ନେପାଳରେ ବିଭୀଷିକା : ୨୮୮ ଭାରତୀୟ ନିଖୋଜ ,ଲାଇନ ନମ୍ବର ଜାରି

Aug 27, 2026 - 15:58
ନେପାଳରେ ବିଭୀଷିକା : ୨୮୮ ଭାରତୀୟ ନିଖୋଜ ,ଲାଇନ ନମ୍ବର ଜାରି

ନୂଆଦିଲ୍ଲୀ : ନେପାଳରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା । ହଠାତ୍ ଆସିଲା ଆଉ ଆଖି ପିଛୁଳାକେ ସବୁ କିଛି ଶେଷ ହୋଇଗଲା । କିଏ କିଛି ବୁଝିବା ଆଗରୁ ପ୍ରକୃତିର କରାଳ ରୂପରେ ସବୁ କିଛି ହଜି ଯାଇଥିଲା । ନେପାଳରେ ଜଳ ପ୍ରଳୟରେ ଦୃଶ୍ୟ ଖୁବ୍ ହୃଦୟବିଦାରକ । ତିବ୍ଦତରୁ ଆସିଥିବା ଏହି ଭୟଙ୍କର ବନ୍ୟା ନେପାଳର ମଧ୍ୟଭାଗକୁ ପ୍ରବାହିତ ହେବା ପରେ ପ୍ରାୟ ୧୬୫ଜଣଙ୍କର ମୃତ୍ୟୁ ଘଟିଛି ।  ୧୩୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଭାଇରାଲ ହେଉଥିବା ଅନେକ ଭିଡିଓ ଛାତିଥରା ମଧ୍ୟ। ଏହି ମହାପ୍ରଳୟରେ ଅନେକ ଜୀବନ ଚାଲିଯାଇଥିବା ବେଳେ ମୃତଦେହ ଓ ଅନେକ ଜୀବନକୁ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଛି। ଅନେକ ଭାରତୀୟ ମଧ୍ୟ ନିଖୋଜ ରହିଛନ୍ତି । ଏହା ମଧ୍ୟରେ କିଛି ଓଡ଼ିଆ ଥିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଲକ୍ଷ୍ୟ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସଠାରେ ଏକ 24x7 କଂଟ୍ରୋଲ ରୁମ୍ ଖୋଲାଯାଇଛି ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ନେପାଳ ଦୁର୍ଘଟଣାରେ ୨୮୮ ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି । ଏମାନଙ୍କ ମଧ୍ୟରୁ ୭୩ ଜଣ ତ୍ରିଶୂଳୀ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି । ଏହା ବ୍ୟତୀତ, ତାମିଲନାଡୁର ୩୭ ଏବଂ ୩୯ ଜଣଙ୍କ ଦୁଇଟି ଗୋଷ୍ଠୀ କୈଳାସ ମାନସରୋବର ଯାତ୍ରାରେ ଅଛନ୍ତି । ପଶ୍ଚିମବଙ୍ଗର ୩୨ ଜଣଙ୍କର ଏକ ତୃତୀୟ ଗୋଷ୍ଠୀ ମଧ୍ୟ କୈଳାସ ମାନସରୋବର ଯାତ୍ରାରେ ଅଛନ୍ତି । ବିଭିନ୍ନ ରାଜ୍ୟରୁ ଆହୁରି ୬୧ ଜଣ ନେପାଳରେ ନିଖୋଜ ଅଛନ୍ତି । ଏହା ବ୍ୟତୀତ, କେରଳର ୩୩ ଜଣଙ୍କର ଏକ ଗୋଷ୍ଠୀ ନେପାଳରେ ନିଖୋଜ ଅଛି। ଏହିପରି, କୈଳାସ ମାନସରୋବର ଯାତ୍ରାରେ ମୋଟ ପାଞ୍ଚଟି ଗୋଷ୍ଠୀ ନିଖୋଜ ଅଛନ୍ତି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ତାମିଲନାଡୁର ୨୧ ଜଣ ନିଖୋଜ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ଏବଂ ଖୁବ୍ ଶୀଘ୍ର ସେମାନଙ୍କୁ କାଠମାଣ୍ଡୁରୁ ନୂଆଦିଲ୍ଲୀ ଫେରାଇ ଅଣାଯିବ। ସେ ଏହା ମଧ୍ୟ କହିଛନ୍ତି ଯେ ଅନେକ କୈଳାସ ମାନସରୋବର ତୀର୍ଥଯାତ୍ରୀ ମଧ୍ୟ ଚୀନରେ ଫସି ରହିଛନ୍ତି, ପ୍ରାୟ ୨୦୦ ଜଣ ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଭାରତ ଫେରାଇ ଅଣାଯିବ ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି । କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଆକସ୍ମିକ ବନ୍ୟା ଦ୍ୱାରା ପ୍ରଭାବିତ ଭାରତୀୟ ନାଗରିକଙ୍କ ସହ ଜଡିତ ସହାୟତା ଏବଂ ସୂଚନା ପାଇଁ ଜରୁରୀକାଳୀନ ନମ୍ବର ଜାରି କରିଛି । Xରେ ଏକ ପୋଷ୍ଟରେ, କୁହାଯାଇଛି ଯେ, ଲୋକମାନେ +977 985 131 6807 କିମ୍ବା +977 970 910 7500ରେ ଯୋଗାଯୋଗ କରିପାରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।