ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ
ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ସମ୍ପର୍କିତ କାମ କରାଇଦେବା ପାଇଁ RI ନିରଞ୍ଜନ ସିଂ ଜଣେ ଅଭିଯୋଗକାରୀଙ୍କୁ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଯୋଜନା କରାଯାଇଥିଲା। ଯୋଜନା ମୁତାବକ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ନିରଞ୍ଜନ ସିଂଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା।
ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଅଧିକାରୀମାନେ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହିତ ଅଭିଯୁକ୍ତ RIଙ୍କ ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି।
ଆୟବହିର୍ଭୂତ ସମ୍ପତ୍ତି ଥିବା ସନ୍ଦେହରେ ନିରଞ୍ଜନ ସିଂଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି। ଚଢ଼ାଉ ସମୟରେ ତାଙ୍କ ସମ୍ପତ୍ତି, ଦଲିଲପତ୍ର, ବ୍ୟାଙ୍କ ଖାତା ଓ ଅନ୍ୟାନ୍ୟ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।
ଲାଞ୍ଚ ନେବା ଅଭିଯୋଗରେ ମାମଲା ରୁଜୁ କରି ଭିଜିଲାନ୍ସ ଘଟଣାର ସବିଶେଷ ତଦନ୍ତ ଚଳାଇଛି। ଚଢ଼ାଉ ଓ ତଦନ୍ତ ଶେଷ ହେବା ପରେ ଅଭିଯୁକ୍ତ RIଙ୍କ ସମ୍ପତ୍ତି ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।