ଦିଲ୍ଲୀରେ ପୁଲିସ ସବ୍‌ଇନ୍ସପେକ୍ଟରଙ୍କ ପୁଅଙ୍କ ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

Aug 08, 2026 - 14:45
ଦିଲ୍ଲୀରେ ପୁଲିସ ସବ୍‌ଇନ୍ସପେକ୍ଟରଙ୍କ ପୁଅଙ୍କ ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପ୍ରାତଃ ଭ୍ରମଣ ପାଇଁ ଘରୁ ବାହାରିଥିବା ଜଣେ ବୃଦ୍ଧା ମହିଳାଙ୍କର ଦିଲ୍ଲୀର ନରେଲା ଅଞ୍ଚଳରେ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଦ୍ରୁତ ଗତିରେ ଆସୁଥିବା ଏକ ମର୍ସିଡିଜ୍‌ ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେବା ପରେ ଏହି ଦୁଃଖଦ ଘଟଣା ଘଟିଛି। ମମୁରପୁରର ହିମାଳୟ ଆପାର୍ଟମେଣ୍ଟସ୍‌ ବାହାରେ ଆଜି ସକାରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ଖେଳାଇ ଦେଇଛି। ମୃତ ମହିଳାଙ୍କୁ ସ୍ଥାନୀୟ ବାସିନ୍ଦା ୭୦ ବର୍ଷୀୟା ଉର୍ମିଳା ବୋଲି ଚିହ୍ନଟ କରାଯାଇଛି। ଅନ୍ୟପକ୍ଷେ ମର୍ସିଡିଜ୍‌ ଚଳାଉଥିଲେ ହରିୟାଣା ପୁଲିସର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ପୁଅ ଶୁଭମ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଦୁର୍ଘଟଣା ସମୟରେ ଶୁଭମ ନିଶାରେ ଥିଲେ। ପୁଲିସ ଘଟଣାସ୍ଥଳରୁ ତାଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ସମୟରେ ମର୍ସିଡିଜ୍‌ଟି ଏକ ୱାଗନ୍‌ରକୁ ସାମ୍ନାପଟୁ ଧକ୍କା ଦେଇଥିଲା। ଧକ୍କାର ପ୍ରଭାବରେ ୱାଗନ୍‌ରଟି ପଛକୁ ଛିଟିକି ଯାଇ କିଛି ଦୂରରେ ରଖାଯାଇଥିବା ଏକ ତିନିଚକିଆ ଲୋଡିଂ ଭ୍ୟାନ୍‌ରେ ଧକ୍କା ଖାଇଥିଲା । ଉର୍ମିଳା ତିନିଚକିଆ ଗାଡ଼ି ଓ ୱାଗନ୍‌ଆର୍‌ ମଧ୍ୟରେ ଫସି ଯାଇଥିଲେ। ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି। ୱାଗନ୍‌ର୍‌ର ଚାଳକ ସାମାନ୍ୟ ଆହତ ହୋଇଥିଲେ ଏବଂ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ଶୁଭମ ନିଶାଶକ୍ତ ଅବସ୍ଥାରେ ଥିଲେ ଏବଂ ମର୍ସିଡିଜ୍‌କୁ ଅତ୍ୟନ୍ତ ଦ୍ରୁତ ଗତିରେ ଚଲାଉଥିଲେ। ଦୁର୍ଘଟଣା ପରେ ଡ୍ରାଇଭର୍‌ ସିଟ୍‌ରେ ବସିଥିବା ଶୁଭମଙ୍କୁ ଅତ୍ୟନ୍ତ ବିଚଳିତ ଅବସ୍ଥାରେ ଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଗାଡ଼ିର କପ୍‌ ହୋଲ୍ଡରରେ ଏକ ମଦ ବୋତଲ ରଖାଯାଇଥିବା ମଧ୍ୟ ଦେଖାଯାଇଛି। ଏହି ଦାମୀ ମର୍ସିଡିଜ୍‌ ଜଣେ ବନ୍ଧୁଙ୍କର ବୋଲି ଜଣାପଡ଼ିଛି। ଶୁଭମ ଗୋଟିଏ ଦିନ ପୂର୍ବରୁ ଏକ ଯାତ୍ରା ପାଇଁ ବନ୍ଧୁଙ୍କଠାରୁ ଗାଡ଼ିଟି ଧାର ନେଇଥିଲ। ଗିରଫ ପରେ ଶୁଭମଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ସେ ମଦ ପିଇଥିଲେ କି ନାହିଁ, ଏହା ନିଶ୍ଚିତ କରିବା ପାଇଁ ପୁଲିସ ଏବେ ଡାକ୍ତରୀ ରିପୋର୍ଟକୁ ଅପେକ୍ଷା କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।