ନରେନ୍ଦ୍ର ସାହୁ ଅପହରଣ ମାମଲା: ଦେଢ଼ମାସ ପରେ ବି ୬ ଅଭିଯୁକ୍ତଙ୍କ ପତ୍ତା ନାହିଁ
ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ଦେଢ଼ମାସ ପରେ ବି ପୋଲିସ ହାତ ଖାଲି। ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆହୁରି ୬ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଅନ୍ୟପଟେ ଦୁଇଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ କ୍ଷିତିଶ ସାହୁଙ୍କୁ ଜେରା କରାଯାଇଥିଲେ ମଧ୍ୟ ଟଙ୍କା ଉଧାରି ସମ୍ପର୍କିତ କଥାକୁ ଛାଡ଼ି ଅନ୍ୟ କୌଣସି ସୂଚନା ଦେଉନଥିବା ଜଣାପଡ଼ିଛି। ଏହି ହାଇପ୍ରୋଫାଇଲ ଅପହରଣ ମାମଲାରେ ପୋଲିସ କ୍ଷିତିଶ ସାହୁ, ତାଙ୍କ ସବ୍-ଇନ୍ସପେକ୍ଟର ଭଉଣୀ ସ୍ନେହାମଞ୍ଜରୀ ସାହୁ, ଭୁବନେଶ୍ୱରର କ୍ରାଇମ୍ ରିପୋର୍ଟର ସଞ୍ଜୟ ଜେନା ଏବଂ ବଲାଙ୍ଗୀର ତୁଳସୀନଗରର ସଞ୍ଜିତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅପହରଣ ଘଟଣାରେ ସମ୍ପୃକ୍ତ ଆହୁରି ୬ ଜଣ ଏବେବି ଫେରାର ଥିବାବେଳେ ଖୁବ୍ଶୀଘ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅପହରଣର ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ନରେନ୍ଦ୍ର ସାହୁଙ୍କୁ ଉଦ୍ଧାର କରିଥିଲା ପୋଲିସ। ଏହାସହ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳର କ୍ଷିତିଶ ସାହୁଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କ ଭଉଣୀ ସ୍ନେହାମଞ୍ଜରୀ ସାହୁ, କ୍ରାଇମ୍ ରିପୋର୍ଟର ସଞ୍ଜୟ ଜେନା ଏବଂ ସହଯୋଗୀ ସଞ୍ଜିତ ବେହେରାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ପ୍ରଥମେ ଅପହରଣ ପଛରେ ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ଥିବା ନେଇ ତତ୍କାଳୀନ ଉତ୍ତରାଞ୍ଚଳ ଆଇଜି ଏବଂ ବଲାଙ୍ଗୀର ଏସ୍ପି ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ନିଜ ବୟାନରେ ପରିବର୍ତ୍ତନ କରି ନରେନ୍ଦ୍ରଙ୍କୁ ଅପହରଣ କରି ମୁଣ୍ଡଜାମିନ ବାବଦରେ ୫୦ ଲକ୍ଷ ଟଙ୍କା ଦାବି କରାଯାଇଥିବା କହିଥିଲା। ଘଟଣାରେ ବ୍ୟବହୃତ କ୍ଷିତିଶଙ୍କ କାର୍, ପିସ୍ତଲ ଓ ୬ଟି ଗୁଳି ସହ ଗିରଫ ଅଭିଯୁକ୍ତମାନଙ୍କ ମୋବାଇଲ ଜବତ କରିଛି ପୋଲିସ। ତେବେ ନରେନ୍ଦ୍ର ସାହୁଙ୍କ ମୋବାଇଲ ଏବେ କେଉଁଠି, ସେନେଇ ପୋଲିସ ଏପର୍ଯ୍ୟନ୍ତ କୌଣସି ସୁରାକ ପାଇନାହିଁ। ଫେରାର ଅଭିଯୁକ୍ତଙ୍କୁ ଧରିବା ସହ ମାମଲାର ଅନ୍ୟାନ୍ୟ ଦିଗର ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।