ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ବାଇକ୍‌ରେ ଗଲା ମୃତଦେହ

Jul 05, 2026 - 11:29

ଲଇକେରା, ୫।୭ (ରଞ୍ଜନ କୁମାର ମେହେର): ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଉଡ଼ିଆପାଲି ଗ୍ରାମରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ହୃଦୟବିଦାରକ ଓ ଲଜ୍ଜାଜନକ ଚିତ୍ର ସାମ୍ନାକୁ ଆସିଛି। ସ୍ଥାନୀୟ ମୁନ୍ଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଶବବାହକ ଗାଡ଼ିର ବ୍ୟବସ୍ଥା ନ ଥିବାରୁ ଜଣେ ମହିଳାଙ୍କ ମୃତଦେହକୁ ପରିବାର ଲୋକେ ବାଧ୍ୟ ହୋଇ ଏକ ମୋଟରସାଇକେଲରେ ଘରକୁ ନେଇଥିଲେ।

ସୂଚନା ଅନୁଯାୟୀ, ଉଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ସ୍ତ୍ରୀ ଯମୁନା ଛତ୍ରିଆଙ୍କର ରବିବାର ସକାଳେ ଆକସ୍ମିକ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ସଦସ୍ୟମାନେ ମୃତଦେହକୁ ଘରକୁ ନେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଶବବାହକ ଗାଡ଼ି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ହସ୍ପିଟାଲରେ ସେଭଳି କୌଣସି ବ୍ୟବସ୍ଥା ନ ଥିବାରୁ ସେମାନେ କୌଣସି ସହାୟତା ପାଇପାରି ନ ଥିଲେ।

ଫଳରେ ନିରୁପାୟ ହୋଇ ପରିବାର ଲୋକେ ମୃତଦେହକୁ ଏକ ମୋଟରସାଇକେଲରେ ବସାଇ ଗାଁକୁ ନେଇଥିଲେ। ଏହି ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥାକୁ ପଦାରେ ପକାଇଛି।

ଘଟଣାକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିବା ସହ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ମୁନ୍ଦ୍ରାଜୋର ସିଏଚସିରେ ତୁରନ୍ତ ଏକ ଶବବାହକ ଗାଡ଼ିର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଆଗାମୀ ଦିନରେ ଏପରି ଅମାନବୀୟ ପରିସ୍ଥିତିର ପୁନରାବୃତ୍ତି ରୋକିବା ପାଇଁ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ।

Dharitri – Odisha’s No.1 Odia Daily

The post ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ବାଇକ୍‌ରେ ଗଲା ମୃତଦେହ appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।