ଜମ୍ମୁ କାଶ୍ମୀରେ ଆତଙ୍କୀ ନିରୋଧ କାର୍ଯ୍ୟାନୁଷ୍ଠାନ ଜୋରଦାର
ଶ୍ରୀନଗର : ବଡ଼ ଧରଣର ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନରେ ଜମ୍ମୁ-କଶ୍ମୀର ପୁଲିସର କାଉଣ୍ଟର-ଇଣ୍ଟେଲିଜେନ୍ସ ଶାଖା ଶନିବାର ବଡ଼ି ଭୋର୍ ସମୟରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଅନଲାଇନ୍ରେ ଆତଙ୍କବାଦର ମହିମମେଣ୍ଡନ, ଯୁବକମାନଙ୍କୁ ଉଗ୍ରପନ୍ଥୀ କରିବା ଏବଂ ଆତଙ୍କବାଦୀ ସଂଗଠନରେ ନିଯୁକ୍ତି ସହ ଜଡ଼ିତ ଏକ ସନ୍ଦିଗ୍ଧ ନେଟୱର୍କ ବିରୋଧରେ ଏହି ଅଭିଯାନ ଚଳାଯାଇଛି। ବାରମୂଳା, ସୋପିଆନ, ଅନନ୍ତନାଗ, କୁପୱାଡ଼ା ଓ ବାନ୍ଦିପୁରାରେ ଏହି ବ୍ୟାପକ ଚଢ଼ଉ କରାଯାଇଛି। କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ସଂଗଠନଗୁଡ଼ିକ ନିଜର ନେଟୱର୍କକୁ ପୁଣି ସକ୍ରିୟ କରିବାକୁ ଚେଷ୍ଟା କରୁଥିବା ନେଇ ନୂଆ ଗୁଇନ୍ଦା ସୂଚନା ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି। ସୋପିଆନରେ ଜମ୍ମୁର ଏକ ଜେଲ୍ରେ ଥିବା ଉସମାନ ଗୁଲଜାରଙ୍କ ଘରେ ଚଢ଼ାଉ କରାଯାଇଥିଲା। ସୋପିଆନରେ ସୋସିଆଲ ମିଡିଆରେ ପ୍ରଚାର କରିବା ପାଇଁ ସିମ୍ କାର୍ଡର ଅପବ୍ୟବହାର କରାଯାଇଥିବା ଅଭିଯୋଗରେ ବାବର ଦାର ନାମକ ଜଣେ ବ୍ୟକ୍ତିଙ୍କ ଘରେ ପୁଲିସ ଚଢ଼ଉ କରିଥିବା ଜଣାପଡ଼ିଛି। ବାନ୍ଦିପୁରାରେ ଅନଲାଇନ୍ ମାଧ୍ୟମରେ ଧ୍ରୁବିକରଣ କରାଯାଉଥିବା ଅଭିଯୋଗରେ ଲାଲି ନାମକ ଜଣେ ମହିଳାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଆତଙ୍କବାଦର ଗୁଣଗାନ କରିବା ଏବଂ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନରେ ଯୋଗଦେବା ପାଇଁ ପ୍ରଲୋଭିତ କରିବାରେ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବସ୍ଥିତ ଅପବ୍ୟବହାର ସମ୍ପର୍କିତ ଏକ ମାମଲା ସହ ଏହି ଚଢ଼ଉ ଗୁଡ଼ିକ ଜଡ଼ିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।