ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ; ତୃତୀୟ ବିଜୟ ସହ ସେମିରେ ଭାରତ
ଜଳନ୍ଧର : ପଞ୍ଜାବର ମୋହାଲି ଓ ଜଳନ୍ଧରରେ ଚାଲିଥିବା ପୁରୁଷ ଏସିଆନ ଚମ୍ପିଆନ୍ସ ଟ୍ରଫିର ନବମ ସଂସ୍କରଣରେ ଆୟୋଜକ ଭାରତ କ୍ରମାଗତ ତୃତୀୟ ବିଜୟ ସହ ସେମିଫାଇନାରେ ସ୍ଥାନ ନିଶ୍ଚିତ କରିଛି। ଶୁକ୍ରବାର ସୁରଜିତ ହକି ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ୪-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଭାରତ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୯ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି। ପ୍ରଥମ ଦୁଇ ମ୍ୟାଚରେ ବିଜୟ ହାସଲ କରିଥିବା ଭାରତ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଖେଳର ୧୧ ମିନିଟ୍ରେ ଭାରତ ପକ୍ଷରୁ ଅଭିଷେକ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୧୫ ମିନିଟ୍ରେ ଜାପାନକୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା। ଏହାକୁ ୟାମାଦା ସୋଟା ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ବରାବର କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଖେଳ ୧-୧ ଗୋଲ ବରାବର ରହିଥିଲା। ଦ୍ବିତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଖେଳ ୧-୧ ଗୋଲ ବରାବର ରହିଥିଲା। ତୃତୀୟ କ୍ବାର୍ଟରରେ ମଧ୍ୟ ଉଭୟ ଦଳ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଅନ୍ତିମ କ୍ବାର୍ଟର ତଥା ଖେଳର ୪୭ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ୫୧ ମିନିଟ୍ରେ ଭାରତ ତୃତୀୟ ଗୋଲ ସ୍କୋର କରିଥିଲା। ଅଭିଷେକ ଗୋଲ ଦେଇ ଭାରତକୁ ୩-୧ରେ ଆଗୁଆ କରିଥିଲେ। ଜାପାନ ଗୋଲ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ଭାରତୀୟ ରକ୍ଷଣାଭାଗ କୌଣସି ସୁଯୋଗ ଦେଇନଥିଲେ। ୫୬ ମିନିଟ୍ରେ ଭାରତ ପକ୍ଷରୁ ବିଷ୍ଣୁକାନ୍ତ ସିଂହ ଚତୁର୍ଥ ଗୋଲ ଦେଇ ଦଳକୁ ୪-୧ରେ ବିଜୟୀ କରାଇଥିଲେ। ଭାରତ ପ୍ରଥମ ମ୍ୟାଚରେ ୧୩-୦ ଗୋଲରେ ବାଂଲାଦେଶକୁ, ଦ୍ବିତୀୟ ମ୍ୟାଚରେ ୫-୨ ଗୋଲରେ ଚୀନକୁ ପରାସ୍ତ କରିଥିବାବେଳେ ଚତୁର୍ଥ ମ୍ୟାଚ ନଭେମ୍ବର ୧ରେ ମାଲେସିଆ ସହ ଖେଳିବ। ଶୁକ୍ରବାର ଅନ୍ୟ ମ୍ୟାଚରେ ମାଲେସିଆ ୬-୧ ଗୋଲରେ ବାଂଲାଦେଶକୁ ଓ ଦକ୍ଷିଣ କୋରିଆ ୨-୧ ଗୋଲରେ ଚୀନକୁ ପରାସ୍ତ କରିଛି। ମାଲେସିଆ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୯ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।