ଆପ ଦୂର କରିବ ରାସ୍ତା ସମସ୍ୟା
ଅନେକ ସମୟରେ ସହରରେ ଖାଲଖମା ଦେଖିବାକୁମିଳେ, ଯାହା ବିଭିନ୍ନ ସମୟରେ ଦୁର୍ଘଟଣାର କାରଣ ପାଲଟିଥାଏ । ତେବେ ଏହାର ସମାଧାନ ପାଇଁ ସବୁବେଳେ ସ୍ଥାନୀୟ ପ୍ରଶାସନ ଉପରେ ନିର୍ଭର କରିବାକୁ ପଡେ । ହେଲେ ବାଙ୍ଗାଲୁରର ଜଣେ ବ୍ୟକ୍ତି ଏହି ସମସ୍ୟାର ଏକ ସରଳ ସମାଧାନ କାଢିଛନ୍ତି । ଆସନ୍ତୁ ଜାଣିବା ଏହି ସମାଧାନ ସମ୍ପର୍କରେ ।
ବର୍ଷା ଦିନେ ରାସ୍ତାରେ ଥିବା ଖାଲରେ ପାଣି ଜମାହେବା ଫଳରେ ଖାଲଖମାଗୁଡ଼ିକର ଗଭୀରତା ଜଣାପଡ଼େ ନାହିଁ । ଯାହା ଗାଡ଼ି ଚାଳକ ଏବଂ ବିଶେଷ କରି ଦୁଇଚକିଆ ଯାନ ଆରୋହୀଙ୍କ ପାଇଁ ଗୁରୁତର ଦୁର୍ଘଟଣାର କାରଣ ସାଜିଥାଏ । ଏହି ଦୈନନ୍ଦିନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବେଙ୍ଗାଲୁରୁର ସଫ୍ଟୱେର୍ ଇଞ୍ଜିନିୟର ଗୌରବ ସେନ୍ ‘ପଟ୍ହୋଲ୍ ରିପୋର୍ଟର’ ନାମକ ଏକ ନୂତନ ମୋବାଇଲ୍ ଆପ୍ ପ୍ରସ୍ତୁତ କରିଛନ୍ତି । ନିଜ ଗର୍ଭବତୀ ସ୍ତ୍ରୀଙ୍କୁ ଡାକ୍ତରଖାନା ନେବା ଆଣିବା ସମୟରେ ଖରାପ ରାସ୍ତାର ଯନ୍ତ୍ରଣା ଅନୁଭବ କରିବା ପରେ ଗୌରବ ଏହି ଆପ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ୪ ଏମ୍ବି ବିଶିଷ୍ଟ ଏହି ଆପ୍ଟିକୁ ସେ ବିନା କୌଣସି ଆର୍ଥିକ ଅନୁଦାନ କିମ୍ବା ବଡ଼ ଦଳର ସହାୟତାରେ ମାତ୍ର ଗୋଟିଏ ଦିନ ମଧ୍ୟରେ ତିଆରି କରିଛନ୍ତି । ଏହି ଆପ୍ର କାର୍ଯ୍ୟପ୍ରଣାଳୀ ଅତ୍ୟନ୍ତ ସହଜ; ଗାଡ଼ିରେ ମୋବାଇଲ୍ ଫୋନ୍ଟିକୁ ଷ୍ଟାଣ୍ଡ୍ରେ ରଖି ଗାଡ଼ି ଚଳାଇବା ସମୟରେ, ଫୋନ୍ର କ୍ୟାମେରା, ଜିପିଏସ୍ ଏବଂ ସେନ୍ସର୍ ସାହାଯ୍ୟରେ ରାସ୍ତାରେ ଥିବା ଖାଲଗୁଡ଼ିକର ଚିତ୍ର ଓ ସଠିକ୍ ସ୍ଥାନ ସ୍ୱତଃ ପ୍ରବୃତ୍ତ ଭାବେ ରେକର୍ଡ ହୋଇଥାଏ । ଏହା ପରେ ଏହି ଆପ୍ ସରକାରୀ ଚୁକ୍ତିପତ୍ରର ତଥ୍ୟାବଳୀ ଅନୁସନ୍ଧାନ କରି ସମ୍ପୃକ୍ତ ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଠିକାଦାରଙ୍କ ନାମ ଓ ବିବରଣୀ ଖୋଜି ବାହାର କରିଥାଏ । ଏହାପରେ ଖାଲର ଫଟୋ, ସ୍ଥାନ ଓ ଠିକାଦାରଙ୍କ ତଥ୍ୟ ସହ ଏକ ଆନୁଷ୍ଠାନିକ ଅଭିଯୋଗ ପ୍ରସ୍ତୁତ କରେ। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩ ମସିହାରେ ଭାରତରେ ରାସ୍ତା ଖାଲ ଯୋଗୁଁ ୫,୮୪୦ଟି ସଡ଼କ ଦୁର୍ଘଟଣା ଘଟିବା ସହ ୨,୧୬୧ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ବର୍ତ୍ତମାନ ଏହି ଆପ୍ଟି ପ୍ରାରମ୍ଭିକ ପରୀକ୍ଷାମୂଳକ ପର୍ଯ୍ୟାୟରେ ରହିଛି ଏବଂ ସେପ୍ଟେମ୍ବର ମାସରେ ଗୁଗଲ୍ ପ୍ଲେ ଷ୍ଟୋର୍ରେ ଉପଲବ୍ଧ ହେବାର ସମ୍ଭାବନା ରହିଛି । ବେଙ୍ଗାଲୁରୁ ଡେଭେଲପ୍ମେଣ୍ଟ ଅଥୋରିଟି ମଧ୍ୟ ଏହି ପ୍ରଯୁକ୍ତିବିଦ୍ୟାକୁ ନିଜର ସରକାରୀ ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ଆଗ୍ରହ ପ୍ରକାଶ କରିଛି । କେବଳ ସମସ୍ୟାର ଚିହ୍ନଟ ନୁହେଁ, ବରଂ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ରାସ୍ତା ମରାମତି ପ୍ରକ୍ରିୟାକୁ ଅଧିକ ଉତ୍ତରଦାୟୀ କରିବା ଏହି ନବସୃଜନର ମୂଳ ଲକ୍ଷ୍ୟ। ଏହି ଆପ ସାହାଯ୍ୟରେ ଅନେକ ଲୋକଙ୍କୁ ସୁବିଧା ମିଳିବବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।