ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ୍‌ ଜଳ - ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

Sep 28, 2026 - 16:10
ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ୍‌ ଜଳ - ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ଥରେ ମହାନଦୀ ଅବବାହିକାରେ ଉପୁଜିଛି ବନ୍ୟା ସ୍ଥିତି । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଆଜି ଏକ ପ୍ରେସମିଟ୍‌ରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ୍ ଦେଇ ୭ ଲକ୍ଷ ୮୩ ହଜାର କ୍ୟୁସେକ୍‌ ବନ୍ୟା ଜଳ ପ୍ରବାହିତ ହେଉଥିଲା । ଏହା ସନ୍ଧ୍ୟା ସୁଦ୍ଧା ସର୍ବାଧିକ ପିକରେ ପହଞ୍ଚି ପ୍ରାୟ ୮ ଲକ୍ଷ କ୍ୟୁସେକ୍‌ ଛୁଇଁବ।ଏଥିପାଇଁ ହୀରାକୁଦର ୩୦ଟି ଗେଟ୍ ଖୋଲିଛି । 

ହୀରାକୁଦର ଜଳସ୍ତର ୬୨୯ .୫୨ ଫୁଟକୁ ପହଞ୍ଚିଛି । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୬ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ୩୦ଟି ଗେଟ୍ ଦେଇ ସେକେଣ୍ଡ ପିଛା ୫ ଲକ୍ଷ ଘନଫୁଟ ନିଷ୍କାସିତ ହେଉଛି । ଉପରମୁଣ୍ଡରୁ ଆସୁଥିବା ପାଣି ଯୋଗୁଁ ମହାନଦୀରେ ଛୋଟ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । 

ଏହି ବନ୍ୟା ଜଳ ପ୍ରବାହ ଯୋଗୁଁ ବିଶେଷ କରି କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାର କିଛି ତଳିଆ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ରହୁଥିବା ସମସ୍ତ ଲୋକଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଜଳବନ୍ଦୀ ଯୋଗୁଁ ବାଙ୍କୀ ଏବଂ ତିଗିରିଆ ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ମହାନଦୀକୁ ଛାଡ଼ି ରାଜ୍ୟର ଅନ୍ୟ କୌଣସି ପ୍ରମୁଖ ନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।