ଡିଜିପି ଚୟନ ଦ୍ୱନ୍ଦ୍ୱ,୧୩ ରେ UPSC ବୈଠକ
ଭୁବନେଶ୍ୱର : କିଏ ହେବ ରାଜ୍ୟର ପରବର୍ତ୍ତୀ ଡିଜିପି । ଲଢେଇ ତୀବ୍ର ହେଉଥିବାବେଳେ ସୁପ୍ରିମକୋର୍ଟରେ ହେବ ଏହାର ଶୁଣାଣି । ଜଣେ କନିଷ୍ଠ ଅଧିକାରୀଙ୍କୁ ଡିଜିପି ଲିଷ୍ଟରେ ସାମିଲ କରିବାକୁ ଉଦ୍ୟମ କରାଯାଉଥିବା ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ଦାୟର କରି ପକ୍ଷ ରଖିଛନ୍ତି ବରିଷ୍ଠ ଆଇନଜିବୀ.ପି.ଚିଦମ୍ବରମ । ଏହା ସୁପ୍ରିମକୋର୍ଟଙ୍କ ୨୦୦୬ ମସିହାର ପ୍ରକାଶ ସିଂହ ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି ।
ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାକୁ ଆସନ୍ତାକାଲି ତାଲିକାଭୁକ୍ତ କରିବାକୁ ସମ୍ମତି ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ମାମଲାଟି ଉପସ୍ଥାପନ କରିଥିଲେ । DGP ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ଉଠିଥିବାବେଳେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି । ଆସନ୍ତାକାଲି ଅଗଷ୍ଟ ୧୨, ବୁଧବାର ମାମଲାର ଶୁଣାଣି ହେବ।
ଚିଦାମ୍ବରମ୍ ଅଭିଯୋଗ କରିଛନ୍ତି ଯେ, DGP ନିଯୁକ୍ତି ପାଇଁ ରାଜ୍ୟ ସରକାର ପୂର୍ବରୁ UPSCକୁ ପଠାଇଥିବା ପ୍ୟାନେଲକୁ ପ୍ରତ୍ୟାହାର କରିଛନ୍ତି। ଏବେ ନୂଆ ପ୍ୟାନେଲ୍ ପ୍ରସ୍ତୁତ କରାଯାଉଛି। ଏହି ନୂଆ ତାଲିକାରେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁନଥିବା ଜଣେ ADGPଙ୍କୁ ପ୍ରଥମେ DGP ପାହ୍ୟାକୁ ପଦୋନ୍ନତି ଦେଇ ତାଙ୍କ ନାମ UPSCକୁ ପଠାଇବାକୁ ଚେଷ୍ଟା ହେଉଥିବା ସେ ଦାବି କରିଛନ୍ତି।
ତାଙ୍କ ଅନୁସାରେ, ଏପ୍ରିଲରେ ରାଜ୍ୟ ସରକାର UPSCକୁ ଏକ ପ୍ୟାନେଲ୍ ପଠାଇଥିଲେ । ପରେ ତାହା ପ୍ରତ୍ୟାହାର ହୋଇଥିଲା । ମେ’ ମାସରେ ୩ ଜଣ DGP ଓ ୮ ଜଣ ADGPଙ୍କୁ ନେଇ ଆଉ ଏକ ପ୍ୟାନେଲ୍ ପଠାଯାଇଥିଲା । ଅଗଷ୍ଟ ୭ରେ UPSC କେବଳ DGP ପାହ୍ୟାର ଅଧିକାରୀଙ୍କୁ ବିଚାର କରାଯିବ ବୋଲି ସ୍ପଷ୍ଟ କରିଥିବା ଚିଦାମ୍ବରମ୍ କୋର୍ଟଙ୍କୁ ଜଣାଇଛନ୍ତି ।
ଶୁଣାଣି ବେଳେ CJI ସୂର୍ଯ୍ୟକାନ୍ତ କହିଛନ୍ତି ଯେ, କେଉଁ ଅଧିକାରୀ ଯୋଗ୍ୟ ଏବଂ କାହାକୁ ବିଚାର କରାଯାଇପାରିବ, ସେନେଇ UPSC ଭଲ ଭାବରେ ଅବଗତ । ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ UPSC ପଦକ୍ଷେପ ନେବ ବୋଲି CJI ଆଶା ପ୍ରକାଶ କରିଛନ୍ତି । “ଆମେ ଆଶା କରୁଛୁ UPSC ଆମ ରାୟକୁ ପାଳନ କରିବ,” ବୋଲି CJI କହିଛନ୍ତି ।
ରାୟରେ ଏହା ମଧ୍ୟ କୁହାଯାଇଥିଲା ଯେ, ଥରେ ଜଣେ ଅଧିକାରୀଙ୍କୁ DGP ପଦ ପାଇଁ ଚୟନ କରାଯିବା ପରେ, ତାଙ୍କର ଅବସର ତାରିଖ ଯାହା ହେଉନା କାହିଁକି, ଅତିକମରେ ଦୁଇ ବର୍ଷର କାର୍ଯ୍ୟକାଳ ରହିବା ଆବଶ୍ୟକ। ଚିଦାମ୍ବରମ କହିଥିଲେ ଯେ, ଓଡ଼ିଶା ସରକାର ଜଣେ ଅଯୋଗ୍ୟ ଅଧିକାରୀଙ୍କୁ UPSCକୁ ପଠାଯିବାକୁ ଥିବା ପ୍ୟାନେଲରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି ।
ଅଗଷ୍ଟ ୧୨ର ଶୁଣାଣିରେ ସୁପ୍ରିମକୋର୍ଟ କ’ଣ ନିର୍ଦ୍ଦେଶ ଦେବେ ଏବଂ ଓଡ଼ିଶାର ପରବର୍ତ୍ତୀ DGP ଚୟନ ପ୍ରକ୍ରିୟା କେଉଁ ଦିଗକୁ ଯିବ, ଏବେ ସମସ୍ତଙ୍କ ନଜର ସର୍ବୋଚ୍ଚ ଅଦାଲତଙ୍କ ଉପରେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।