ଭଡାରେ ମିଳୁଛନ୍ତି ପରିବାର ସଦସ୍ୟ
ଜାପାନରେ ପରିବାର ସଦସ୍ୟ, ସାଙ୍ଗସାଥୀ ଏବଂ ଆତ୍ମୀୟସ୍ୱଜନଙ୍କୁ ଭଡ଼ାରେ ନେବାର ଏକ ନିଆରା ପରମ୍ପରା ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ଯାହାକୁ 'ରେଣ୍ଟ୍ ଏ ଫ୍ୟାମିଲି' କୁହାଯାଏ । ଏହି ସେବା ଅଧୀନରେ ଲୋକମାନେ କିଛି ଘଣ୍ଟା କିମ୍ବା କିଛି ଦିନ ପାଇଁ ବାପା-ମାଆ, ଭାଇ-ଭଉଣୀ, ସାଙ୍ଗ କିମ୍ବା ଅନ୍ୟାନ୍ୟ ସମ୍ପର୍କୀୟଙ୍କ ଭୂମିକା ନିଭାଇବା ପାଇଁ ପେସାଦାର ଅଭିନେତାମାନଙ୍କୁ ଭଡ଼ାରେ ଆଣିଥାନ୍ତି । ବିବାହ ଉତ୍ସବରେ ବନ୍ଧୁ-ବାନ୍ଧବ ଭାବେ ଯୋଗଦେବା, ସ୍କୁଲ୍ ଇଣ୍ଟରଭ୍ୟୁ ସମୟରେ ପିଲାଙ୍କ ବାପା-ମାଆ ସାଜିବା, କାହା ପକ୍ଷରୁ କ୍ଷମା ପ୍ରାର୍ଥନା କରିବା କିମ୍ବା କେବଳ ସାଥୀ ହୋଇ ସମୟ ବିତାଇବା ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଏହି ଅଭିନେତାମାନଙ୍କୁ ନିୟୋଜିତ କରାଯାଏ । ଗ୍ରାହକମାନେ ନିଜର ଆବଶ୍ୟକତା, ବୟସ ଏବଂ ପସନ୍ଦ ଅନୁସାରେ ଏଜେନ୍ସି ମାଧ୍ୟମରେ ଅଭିନେତା ଚୟନ କରିପାରନ୍ତି । ସାକ୍ଷାତକାର ପୂର୍ବରୁ ଏଜେନ୍ସି ପକ୍ଷରୁ ଅଭିନେତାଙ୍କୁ ସମ୍ପୂର୍ଣ୍ଣ କାହାଣୀ, ଗ୍ରାହକଙ୍କ ସହ ସମ୍ପର୍କ ଏବଂ ବ୍ୟବହାର ବିଷୟରେ ଭଲ ଭାବେ ବୁଝାଇ ଦିଆଯାଏ । ୧୯୯୦ ଦଶକରୁ ଜାପାନରେ ଚାଲିଆସୁଥିବା ଏହି ସେବାର ମୂଲ୍ୟ ଘଣ୍ଟା ପ୍ରତି ୩,୦୦୦ ଟଙ୍କାରୁ ଆରମ୍ଭ କରି ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।