ରିଲିଫ ପାଇଁ ଯାଇଥିବାବେଳେ ଗଛରୁ ନଡ଼ିଆ ପଡି ଛାତ୍ରଙ୍କ ମୃତ୍ୟୁ
ବାରିପଦା : ଯେବେ ଦଇବ ସାଧିବ ଦାଉ । ବନ୍ୟା ପାଣିରେ ଘର ବୁଡି ରହିଥିବା ବେଳେ ପୁଣି ଘଟିଛି ଆଉ ଏକ ଅଘଟଣ। ରିଲିଫ ନେଇ ଘରକୁ ଆସୁଥିବାବେଳେ ମୁଣ୍ଡରେ ନଡ଼ିଆ ପଡିବାରୁ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ମଧୁବନ ଅଂଚଳରେ । ମୃତକ ହେଲେ ମଧୁବନ ଅଞ୍ଚଳର ଅଜୟ ପାତ୍ରଙ୍କ ପୁଅ ବାଦଲ(୧୧) । ସେ ୫ମ ଶ୍ରେଣୀର ଛାତ୍ର ଥିଲେ । ଗତ କିଛି ଦିନ ଧରି ବାରିପଦାରେ ପ୍ରବଳ ବର୍ଷ ଯୋଗୁଁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିଥିଲା । ଫଳରେ ମଧୁବନ ସମେତ ଅନ୍ୟ କେତେକ ତଳି ଅଂଚଳ ଜଳମଗ୍ନ ହୋଇଥିଲା । ଏଥିପାଇଁ ମଙ୍ଗଳବାର ସ୍କୁଲରେ ବନ୍ୟା ରିଲିଫ ସାମଗ୍ରୀ ଦିଆଯାଉଥିଲା । ବାଦଲ ରିଲିଫ ସାମଗ୍ରୀ ଧରି ଘରକୁ ଫେରୁଥିବା ବେଳେ ବାଟରେ ଏକ ନଡ଼ିଆ ଗଛରୁ ନଡ଼ିଆଟିଏ ତାଙ୍କ ମୁଣ୍ଡ ଉପରେ ପଡିଥିଲା । ଘରକୁ ଆସି ଏକଥା ପରିବାର ଲୋକଙ୍କ ଆଗରେ ଜଣାଇଥିଲା । ତେବେ ବୁଧବାର ସକାଳେ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାକୁ ସ୍ଥନୀୟ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୧୧ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ପୁଲିସ ଶବ ବ୍ୟବଚ୍ଛେଦ କରିବା ସହ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।