ବଣୁଆ ହାତୀଙ୍କ ଉପଦ୍ରବ, ଭାଙ୍ଗିଲା ଘରଦ୍ୱାର:, ସମ୍ପର୍କୀୟଙ୍କ ଘରେ ନେଲେ ଆଶ୍ରୟ

Nov 02, 2026 - 20:27
ବଣୁଆ ହାତୀଙ୍କ ଉପଦ୍ରବ, ଭାଙ୍ଗିଲା ଘରଦ୍ୱାର:, ସମ୍ପର୍କୀୟଙ୍କ ଘରେ ନେଲେ ଆଶ୍ରୟ

ତୁମୁଡ଼ିବନ୍ଧ, (ଦୀପକ କୁମାର ପରାସେଠ): କନ୍ଧମାଳ ଜିMkତୁମୁଡ଼ିବନ୍ଧ ବ୍ଲକ୍‌ର ବେଲଘର ବନାଞ୍ଚଳରେ ଦୀର୍ଘଦିନ ହେଲା ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଛି। କେତେବେଳେ ହାତୀପଲ ଫସଲ ନଷ୍ଟ କରୁଥିବା ବେଳେ ଆଉ କେତେବେଳେ ଗାଁମୁହାଁ ହୋଇ ଘରଦ୍ୱାର ଭାଙ୍ଗି ଦେଉଛନ୍ତି। ସୋମବାର ଭୋର୍‌ ସମୟରେ ହାତୀପଲ ଭଣ୍ଡାରଙ୍ଗୀ ପଞ୍ଚାୟତର ଗୁନ୍ଦାବାରୁ ଗ୍ରାମରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗି ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋର୍‌ ସମୟରେ ହାତୀପଲ ଗୁନ୍ଦାବାରୁ ଗ୍ରାମରେ ପଶି ଡାଙ୍ଗାର ମାଝିଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏଥିସହ ଘରେ ଥିବା ଧାନ, ଚାଉଳ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ନଷ୍ଟ କରିଦେଇଥିଲେ। ଫଳରେ ଆଠ ପ୍ରାଣୀ କୁଟୁମ୍ବକୁ ନେଇ ରହୁଥିବା ଏହି ପରିବାର ଏବେ ନିରାଶ୍ରୟ ହୋଇପଡ଼ିଛି। କେଉଁଠି ରହିବେ, କୁଆଡ଼େ ଯିବେ, ତାହା ସେମାନଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ବର୍ତ୍ତମାନ ପୀଡ଼ିତ ପରିବାର ନିକଟସ୍ଥ ଗାଁରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି।

ଖବର ପାଇ ଭଣ୍ଡାରଙ୍ଗୀ ସରପଞ୍ଚ ଅନନ୍ତ ପାତ୍ର ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ପରିବାରକୁ ଭେଟିଥିଲେ। ଏ ସମ୍ପର୍କରେ ବେଲଘର ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ରଜନୀକାନ୍ତ ମେହେରଙ୍କୁ ପଚାରିବାରୁ ସେ କହିଥିଲେ ଯେ ଝିରିପାଣି, ଭଣ୍ଡାରଙ୍ଗୀ ଓ ଲଙ୍କାଗଡ଼ ଅଞ୍ଚଳରେ ପ୍ରାୟ ୧୨ଟି ହାତୀ ରହିଛନ୍ତି। ହାତୀପଲ ଗୁନ୍ଦାବାରୁ ଗ୍ରାମରେ ଘର ଭାଙ୍ଗିଥିବା ଖବର ପାଇବା ପରେ ତୁରନ୍ତ ଝିରିପାଣି ବନପାଳ ସନ୍ତୋଷ କୁମାର ସେନାପତିଙ୍କ ନେତୃତ୍ୱରେ ଏକ ଦଳକୁ ଗ୍ରାମକୁ ପଠାଯାଇଛି। ଏହି ଦଳ କ୍ଷୟକ୍ଷତିର ଆକଳନ କରିବା ସହ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରିଛି ବୋଲି ସେ ସୂଚନା ଦେଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।