ହୀରାକୁଦ ର ୭ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ
ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ୨ଟି ଗେଟ ଖୋଲାଯାଇଥିବା ବେଳେ ପୁଣି ଆଉ ୫ଟି ଗେଟ ଖୋଲାଯାଇଛି । ଲଗାତାର ଜଳସ୍ତର ବୃଦ୍ଧି ଯୋଗୁଁ ବର୍ତ୍ତମାନ ହୀରାକୁଦର ୭ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି । ଯେଉଁଥିରୁ ବାମପାର୍ଶ୍ୱର ୫ଟି ଓ ଡାହାଣପାର୍ଶ୍ୱର ୨ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୭୭ ଫୁଟ ରହିଛି ।
ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ଲକ୍ଷ ୯ହଜାର ୧୬ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୬୬ ହଜାର କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି । ହୀରାକୁଦରୁ ଅଧିକ ପାଣି ନିଷ୍କାସନ ହେଉଥିବାରୁ ମହାନଦୀ ଅବବାହିକାରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । ତେଣୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଓ ଗେଟ୍ ଖୋଲା ସ୍ଥିତି ଉପରେ ନିୟମିତ ନଜର ରଖାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।