ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ସମୟ ସାରଣୀରେ ପରିବର୍ତ୍ତନ

Aug 17, 2026 - 11:04
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ସମୟ ସାରଣୀରେ ପରିବର୍ତ୍ତନ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳ ରବିବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଏହା ଅବପାତ ରୂପ ନେବା ସମ୍ଭାବନା ରହିଛି । ରାଜ୍ୟରେ ଭୟଙ୍କର ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବ ପ୍ରସ୍ତୁତ ପରୀକ୍ଷା ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି । ସୋମବାର ହେବାକୁ ଥିବା ସ୍ନାତକ, ବିଏସ୍‌ସି , ଆଇଟିଏମ୍, ବିଏସ୍‌ସି  କମ୍ପ୍ୟୁଟର ସାଇନ୍ସ, ବିଏଡ୍ (ୟୁଡିଟିଇ)ର ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହାର ନୂଆ ତାରିଖ ଘୋଷଣା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । 

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସମସ୍ତ ଡିଗ୍ରୀ କଲେଜ, ସେଲ୍‌ଫ ଫାଇନାନ୍ସ କଲେଜରେ ପୂର୍ବରୁ ଚତୁର୍ଥ ସେମିଷ୍ଟର ପରୀକ୍ଷା ପାଇଁ ପୂର୍ବ ପ୍ରସ୍ତୁତ ହୋଇଥିଲା । ଏଥିରେ ଆଜି ସ୍ନାତକ, ବିଏସ୍‌ସି , ଆଇଟିଏମ୍, ବିଏସ୍‌ସି କମ୍ପ୍ୟୁଟର ସାଇନ୍ସ, ବିଏଡ୍ (ୟୁଡିଟିଇ)ର ପରୀକ୍ଷା ରହିଥିଲା । ମାତ୍ର ରାଜ୍ୟର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଏହାକୁ ତୁରନ୍ତ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ନିକଟରେ ପହଞ୍ଚାଇବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।