ଭାରତର ବିରଳ

Aug 11, 2026 - 16:39
ଭାରତର ବିରଳ

 

ବନ୍ୟପ୍ରାଣୀ ହେଉଛନ୍ତି କୌଣସି ଦେଶର ପ୍ରକୃତ ସମ୍ପଦର ପ୍ରମୁଖ ନିର୍ଦ୍ଧାରକ । ଭାରତ ହେଉଛି ବୈବିଧ୍ୟମୟ ଜୈବବିବିଧତାର ଦେଶ, ଯେଉଁଠାରେ ଏପରି କିଛି ଦୁର୍ଲଭ ପ୍ରାଣୀ ପ୍ରଜାତି ବାସ କରନ୍ତି ଯେଉଁମାନଙ୍କୁ ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଆସନ୍ତୁ ସେହିଭଳି କିଛି ଦୁର୍ଲଭ ପ୍ରାଣୀ ସମ୍ପର୍କରେ ଜାଣିବା ।

 

୧. ଏସୀୟ ସିଂହ

ଗୁଜରାଟର ଗିର୍ ଜାତୀୟ ଉଦ୍ୟାନରେ ଏହି ସିଂହମାନେ ବାସ କରନ୍ତି, ଯାହା ଏମାନଙ୍କର ଏକମାତ୍ର ପ୍ରାକୃତିକ ଆବାସସ୍ଥଳୀ  । ଆଫ୍ରିକୀୟ ସିଂହଙ୍କ ତୁଳନାରେ ଏସୀୟ ସିଂହଙ୍କ ଲାଞ୍ଜର ଗୁଚ୍ଛ ବଡ଼, ପେଟ ପାଖରେ ଚର୍ମର ସ୍ପଷ୍ଟ ଭାଙ୍ଗ  ଥାଏ ଏବଂ ମୁଣ୍ଡର କେଶର କମ୍ ଘଞ୍ଚ ହୋଇଥାଏ । ସମ୍ପ୍ରତି ଗଣନା ଅନୁଯାୟୀ, ଗିର୍ ଜାତୀୟ ଉଦ୍ୟାନରେ ପ୍ରାୟ ୬୭୪ଟି ଏସୀୟ ସିଂହ ରହିଛନ୍ତି ।

୨. ଗ୍ରେଟ୍ ଇଣ୍ଡିଆନ୍ ବୁଷ୍ଟାର୍ଡ

ଏହା ଭାରତର ସବୁଠାରୁ ବଡ଼ ପକ୍ଷୀ ପ୍ରଜାତି ଅଟନ୍ତି, ଯେଉଁମାନେ ମୁଖ୍ୟତଃ ରାଜସ୍ଥାନ ଏବଂ ଗୁଜରାଟର ଖୋଲା ଘାସପଡ଼ିଆରେ ଦେଖାଯାନ୍ତି। ଦୃଷ୍ଟିଶକ୍ତି ଦୁର୍ବଳ ହେତୁ ହାଇ-ଭୋଲ୍ଟେଜ୍ ବିଦ୍ୟୁତ୍ ତାର ସହ ଧକ୍କା ହେବା ଏବଂ ଶିକାର ଯୋଗୁଁ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ କମି ପ୍ରାୟ ୧୫୦ରେ ପହଞ୍ଚିଛି। ଏହାଛଡ଼ା ସୌରପ୍ଲାଣ୍ଟ ଏବଂ ପବନଚକ୍ର ନିର୍ମାଣ ଯୋଗୁଁ ଏମାନଙ୍କ ବାସସ୍ଥଳୀ ନଷ୍ଟ ହେବାରେ ଲାଗିଛି।

୩. ସଙ୍ଗାଇ ହରିଣ

କେବଳ ମଣିପୁରର କେଇବୁଲ ଲାମଜାଓ ଜାତୀୟ ଉଦ୍ୟାନର ଜଳାଶୟରେ ଭାସମାନ ଘାସପଡ଼ିଆ ମଧ୍ୟରେ ଏମାନେ ବାସ କରନ୍ତି । ଭାସମାନ ଫୁମ୍ଡି ଉପରେ ଡେଇଁ ଡେଇଁ ଚାଲୁଥିବାରୁ ଏମାନଙ୍କୁ 'ଡାନ୍ସିଂ ଡିଅର୍' ମଧ୍ୟ କୁହାଯାଏ । ବର୍ତ୍ତମାନ ଏହି ଦୁର୍ଲଭ ହରିଣଙ୍କ ସଂଖ୍ୟା ପ୍ରାୟ ୨୬୦ରେ ପହଞ୍ଚିଛି ।

Lion-tailed_Macaque_in_Bristol_Zoo

୪. ସିଂହ-ପୁଚ୍ଛ ମାଙ୍କଡ଼

 ଦକ୍ଷିଣ ଭାରତର ପଶ୍ଚିମଘାଟ ପର୍ବତମାଳା (କେରଳ ଓ କର୍ଣ୍ଣାଟକ)ର ଘଞ୍ଚ ଜଙ୍ଗଲରେ ଗଛର ଉଚ୍ଚ ଡାଳରେ ଏମାନେ ରହନ୍ତି । କଳା ମୁହଁ, ଚାରିପାଖରେ ରୂପେଲି-ଧଳା କେଶର ଏବଂ ସିଂହ ଭଳି ଲାଞ୍ଜ ଥିବା ଏହି ମାଙ୍କଡ଼ମାନେ ଅତ୍ୟନ୍ତ ଆକର୍ଷଣୀୟ । ଏଗୁଡ଼ିକ ବିଲୁପ୍ତପ୍ରାୟ ପ୍ରଜାତି ଏବଂ ସାଧାରଣତଃ ମଣିଷଙ୍କ ସହ ମିଳାମିଶା କରନ୍ତି ନାହିଁ ।

୫. ନୀଳଗିରି ତାହାର

 ତାମିଲନାଡୁ ଏବଂ କେରଳର ପଶ୍ଚିମଘାଟ ପାର୍ବତ୍ୟ ଅଞ୍ଚଳରେ ଏହି ଖୁରା ପାରିଥିବା ପାହାଡ଼ିଆ ଜୀବ ଦେଖାଯାନ୍ତି । ଦେଖିବାକୁ ମେଣ୍ଢା ଭଳି ହୋଇଥିଲେ ବି ଏମାନଙ୍କ ଶରୀର ପତଳା, ଖୁରା ଶକ୍ତ ଏବଂ ପଛକୁ ବଙ୍କେଇ ଥିବା ଶିଙ୍ଗ ରହିଥାଏ, ଯାହା ଏମାନଙ୍କୁ ପାହାଡ଼ ଚଢ଼ିବାରେ ଦକ୍ଷ କରାଏ । ବୟସ ବୃଦ୍ଧି ସହ ଏମାନଙ୍କ ପିଠିର ରଙ୍ଗ ବଦଳିଥାଏ । ଏମାନଙ୍କ ହାରାହାରି ଜୀବନକାଳ ମାତ୍ର ତିନି ବର୍ଷ ହୋଇଥାଏ ।

୬. କାଶ୍ମୀରୀ ହରିଣ

 ଲାଲ୍ ହରିଣର ଏହି ଉପ-ପ୍ରଜାତି ମୁଖ୍ୟତଃ କାଶ୍ମୀରର ଦାଚିଗାମ୍ ଜାତୀୟ ଉଦ୍ୟାନ ଏବଂ ହିମାଚଳ ପ୍ରଦେଶର ଉତ୍ତର ଚମ୍ବା ଜିଲ୍ଲାରେ ଦେଖାଯାନ୍ତି । ବାଦାମୀ ରଙ୍ଗର ଏହି ହରିଣଙ୍କ ପଛପଟେ ହାଲୁକା ଦାଗ ଥାଏ ଏବଂ ଏମାନଙ୍କର ଲାଞ୍ଜ ନଥାଏ । ବର୍ତ୍ତମାନ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ପ୍ରାୟ ୧୫୦ରେ ପହଞ୍ଚିଛି ।

୭. ମାଲାବାର୍ ସିଭେଟ୍

କେରଳର ପଶ୍ଚିମଘାଟ ଅଞ୍ଚଳରେ ମିଳୁଥିବା ଏହା ଏକ ଅତ୍ୟନ୍ତ ଦୁର୍ଲଭ ରାତ୍ରିଚର ସ୍ତନ୍ୟପାୟୀ ପ୍ରାଣୀ । ଜଙ୍ଗଲ କ୍ଷୟ ଏବଂ ଶିକାର ଯୋଗୁଁ ଏହା ବିଲୁପ୍ତିର ଦ୍ୱାରଦେଶରେ । ଏହାଛଡ଼ା ଏହାର ସୁଗନ୍ଧ ଗ୍ରନ୍ଥିରୁ ବାହାରୁଥିବା 'ସିଭେଟୋନ୍'   ପ୍ରସାଧନ/ସେଣ୍ଟ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବାରୁ ଏହାର ଶିକାର ବୃଦ୍ଧି ପାଉଛି ।

୮. ପିଗ୍ମି ହଗ୍

 ଆସାମର ମାନସ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳୁଥିବା ଏହି ଜୀବ ବିଶ୍ୱର ସବୁଠାରୁ ଛୋଟ ଏବଂ ଦୁର୍ଲଭ ବନ୍ୟ ବରାହ ପ୍ରଜାତି ।  ଓଦା ଘାସପଡ଼ିଆରେ ରହୁଥିବା ଏହି ଅଳ୍ପ କେତେକ ପ୍ରାଣୀଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ଘାସରେ ନିଜ ପାଇଁ ଛାତ ସହିତ ଘର ତିଆରି କରନ୍ତି । ଏମାନଙ୍କ ସଂଖ୍ୟା ୨୫୦ରୁ କମ୍ । ଏମାନଙ୍କୁ ବିଲୁପ୍ତିରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।

F5v_OHHXgAEj5iT

୯. ନୀଳଗିରି ବ୍ଲୁ ରବିନ୍

 ଦକ୍ଷିଣ ଭାରତର ପଶ୍ଚିମଘାଟ ପର୍ବତମାଳାର 'ଶୋଲା ଜଙ୍ଗଲ'ରେ ଏହି ସୁନ୍ଦର ଗାୟକ ପକ୍ଷୀ ଦେଖାଯାନ୍ତି । ଏମାନଙ୍କୁ 'ନୀଳଗିରି ଶୋଲାକିଲି' ମଧ୍ୟ କୁହାଯାଏ । ଏହି ପକ୍ଷୀଙ୍କ ଡେଣା ଉଜ୍ଜ୍ୱଳ ନୀଳ, ପେଟ ଧଳା ଏବଂ କଳା ଲାଞ୍ଜର ଆଗ ଭାଗ କମଳା ରଙ୍ଗର ହୋଇଥାଏ ।  ଜଙ୍ଗଲ କ୍ଷୟ ଏବଂ ଶିକାର ଯୋଗୁଁ ଏହି ପକ୍ଷୀମାନେ ବିଲୁପ୍ତ ହେବାକୁ ବସିଲେଣି ।

 

୧୦. ଗଙ୍ଗା ନଦୀ ଡଲଫିନ୍

ଏହା ଭାରତର 'ଜାତୀୟ ଜଳଚର ପ୍ରାଣୀ'ର ଆଖ୍ୟା ପାଇଛି । ମୁଖ୍ୟତଃ ଗଙ୍ଗା ଓ ଏହାର ଶାଖା ନଦୀ ଅବବାହିକା ଅନ୍ତର୍ଗତ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ବିହାରର ନଦୀପଥରେ ଏମାନେ ଦେଖାଯାନ୍ତି । ଜଳ ପ୍ରଦୂଷଣ, ଶିକାର ଏବଂ ନଦୀ ବନ୍ଧ ଯୋଗୁଁ ସଙ୍କଟରେ ଥିବା ଏହି ଡଲଫିନ୍ଙ୍କ ସଂଖ୍ୟା ବର୍ତ୍ତମାନ ପ୍ରାୟ ୩,୭୫୦ ।

୧୧. ଆଣ୍ଡାମାନ୍ ବନ୍ୟ ବରାହ

 କେବଳ ଆଣ୍ଡାମାନ୍ ଏବଂ ନିକୋବର ଦ୍ୱୀପସମୂହର ଘଞ୍ଚ ଜଙ୍ଗଲରେ ମିଳୁଥିବା ଏହା ଏକ ସ୍ଥାନୀୟ ବନ୍ୟ ଘୁଷୁରି ଉପ-ପ୍ରଜାତି । ଗାଢ଼ କଳା ଚର୍ମ ଏବଂ ଶକ୍ତ ଶରୀର ଗଠନ ବିଶିଷ୍ଟ ଏହି ପ୍ରାଣୀ ଆଞ୍ଚଳିକ ପରିବେଶ ସହ ନିଜକୁ ଖାପଖୁଆଇ ଚେର, ଫଳ ଏବଂ ଛୋଟ ଅପୃଷ୍ଠବଂଶୀ ଜୀବ ଖାଇ ବଞ୍ଚିଥାନ୍ତି । ବାସସ୍ଥଳୀ ନଷ୍ଟ ଏବଂ ଶିକାର ଯୋଗୁଁ ଏମାନଙ୍କ ସଂଖ୍ୟା ପ୍ରଭାବିତ ହୋଇଛି ।

 

୧୨. ବାଇଗଣୀ ବେଙ୍ଗ

 ପଶ୍ଚିମଘାଟ ପର୍ବତମାଳାରେ ମିଳୁଥିବା ଏହା ଏକ ଅତ୍ୟନ୍ତ ବିଚିତ୍ର ପ୍ରାଗୈତିହାସିକ ଆକୃତିର ଭୂମିହୀନ ଉଭୟଚର ପ୍ରାଣୀ । ଏହାର ଶରୀର ଫୁଲିଲା ଭଳି ମୋଟା, ମୁଣ୍ଡ ଛୋଟ ଏବଂ ନାକ ମୁନିଆ ହୋଇଥାଏ । ଏମାନେ ନିଜ ଜୀବନର ଅଧିକାଂଶ ସମୟ ମାଟି ତଳେ ବିତାନ୍ତି ଏବଂ କେବଳ ବର୍ଷାଦିନେ ବଂଶବୃଦ୍ଧି ପାଇଁ କିଛି ଦିନ ପାଇଁ ଉପରକୁ ଆସନ୍ତି।ଲକ୍ଷ ଲକ୍ଷ ବର୍ଷ ଧରି ତିଷ୍ଠି ରହିଥିବା ଏହି ପ୍ରଜାତି ଏବେ ବାସସ୍ଥଳୀ ବିନାଶ ଯୋଗୁଁ ବିପଦରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।