ପୋଲିସ ହାବୁଡ଼ରେ ୨ ଗଞ୍ଜେଇ ବେପାରୀ

Oct 26, 2026 - 15:40
ପୋଲିସ ହାବୁଡ଼ରେ ୨ ଗଞ୍ଜେଇ ବେପାରୀ

ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ): ଦଶହରା ଏବଂ କୁମାର ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲାରେ ଜୁଆ ଖେଳ ବୃଦ୍ଧି ପାଉଥିବା ବେଳେ ଚୋରି, ବନ୍ୟପ୍ରାଣୀ ଶିକାର ଏବଂ ବେଆଇନ ଗଞ୍ଜେଇ କାରବାର ମଧ୍ୟ ଚିନ୍ତାର କାରଣ ପାଲଟିଛି। ଫଳରେ ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଭଞ୍ଜନଗର ପୋଲିସ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲାର ସମନ ପ୍ରଧାନ ଓ ଉଧେଶ୍ୱର ପ୍ରଧାନ। ପୋଲିସ ସେମାନଙ୍କଠାରୁ ୫୧ କେଜି ଗଞ୍ଜେଇ ସହ ଦୁଇଟି ବାଇକ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ରବିବାର ଏସ୍‌ଆଇ ଏଲ.ଡି. ମହାନ୍ତି ଡହ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ପରେ ସେମାନଙ୍କଠାରୁ ଗଞ୍ଜେଇ ଓ ଦୁଇଟି ବାଇକ ଜବତ କରାଯାଇଥିଲା। ବାରମ୍ବାର ଏହି ଘଟଣା ପରେ ଅଞ୍ଚଳରେ ବେଆଇନ ଗଞ୍ଜେଇ କାରବାର ରୋକିବା ପାଇଁ ପୋଲିସର ତଦାରଖ ଓ ପାଟ୍ରୋଲିଂ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।