ଦିଲ୍ଲୀର ୩ ସ୍କୁଲକୁ ବୋମା ଧମକ
ନୂଆଦିଲ୍ଲୀ : ମଙ୍ଗଳବାର ଦିଲ୍ଲୀର ଅତି କମ୍ରେ ତିନୋଟି ସ୍କୁଲକୁ ବୋମା ଧମକ ଥିବା ଇମେଲ୍ ଆସିଥିଲା। ଏହା ପରେ ସ୍କୁଲ ପରିସରରେ ସୁରକ୍ଷା ଯାଞ୍ଚ କରାଯିବା ସହ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ଦିଲ୍ଲୀ ଫାୟାର ସର୍ଭିସ୍ ଅନୁଯାୟୀ ଧୌଲା କୁଆଁ ଅଞ୍ଚଳର ଆର୍ମି ପବ୍ଲିକ୍ ସ୍କୁଲରୁ ସକାଳ ୧୧.୩୦ ମିନିଟ୍ରେ ଫୋନ୍ ଆସିଥିଲା। ଏହା ପରେ ତୁରନ୍ତ ଏକ ଫାୟାର ଟେଣ୍ଡର ଘଟଣାସ୍ଥଳକୁ ପଠାଯାଇଥିଲା। ଡିଏଫ୍ଏସ୍ର ଜଣେ ଅଧିକାରୀ କହିଛନ୍ତି ଯେ, ବ୍ୟାପକ ଯାଞ୍ଚ ପରେ ଦିନ ଗୋଟାଏ ୫ ମିନିଟ୍ରେ ବୋମା ଧମକକୁ ମିଥ୍ୟା ବୋଲି ଘୋଷଣା କରାଯାଇଥିଲା। ବ୍ରିଟିଶ୍ ସ୍କୁଲକୁ ମଧ୍ୟ ବୋମା ଧମକ ଥିବା ଇମେଲ୍ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ସେଠାରେ ମଧ୍ୟ ଯାଞ୍ଚ ପରେ ଧମକଟି ମିଥ୍ୟା ବୋଲି ଜଣାପଡ଼ିଥିଲା। ସୁରକ୍ଷାକର୍ମୀମାନେ ସ୍କୁଲର କୋଠାଗୁଡ଼ିକ ସହ ଆଖପାଖ ଅଞ୍ଚଳରେ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ସାମଗ୍ରୀ ଅଛି କି ନାହିଁ, ତାହା ଯାଞ୍ଚ କରିଥିଲେ। ଏହା ସହିତ ପୋଲିସ ଧମକ ଇମେଲ୍ର ଉତ୍ସ ଖୋଜିବା ସହ ଇମେଲ୍ରେ ଦିଆଯାଇଥିବା ଧମକର ବିବରଣୀକୁ ମଧ୍ୟ ଯାଞ୍ଚ କରୁଛି। ଅଧିକାରୀଙ୍କ କହିବା ଅନୁସାରେ, ଯାଞ୍ଚ ସମୟରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ବସ୍ତୁ ମିଳିନଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ ଯାଞ୍ଚ ଶେଷ କରିବା ପରେ ଧମକକୁ ମିଥ୍ୟା ବୋଲି ଘୋଷଣା କରାଯାଇଥିଲା। ଅନ୍ୟପକ୍ଷେ ସର୍ଦାର ପଟେଲ୍ ବିଦ୍ୟାଳୟ ଏକ ନୋଟିସ୍ ଜାରି କରି କହିଛି ଯେ, ସୁରକ୍ଷା ସମ୍ପର୍କିତ ଧମକ ମିଳିବା ପରେ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍କୁଲ ପରିସରରୁ ବାହାରକୁ ନିଆଯାଇଥିଲା। ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ପୋଲିସ ଆବଶ୍ୟକ ପଦକ୍ଷେପ ନେଇଥିଲା। ସ୍କୁଲ୍ ଅନୁସାରେ, ମିଡିଲ୍ ସ୍କୁଲ୍ର ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଶେଷ କରିଥିଲେ, ଯେତେବେଳେ ସିନିୟର ସ୍କୁଲ୍ର ଛାତ୍ରଛାତ୍ରୀମାନେ ମଧ୍ୟ ଅଧିକାଂଶ ପରୀକ୍ଷା ଶେଷ କରିଥିଲେ। ଧମକ ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।