ଚୀନ ଅଭିମୁଖେ ଗଲେ ଉଦ୍ଧାର ହୋଇଥିବା ୨ ନାବିକ

Aug 29, 2026 - 13:28
ଚୀନ ଅଭିମୁଖେ ଗଲେ ଉଦ୍ଧାର ହୋଇଥିବା ୨ ନାବିକ

ପାରାଦୀପ : ପାରାଦୀପ ଛାଡ଼ିଲେ ଉଦ୍ଧାର ୨ କ୍ରିୟୁ ସଦସ୍ୟ । ଚୀନ ନାବିକ ପାନ ଟୋଙ୍ଗଲାଇ ଏବଂ ଚେନ୍ ଜିଆନହେ ଜାହାଜ ଏଜେନ୍ସୀ ସହାୟତାରେ ଗଲେ କୋଲକାତା ବାଣିଜ୍ୟ ଦୂତାବାସ । ସେଠାରୁ ଦୁଇ ନାବିକଙ୍କୁ ଚୀନ ଦୂତାବାସକୁ ହସ୍ତାନ୍ତର କରାଯିବ। ଗତକାଲି ତଦନ୍ତକାରୀ ସଂସ୍ଥା ନିକଟରେ ବଖାଣିଛନ୍ତି ସମୁଦ୍ର ଭିତରର ସଂଘର୍ଷର କାହାଣୀ । କୋଲକାତାସ୍ଥିତ ଚୀନ ବାଣିଜ୍ୟିକ ଦୂତାବାସ କାର୍ଯ୍ୟାଳୟରୁ ଆସିଥିବା ଦୁଇ ଜଣ ଅଧିକାରୀ ଭାଷା ଅନୁବାଦରେ ସହାୟତା କରିଥିଲେ ।

ଜାହାଜ ଓସେନ୍ ଓ୍ବିନରର ୨୪ କ୍ରିୟୁ ସଦସ୍ୟଙ୍କ ମଧ୍ୟରୁ ଉଦ୍ଧାର ହୋଇଛନ୍ତି ମାତ୍ର ଦୁଇ ଜଣ। ଭାରତୀୟ କୋଷ୍ଟଗାର୍ଡ ଜାହାଜ ‘ଭରଦ’ ମାଧ୍ୟମରେ ଏହି ଦୁଇ ଜଣ ଚୀନ ନାବିକ ପାନ ଟୋଙ୍ଗଲାଇ ଏବଂ ଚେନ୍ ଜିଆନହେଙ୍କୁ ସୁରକ୍ଷିତ ଭାବେ ସ୍ଥଳଭାଗକୁ ଅଣାଯାଇଥିଲା। ସେମାନଙ୍କୁ କମ୍ପାନୀର ପ୍ରତିନିଧି ଏବଂ ଇମିଗ୍ରେସନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଦୁଇ ନାବିକ ବର୍ଣ୍ଣନା କରିଛନ୍ତି ଜାହାଜ ବୁଡିବାର ସେ ଛାତିଥରା କାହାଣୀ। ଗତକାଲି ବିଭିନ୍ନ ଏଜେନ୍ସି ପକ୍ଷରୁ ୨ନାବିକଙ୍କୁ  ପଚରା ଯାଇଥିଲା ୬୭ ପ୍ରଶ୍ନ । ଜାହାଜ ବୁଡ଼ିବା ସମୟରେ କ’ଣ ଘଟିଥିଲା, କିପରି ସେମାନେ ଜୀବନ ବଞ୍ଚାଇଥିଲେ ଏବଂ ଅନ୍ୟ ନାବିକମାନଙ୍କ ସମ୍ପର୍କରେ କ’ଣ ତଥ୍ୟ ରହିଛି । ସେସବୁ ନେଇ ତଥ୍ୟ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । 

ସେମାନେ କହିଥିଲେ ଘଟଣା ଦିନ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ୨ଜଣ ଜାହାଜର ଉପରଭାଗ ଡେକରେ ଡ୍ୟୁଟି ସ୍ଥାନରେ ବିଶ୍ରାମ ନେଉଥିଲୁ । ଅନ୍ୟମାନେ ଭିତରେ ଥିଲେ। ହଠାତ ଜୋରରେ ଗର୍ଜନ କରି ଜରୁରି କାଳୀନ ସାଇରନ୍ ବାଜି ଉଠିଲା । ସେତେବେଳକୁ ଜାହାଜ ୩୦ରୁ ୪୦ ପ୍ରତିଶତ ବୁଡ଼ି ସାରିଥିଲା । ଚାରିଆଡ଼େ ଅନ୍ଧାର ଆଉ ପାଣି । ମନରେ ସେତେବେଳକୁ ଭୟ ଓ ଆତଙ୍କ। ଆମେ ମୋଟ ୧୦ ଜଣ ତଳକୁ ଡେଇଁଲୁ । ଚାହୁଁଚାହୁଁ ମାତ୍ର ୮ରୁ ୧୦ ମିନିଟ୍ ଭିତରେ ଆଖି ଆଗରେ ୧୪ ଜଣ ଜାହାଜ ସହ ଜଳସମାଧି ନେଇ ସାରିଥିଲେ । ଆମେ ଦୁଇ ଜଣ ଲାଇଫ୍ ରାଫ୍ଟରରେ ପଶି ଯାଇଥିଲୁ। ବାକି ୮ ଜଣ ଜାହାଜ ବୁଡ଼ିବା ସମୟରେ ଯେଉଁ ଭଉଁରି ସୃଷ୍ଟି ହୁଏ ସେହି ଗଭୀର ସମୁଦ୍ରରେ ବୁଡି ଯାଇଥିଲେ।’ ସମୁଦ୍ରରେ ଅଧିକ ରୋଲିଂ ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ବୁଡ଼ି ଯାଇଥିଲା ଜାହାଜ ଓସେନ୍ ଓ୍ବିନର। ଏବେବି ଜାହାଜ ର ଅନ୍ୟ ସଦସ୍ୟ ଏବଂ ଜାହାଜ ବୁଡିଥିବା ସ୍ଥାନର କୌଣସି ସଠିକ୍ ତଥ୍ୟ ମିଳିପାରି ନାହିଁ।ଚାଇନାର ଦୁଇଟି ଜାହାଜ ଓ ନ୍ୟାଭିର ଦୁଇଟି ଏୟାରକ୍ରାଫ୍ଟ ଦ୍ବାରା ସର୍ଚ୍ଚ ଅପରେସନ ଜାରି ରହିଛି ।

ସେପଟେ ଜାହାଜ ଓସେନ୍ ୱିନର୍ ବୁଡ଼ି ଘଟଣାକୁ ୮ ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ମିଳୁନି ନିଖୋଜ ୨୨ ନାବିକଙ୍କ ସନ୍ଧାନ। ଚାଇନାର ଦୁଇଟି ଜାହାଜ ଓ ନ୍ୟାଭିର ଦୁଇଟି ଏୟାରକ୍ରାଫ୍ଟ ଦ୍ବାରା ସର୍ଚ୍ଚ ଅପରେସନ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।