ବିଶ୍ୱକପ୍ ସ୍ୱପ୍ନରେ ଲାଗିବ କି ବ୍ରେକ୍? ଜାଡେଜାଙ୍କୁ ନେଇ ପୂଜାରା-ନାୟାର ମୁହାଁମୁହିଁ!

Oct 31, 2026 - 16:40
ବିଶ୍ୱକପ୍ ସ୍ୱପ୍ନରେ ଲାଗିବ କି ବ୍ରେକ୍? ଜାଡେଜାଙ୍କୁ ନେଇ ପୂଜାରା-ନାୟାର ମୁହାଁମୁହିଁ!

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍‌ର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଦିନିକିଆ କ୍ୟାରିୟରକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର୍ ଧରିଛି। ଆଗାମୀ ୨୦୨୭ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍‌ରେ ଜାଡେଜା ଭାରତୀୟ ଦଳରେ ସ୍ଥାନ ପାଇବେ କି ନାହିଁ, ତାହାକୁ ନେଇ ମତ ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରା ଓ ଅଭିଷେକ ନାୟାର।

 ଆଲୋଚନା ସମୟରେ ପୂଜାରା କହିଛନ୍ତି, ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଦଳରୁ ଜାଡେଜାଙ୍କୁ ବାଦ୍ ଦିଆଯିବା ତାଙ୍କ ଦିନିକିଆ କ୍ୟାରିୟରର ଅନ୍ତର ସଙ୍କେତ ହୋଇପାରେ। ତାଙ୍କ ମତରେ, ଯଦି ଭାରତୀୟ ଦଳ ପରିଚାଳନା ଜାଡେଜାଙ୍କୁ ଦିନିକିଆ କ୍ରିକେଟ୍‌ରେ ରଖିବାକୁ ଚାହୁଁଥାନ୍ତା, ତେବେ ତାଙ୍କୁ ଦଳରେ ସୁଯୋଗ ମିଳିଥାନ୍ତା।ପୂଜାରାଙ୍କ କହିବା ଅନୁଯାୟୀ, ଅକ୍ଷର ପଟେଲ ଏବେ ଦିନିକିଆ କ୍ରିକେଟ୍‌ରେ ଭାରତର ପ୍ରମୁଖ ଅଲରାଉଣ୍ଡର ଭାବେ ଉଭା ହୋଇଛନ୍ତି। ତାଙ୍କୁ ଅଧିକ ସୁଯୋଗ ମିଳୁଥିବାରୁ ଜାଡେଜାଙ୍କ ପାଇଁ ଦଳରେ ସ୍ଥାନ ପାଇବା କଷ୍ଟକର ହୋଇପାରେ। ବୟସକୁ ଦୃଷ୍ଟିରେ ରଖି ଦଳ ପରିଚାଳନା ତାଙ୍କୁ କେବଳ ଟେଷ୍ଟ କ୍ରିକେଟ୍‌ରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥାଇପାରେ ବୋଲି ସେ ମତ ଦେଇଛନ୍ତି। ଜାଡେଜା ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇସାରିଥିବାରୁ ଦିନିକିଆରୁ ମଧ୍ୟ ତାଙ୍କ ବିଦାୟର ସମ୍ଭାବନା ରହିଥିବା ପୂଜାରା କହିଛନ୍ତି।

ତେବେ ଜାଡେଜାଙ୍କ ପାଇଁ ଆଶାର ଦ୍ୱାର ଖୋଲା ରହିଥିବା କହିଛନ୍ତି ଅଭିଷେକ ନାୟାର। ତାଙ୍କ ମତରେ, ଅକ୍ଷର ପଟେଲଙ୍କ ପରେ ଭାରତୀୟ ଦଳ ପାଖରେ ଜାଡେଜାଙ୍କ ଭଳି ଅନୁଭବୀ ଅଲରାଉଣ୍ଡର ଅଛନ୍ତି। ଯଦି ବିଶ୍ୱକପ୍ ପୂର୍ବରୁ ଅକ୍ଷର ଆହତ ହୁଅନ୍ତି, ତେବେ ଜାଡେଜାଙ୍କ ନାଁ ପ୍ରଥମେ ବିଚାରକୁ ଆସିବ। ତାଙ୍କୁ ଭାରତୀୟ ଦଳର ଏକ ପ୍ରକାର ‘ଇନ୍‌ସୁରାନ୍ସ ପଲିସି’ ବୋଲି ଅଭିହିତ କରିଛନ୍ତି ନାୟାର।ଏହି ଆଲୋଚନାରେ କୁଲଦୀପ ଯାଦବଙ୍କ ଦିନିକିଆ ଦଳରେ ନିୟମିତ ସ୍ଥାନ ନପାଇବା ପ୍ରସଙ୍ଗ ମଧ୍ୟ ଉଠିଥିଲା। ପୂଜାରାଙ୍କ ମତରେ, ଦିନିକିଆ କ୍ରିକେଟ୍‌ରେ ଦଳର ସନ୍ତୁଳନ ପାଇଁ ସପ୍ତମ ଓ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିପାରୁଥିବା ଖେଳାଳି ରହିବା ଜରୁରୀ। ସପ୍ତମ ସ୍ଥାନରେ ଜଣେ ଅଲରାଉଣ୍ଡର ଏବଂ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିପାରୁଥିବା ବୋଲର ରହିବା ଆବଶ୍ୟକ। କୁଲଦୀପ ଜଣେ ଉତ୍କୃଷ୍ଟ ବୋଲର ହୋଇଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ଦଳର ଆବଶ୍ୟକତା ପୂରଣ କରିପାରୁନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ନାୟାର କହିଛନ୍ତି, ଦିନିକିଆ କ୍ରିକେଟ୍‌ରେ ଦଳ ପାଇଁ ପାଞ୍ଚଜଣ ନିୟମିତ ବୋଲର ରହିବା ଅତ୍ୟନ୍ତ ଜରୁରୀ। ଟି-୨୦ ତୁଳନାରେ ଦିନିକିଆରେ ଖେଳାଳିଙ୍କ ପାଖରେ ପରିସ୍ଥିତି ଅନୁସାରେ ଖାପ ଖୁଆଇବାକୁ ଅଧିକ ସମୟ ରହିଥାଏ। କିନ୍ତୁ ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ବୋଲରଙ୍କ ପ୍ରଦର୍ଶନ ହିଁ ମ୍ୟାଚ୍‌ର ଫଳାଫଳ ବଦଳାଇପାରେ।ଏହାର ଉଦାହରଣ ଦେଇ ସେ ୨୦୨୩ ବିଶ୍ୱକପ୍ ଫାଇନାଲ୍‌ର କଥା ଉଠାଇଛନ୍ତି। ଫାଇନାଲ୍‌ରେ ଅଷ୍ଟ୍ରେଲିଆର ବୋଲରମାନେ ନିୟମିତ ୱିକେଟ୍ ନେଇ ଭାରତକୁ କମ୍ ସ୍କୋରରେ ସୀମିତ ରଖିଥିଲେ। ଶେଷରେ ଅଷ୍ଟ୍ରେଲିଆ ଟ୍ରଫି ଜିତିଥିଲା। ତେଣୁ ନାୟାରଙ୍କ ମତରେ, ଦିନିକିଆ କ୍ରିକେଟ୍‌ରେ ବୋଲରମାନେ ହିଁ ଦଳକୁ ବିଶ୍ୱବିଜେତା କରିବାରେ ନିର୍ଣ୍ଣାୟକ ଭୂମିକା ନିଅନ୍ତି।ଏବେ ୨୦୨୭ ବିଶ୍ୱକପ୍‌କୁ ଆଉ ପ୍ରାୟ ଏକ ବର୍ଷ ବାକି ଥିବାବେଳେ ଜାଡେଜାଙ୍କ ଭବିଷ୍ୟତ ନେଇ ଏହି ଚର୍ଚ୍ଚା ଭାରତୀୟ କ୍ରିକେଟ୍ ମହଲରେ ନୂଆ ଆଲୋଚନା ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।