ବ୍ୟାଙ୍କ ଲକରରୁ ଉତ୍ତରପ୍ରଦେଶ ମହିଳାଙ୍କ ୫୦ ହଜାର ଟଙ୍କାର ସୁନା ଗାଏବ
କାନପୁର: ଉତ୍ତରପ୍ରଦେଶର କାନପୁରରେ ଏକ ବ୍ୟାଙ୍କ ଲକରରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଅଳଙ୍କାର ରଖିଥିବା ଜଣେ ମହିଳା ଏବେ ସବୁକିଛି ହରାଇ ଦେଇଛନ୍ତି। ୫୫ ବର୍ଷୀୟ ରଶ୍ମି ଆରୋରା ୨୦୦୩ରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଟ୍ରାଭାନକୋର (ଏସ୍ବିଟି)ର ଏକ ଲକରରେ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ରଖିଥିଲେ। କିନ୍ତୁ ବହୁ ବର୍ଷ ପରେ ଯେତେବେଳେ ସେ ଲକର ଖୋଲିଲେ, ତାହା ସମ୍ପୂର୍ଣ୍ଣ ଖାଲି ଥିଲା। ଏହି ଘଟଣାର ଆରମ୍ଭ ୨୬ ଫେବୃଆରି ୨୦୦୩ରୁ ହୋଇଛି। ରଶ୍ମି ଆରୋରା ତାଙ୍କ ସ୍ୱାମୀଙ୍କ ସହ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଟ୍ରାଭାନକୋରରେ ଏକ ସେଭିଂସ୍ ଆକାଉଣ୍ଟ ଖୋଲିଥିଲେ। ସେମାନଙ୍କୁ ଲକର ନମ୍ବର ୨୩ ଦିଆଯାଇଥିଲା। ଏହି ଲକରରେ ସେମାନେ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ରଖିଥିଲେ। ପରବର୍ତ୍ତୀ ବର୍ଷଗୁଡ଼ିକରେ ଆରୋରା ପରିବାର ନିୟମିତ ଭାବେ ବ୍ୟାଙ୍କକୁ ଯାଇ ଲକରରେ ରଖାଯାଇଥିବା ମୂଲ୍ୟବାନ ସାମଗ୍ରୀ ଯାଞ୍ଚ କରୁଥିଲେ। ତେବେ ରଶ୍ମିଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ କାନପୁରର ସ୍ୱରୂପ ନଗରରୁ ଲକ୍ଷ୍ନୌକୁ ଚାଲିଯାଇଥିଲେ। ସେଠାରେ ସେ ନିଜ ଝିଅ ଓ ଜ୍ୱାଇଁଙ୍କ ସହ ରହିବାକୁ ଲାଗିଥିଲେ। ବ୍ୟାଙ୍କ ଦୂରରେ ଥିବାରୁ ସେ ସେଠାକୁ ଯିବା ବନ୍ଦ କରିଦେଇଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ବ୍ୟାଙ୍କରେ ତାଙ୍କ ସମ୍ପତ୍ତି ସୁରକ୍ଷିତ ରହିବ। କିନ୍ତୁ ପ୍ରାୟ ଚାରି ମାସ ପୂର୍ବେ ରଶ୍ମି ତାଙ୍କ ସାନ ଝିଅଙ୍କ ସହ ବ୍ୟାଙ୍କକୁ ଯାଇଥିଲେ। ସେଠାରେ ତାଙ୍କୁ କୁହାଯାଇଥିଲା ଯେ ଏସ୍ବିଟି ଏବେ ଅଲଗା ବ୍ୟାଙ୍କ ଭାବେ ଅବସ୍ଥିତ ନାହିଁ ଏବଂ ଏହା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ( ସହ ମିଶିଯାଇଛି। ଏଥି ସହ ତାଙ୍କ ନାଁରେ ଏସ୍ବିଆଇରେ କୌଣସି ଲକର ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ଏଥିରେ ରଶ୍ମି ଆଶ୍ଚର୍ଯ୍ୟଚକିତ ହୋଇ ପୁଣିଥରେ ସମସ୍ତ ଆବଶ୍ୟକ ଦସ୍ତାବିଜ ସହ ବ୍ୟାଙ୍କ ଶାଖାକୁ ଯାଇଥିଲେ। ଏହି ଦସ୍ତାବିଜଗୁଡ଼ିକରେ ତାଙ୍କ ଆକାଉଣ୍ଟ ଓ ଲକର ଆବଣ୍ଟନର ପ୍ରମାଣ ଥିଲା।
ଶାଖା ପରିଚାଳକ ତାଙ୍କୁ କହିଥିଲେ ଯେ ଲକରର ଭଡ଼ା ତାଙ୍କ ଆକାଉଣ୍ଟରୁ ସ୍ୱୟଂଚାଳିତ ଭାବେ କଟୁଥିଲା। ଏହି କାରଣରୁ ତାଙ୍କ ଆକାଉଣ୍ଟର ବ୍ୟାଲାନ୍ସ ଶୂନ ହୋଇଯାଇଥିଲା। ଜୁଲାଇ ୨୧ ତାରିଖରେ ରଶ୍ମି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଛି ଟଙ୍କା ଜମା କରି ତାହାକୁ ପୁନଃ ସକ୍ରିୟ କରିଥିଲେ। ତେବେ ସେହି ସମୟରେ ଲକରର ଚାବି ନେଇ ଆସିବାକୁ ଭୁଲିଯାଇଥିଲେ। ଜୁଲାଇ ୨୭ ତାରିଖରେ ସେ ପୁଣି ବ୍ୟାଙ୍କକୁ ଯାଇ ଲକର ଖୋଲିବାର ସୁଯୋଗ ପାଇଥିଲେ। କିନ୍ତୁ ଲକର ନମ୍ବର ୨୩ ଖୋଲିବା ପରେ ଯାହା ଦେଖିଲେ, ତାହା ତାଙ୍କୁ ସ୍ତବ୍ଧ କରିଦେଇଥିଲା—ଲକରଟି ସମ୍ପୂର୍ଣ୍ଣ ଖାଲି ଥିଲା। ରଶ୍ମି ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି। ବ୍ୟାଙ୍କର ପରିଚାଳନା ଓ କର୍ମଚାରୀମାନେ ମିଶି ତାଙ୍କ ଅଳଙ୍କାର ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି। ଶାଖା ପରିଚାଳକ ଏବଂ ସମ୍ପୃକ୍ତ କର୍ମଚାରୀମାନଙ୍କ ବିରୋଧରେ ଏନେଇ ଏତଲା ରୁଜୁ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।