ନିଆରା ପରମ୍ପରା ; ପାଟପୁର ପୋଲିସର ପଥର ଉଠା କାର୍ଯ୍ୟକ୍ରମ, ଥାନା ଅଧିକାରୀ….

Oct 22, 2026 - 16:23
ନିଆରା ପରମ୍ପରା ; ପାଟପୁର ପୋଲିସର ପଥର ଉଠା କାର୍ଯ୍ୟକ୍ରମ, ଥାନା ଅଧିକାରୀ….

ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପରିସରରେ ପବିତ୍ର ଦଶହରା ପୂଜା ପୂର୍ବରୁ ଗଙ୍ଗାମାତା ଆବାହନ ସମୟରେ ପ୍ରତିବର୍ଷ ଏକ ନିଆରା ପରମ୍ପରା ପାଳନ କରାଯାଉଛି । ଚଳିତବର୍ଷ ଥାନା ଅଧିକାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ବୃନ୍ଦ ପାଟପୁର ନୋଡାଲ ହାଇସ୍କୁଲ ନିକଟ ଶ୍ରୀ ଜଗନ୍ନାଥ ମନ୍ଦିର ଆଡ଼ପ ଘର ଠାରୁ କିଛି ଦୂରରେ ଥିବା ବଟେଶ୍ୱରୀ ଛକରେ କେଉଁ ଆବହମାନ କାଳରୁ ପଡ଼ିଥିବା ଗୋଲାକୃତି ମୁଗୁନି ପଥରକୁ ପୂଜା କରିବା ପରେ ଉକ୍ତ ପଥର ଉଠା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଜନଗହଳି ହୋଇଥିଲା।

ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଏବଂ ସାଥିରେ ଥିବା କିଛି ପୋଲିସ କର୍ମଚାରୀ ଏହି ପଥର ଉଠାଇଥିଲେ । କିନ୍ତୁ ଉକ୍ତ ପଥରକୁ ଉଠାଇ ପାରିନଥିଲେ । ଅନ୍ୟ କିଛି ବ୍ୟକ୍ତି ପଥରକୁ ଉଠାଇବା ପାଇଁ ବହୁବାର ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ଅସଫଳ ହୋଇଥିଲେ । ଜଣେ ଦୁଇଜଣ ଯୁବକ ଉକ୍ତ ପଥରକୁ ଅନେକାଂଶ ରେ ଉଠାଇବା ପରେ ଥାନା ପକ୍ଷରୁ ଉପସ୍ଥିତ ପୋଲିସ ଅଧିକାରୀ ବୃନ୍ଦ ସେମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ପରେ ବାଦ୍ୟ ବାଜଣା ସହକାରେ ନିକଟସ୍ଥ ବିଶ୍ୱାସରାୟ ପୋଖରୀରେ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ବୃନ୍ଦ ପହଞ୍ଚି ଥାନାରେ ଦଶହରା ପୂଜା ପାଇଁ ଗଙ୍ଗାମାତାଙ୍କୁ ଆବାହନ କରି ବିଲ୍ଵ ବରଣ ପୂଜା ପୂର୍ବକ ସେଠାରୁ ପୂର୍ଣ୍ଣ ଜଳକଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଥାନା ପରିସରରେ ପହଞ୍ଚିଥିଲେ।

ସ୍ୱାଧୀନତା ପୂର୍ବରୁ ସେଠାରେ ଦେବୀ ମା ‘ ଦୂର୍ଗାଙ୍କ ସନ୍ତୁଷ୍ଟି ପାଇଁ ଥାନା ପକ୍ଷରୁ ଛାଗ ବଳି ଦିଆଯାଉଥିଲା। ବହୁ ବର୍ଷ ହେଲା ବଳି ପରମ୍ପରା ବନ୍ଦ ହୋଇଯାଇଥିଲେ ମଧ୍ୟ ଏବେବି ଥାନା ପକ୍ଷରୁ ପଥର ଉଠା ପୂଜା କାର୍ଯ୍ୟକ୍ରମ ଚାଲୁ ରହିଛି । ଗ୍ରାମର ବୟସ୍କ ବ୍ୟକ୍ତିମାନଙ୍କ ସୂଚନା ପ୍ରକାରେ ତାଙ୍କ ବାପ ଅଜା ଅମଳରୁ ସେମାନେ ଏହି ନିଆରା ପରମ୍ପରା ଦେଖି ଆସୁଛନ୍ତି । ଇଂରେଜ ଅମଳରେ ଗ୍ରାମର ଜଣେ ମଲ୍ଲ ଯୋଦ୍ଧା ଏହି ପଥର କୁ ନିକଟସ୍ଥ ପାହାଡ଼ରୁ ଆଣି ସେଠାରେ ରଖିଥିଲେ । ପ୍ରତିବର୍ଷ ଶରତ ଋତୁ ରେ ଥାନା ପରିସରରେ ଅନୁଷ୍ଠିତ ହେଉଥିବା ମା ‘ ଦୂର୍ଗା ଙ୍କ ଶାରଦୀୟ ପୂଜା ଅବସରରେ ପୋଲିସ ବାହିନୀ ଗଙ୍ଗା ଆବାହନ ଓ ବିଲ୍ଵ ବରଣ ପାଇଁ ପୋଖରୀକୁ ଆସିଲେ ସେମାନଙ୍କ ବଳ କସିବା ପାଇଁ ଏହି ଗୋଲାକୃତ ପଥରରେ ଜଡ଼ା ଲଗାଇ ତାକୁ ଉଠାଇବା ପାଇଁ କୁହାଯାଉଥିଲା।

ସେମାନେ ପଥର ଉଠାଇ ପାରୁନଥିଲେ । କିନ୍ତୁ ମଲ୍ଲ ଯୋଦ୍ଧା ଜଣକ କୌଶଳ କ୍ରମେ ଉକ୍ତ ପଥରକୁ ଅତି ସହଜରେ ଉଠାଇ ଦେଉଥିଲେ। କୌଣସି ପୋଲିସ କର୍ମଚାରୀ ସମସ୍ତ ବଳ ପ୍ରୟୋଗ କରି ପଥର ଉଠାଇ ପାରିଲେ ତାଙ୍କୁ ସେଠାରେ ପଗଡ଼ି ବନ୍ଧାଯାଇ ପୁରସ୍କୃତ କରାଯାଉଥିଲା। ଏହି ପାରମ୍ପରିକ ପଥରଉଠା କାର୍ଯ୍ୟକ୍ରମ ଦ୍ବାରା ପୋଲିସ ବାହିନୀ ସାଧାରଣ ଜନତାଙ୍କ ନିକଟତର ହୋଇପାରୁଥିଲେ । ସେମାନଙ୍କ ମଧ୍ୟରେ ସୁ- ସମ୍ପର୍କ ଗଢ଼ି ଉଠୁଥିଲା। ପୋଲିସ ଲୋକଙ୍କ ଠାରୁ ଅପରାଧ  ଓ ଅପରାଧୀ ଙ୍କ ସମ୍ପର୍କରେ ସଠିକ୍ ସୂଚନା ହାସଲ କରିପାରୁଥିଲେ । ସମୟ ବହୁତ ବଦଳି ଯାଇଛି । କିନ୍ତୁ ପାଟପୁର ଗାଁରେ ଏହି ନିଆରା ପରମ୍ପରା ଏବେବି ବଞ୍ଚି ରହିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।