ସ୍ଥଗିତ ରହିଲା ବ୍ୟାଙ୍କ ଧର୍ମଘଟ

Sep 28, 2026 - 14:45
ସ୍ଥଗିତ ରହିଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ :  ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ । ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ତିନି ଦିନିଆ (ସେପ୍ଟେମ୍ବର ୨୮ ରୁ ୩୦) ପର୍ଯ୍ୟନ୍ତ ଧର୍ମଘଟ ଡାକରାକୁ ସ୍ଥଗିତ ରଖାଯାଇଛି । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ଏବଂ ଇଣ୍ଡିଆନ୍ ବ୍ୟାଙ୍କସ ଆସୋସିଏସନ (IBA) ମଧ୍ୟରେ ରବିବାର ବିଳମ୍ବିତ ରାତିରେ ହୋଇଥିବା ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । 

ଫଳରେ ସୋମବାର ଠାରୁ ହେବାକୁ ଥିବା ଏହି ଧର୍ମଘଟ ଡାକରା ପାଇଁ ଚିନ୍ତାରେ ଥିବା ଗ୍ରାହକଙ୍କୁ ବଡ ଆଶ୍ବସ୍ତି ମିଳିଛି। ଧର୍ମଘଟ ସ୍ଥଗିତ ହେବା ଫଳରେ ସେପ୍ଟେମ୍ବର ୨୮ ରୁ ଦେଶର ସମସ୍ତ ବ୍ୟାଙ୍କ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଖୋଲା ରହିଛି ଏବଂ ସେବା ଜାରି ରହିଛି ।

ସୂଚନାନୁସାରେ, ବ୍ୟାଙ୍କ କର୍ମଚାରୀମାନେ ମୁଖ୍ୟତଃ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ (ଶନିବାର ଓ ରବିବାର ଛୁଟି) ଲାଗୁ କରିବା ଏବଂ ପରଫରମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍ (PLI) ଯୋଜନାର ସଂଶୋଧନ ଦାବିରେ ଏହି ଆନ୍ଦୋଳନର ଡାକରା ଦେଇଥିଲେ । IBA ଏବଂ UFBU ର ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଏହି ଦାବିଗୁଡ଼ିକର ସମୀକ୍ଷା ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧର୍ମଘଟକୁ ଘୁଞ୍ଚାଇ ଦିଆଯାଇଛି ।  କଥାବାର୍ତ୍ତା ଅନୁଯାୟୀ ୟୁଏଫ୍‌ବିୟୁ ଓ ଆଇବିଏ ୫ଦିନିଆ ବ୍ୟାଙ୍କ କାର୍ଯ୍ୟଦିବସ କାର୍ଯ୍ୟକାରୀ କରିବା ସମ୍ପର୍କରେ ବିଚାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ । ଏବେ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଥିବାବେଳେ ଅବଶିଷ୍ଟ ସମସ୍ତ ସପ୍ତାହରେ ଶନିବାର ବ୍ୟାଙ୍କ ବନ୍ଦ ରଖିବା ସମ୍ପର୍କରେ ଉଭୟ ବିଚାର କରିବେ । ତେବେ କମିଟି କେବେ ଚୂଡାନ୍ତ ରିପୋର୍ଟ ଦେବ ତାହା ଆଲୋଚନାରେ ସ୍ପଷ୍ଟ କରାଯାଇ ନାହିଁ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।