲ୍ ପ୍ରମାଣ ରହିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା କ୍ରାଇମବ୍ରାଞ୍ଚ ର ତଦନ୍ତ ପ୍ରକ୍ରିୟା ଏବଂ ନିକଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌କୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୃତକଙ୍କ ବାପା । 

ସୂଚନା ଅନୁଯାୟୀ, ସୌମ୍ୟଙ୍କ ବାପା ଦୁଃଶାସନ ସ୍ୱାଇଁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ଭେଟି ଏହି ନୂଆ ପ୍ରମାଣ ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ନିକଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଲୁଚାଇ ଦିଆଯାଇଛି କିମ୍ବା ବାଦ୍ ଦିଆଯାଇଛି ଏବଂ ଆବଶ୍ୟକୀୟ ଦଫା ମଧ୍ୟ ଲଗାଯାଇନାହିଁ । ପ୍ରଥମେ କ୍ରାଇମବ୍ରାଞ୍ଚ ୨୭ ଜଣଙ୍କୁ ଗିରଫ କରିଥିବା କହୁଥିବା ବେଳେ ପରେ ଏହା ୨୦ ବୋଲି କହିଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ଏବେ ଜାମିନରେ ମୁକୁଳି ସାରିଲେଣି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।

କେବଳ ସେତିକି ନୁହେଁ, ଘଟଣା ଦିନ ସୌମ୍ୟଙ୍କ ସହ ଥିବା ତାଙ୍କ ସାଙ୍ଗ ଓମ୍ ପ୍ରକାଶ ରାଉତର ଭୂମିକାକୁ ନେଇ ମଧ୍ୟ ଦୁଃଶାସନ ସନ୍ଦେହ ପ୍ରକଟ କରିଛନ୍ତି । ଉଭୟ ଏକାଠି ଥିବା ବେଳେ ସୌମ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ ହେଲା ଏବଂ ତାଙ୍କ ଜୀବନ ଗଲା, କିନ୍ତୁ ଓମ୍‌ର ଦେହରେ ଟିକିଏ ବି ଖଣ୍ଡିଆ ଖାବରା ହେଲା ନାହିଁ କିପରି ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ସୌମ୍ୟରଞ୍ଜନଙ୍କ ହତ୍ୟା ପଛରେ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ତାଙ୍କ ପରିବାର ଆରମ୍ଭରୁ ଅଭିଯୋଗ କରିଆସୁଛନ୍ତି ।  

ଘଟଣାର ପ୍ରକୃତ ସତ୍ୟ ଏବଂ ପଛରେ ଥିବା ପ୍ରକୃତ ମାଷ୍ଟରମାଇଣ୍ଡ୍‌ ସାମ୍ନାକୁ ଆଣିବାକୁ ଲାଗି ପରିବାର ଲୋକ ତଦନ୍ତକାରୀ ଅଧିକାରୀଙ୍କୁ ଦାବି ଜଣାଇଥିଲେ। ଫେରାର ଥିବା ଅଭିଯୁକ୍ତଙ୍କ ଗିରଫଦାରୀ, କ୍ରାଇମବ୍ରାଞ୍ଚର ଖୋଳତାଡ଼ ଏବଂ ନୂତନ ଡିଜିଟାଲ ତଥ୍ୟର ସଂଗ୍ରହ ସତ୍ତ୍ୱେ ମାମଲାର ଅନେକ ପ୍ରଶ୍ନର ଉତ୍ତର ଏଯାଏଁ ଅସ୍ପଷ୍ଟ ରହିଛି। ସୌମ୍ୟ ବାପାଙ୍କ ଦ୍ୱାରା ଦିଆଯାଇଥିବା ପେନ୍‌ଡ୍ରାଇଭ୍ ତଥ୍ୟ ତଦନ୍ତକୁ କେଉଁ ଦିଗକୁ ମୋଡ଼ ଦେଉଛି ଏବଂ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ କିପରି ଆଗକୁ ବଢ଼ୁଛି, ସେଥିପ୍ରତି ସମସ୍ତଙ୍କ ନଜର ରହିଛି। 

ସୂଚନାଯୋଗ୍ୟ ଯେ, ଗତ ମେ’ ୭ ତାରିଖ ଦିନ ବାଲିଅନ୍ତାରେ ଏକ ସ୍କୁଟି ସହ ସୌମ୍ୟଙ୍କ ଗାଡ଼ିର ଧକ୍କା ହୋଇଥିଲା। ଏହାପରେ ଦୁଇ ମହିଳାଙ୍କ ସହ ତାଙ୍କର ବଚସା ହୋଇଥିଲା ଏବଂ ମହିଳାମାନେ ଅସଦାଚରଣର ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଉତ୍ୟକ୍ତ ଲୋକେ ଆଇନକୁ ନିଜ ହାତକୁ ନେଇ ସୌମ୍ୟଙ୍କୁ ନିର୍ଦ୍ଦୟ ଭାବେ ପିଟି ପିଟି ହତ୍ୟା କରିଥିଲେ । ଏହି ମାମଲାରେ ଏବେସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ବିରୋଧରେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଗିରଫଙ୍କ ମଧ୍ୟରୁ ୬ ଜଣଙ୍କୁ ଜାମିନ ମିଳି ସାରିଛି । ବର୍ତ୍ତମାନ ପରିବାର ଲୋକେ ଦେଇଥିବା ପେନ୍‌ଡ୍ରାଇଭ୍ ଏବେ ତଦନ୍ତର ଦିଗ ବଦଳାଇ ପ୍ରକୃତ ସତ୍ୟ ସାମ୍ନାକୁ ଆଣିବ ବୋଲି ଆଶା କରାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।