ରାଜପାଲଙ୍କର ବଢୁଛି ଅଡୁଆ

Sep 10, 2026 - 15:32
ରାଜପାଲଙ୍କର ବଢୁଛି ଅଡୁଆ

 

ଅଭିନେତା ରାଜପାଲ ୟାଦବଙ୍କୁ ଚେକ୍ ବାଉନ୍ସ ମାମଲାରେ ଆତ୍ମସମର୍ପଣରୁ ଅନ୍ତରୀଣ ଛାଡ଼ ପାଇବା କୋର୍ଟ ରେଜିଷ୍ଟ୍ରିରେ ୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫିଲ୍ମ 'ଅତା ପତା ଲାପତା' ପାଇଁ 'ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍'ରୁ ନିଆଯାଇଥିବା ଅର୍ଥ ଓ ୭ଟି ଚେକ୍ ବାଉନ୍ସ ହେବା ମାମଲାରେ ଏହି ଶୁଣାଣି ଜାରି ରହିଛି । ଦିଲ୍ଲୀ ହାଇକୋର୍ଟ ଗତ ୧୦ ଜୁଲାଇରେ ତାଙ୍କର ଦୋଷସିଦ୍ଧି ଓ ୩ ମାସର ଜେଲ୍ ଦଣ୍ଡାଦେଶକୁ ବଜାୟ ରଖିବା ସହ ସେପ୍ଟେମ୍ବର ୧୦ ସୁଦ୍ଧା ଆତ୍ମସମର୍ପଣ କରିବାକୁ କହିଥିଲେ । ଯାହାକୁ ଆହ୍ୱାନ କରି ରାଜପାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେହିଭଳି ଆସନ୍ତା ସେପ୍ଟେମ୍ବର ୧୫କୁ ଏହାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି । ପ୍ରକାଶଯୋଗ୍ୟ, ୨୦୧୦ରେ ଫିଲ୍ମ ନିର୍ମାଣ ପାଇଁ ମୁରଲୀ ପ୍ରୋଜେକ୍ଟସ ୫ କୋଟି ଟଙ୍କା ବିନିଯୋଗ କରିଥିବାବେଳେ ପରବର୍ତ୍ତୀ ସମୟରେ ବିବାଦ ବଢ଼ିବାରୁ ୨୦୧୨ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ରାଜପାଲଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ଋଣ ନଥିଲା ବରଂ ଏକ ନିବେଶ ଥିଲା । ୨୦୧୮ରେ ଟ୍ରାଏଲ କୋର୍ଟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ୨୦୧୯ରେ ତାଙ୍କୁ ୩ ମାସର ସାଧାରଣ ଜେଲ ଦଣ୍ଡ ଓ ପ୍ରତ୍ୟେକ ମାମଲାରେ ୧.୩୫ କୋଟି ଟଙ୍କାର ଜରିମାନା ଶୁଣାଇଥିଲେ । ଯାହାକୁ ୨୦୨୪ରେ ସେସନ୍ସ କୋର୍ଟ ଏବଂ ପରେ ଦିଲ୍ଲୀ ହାଇକୋର୍ଟ ବଜାୟ ରଖିବା ସହ ତାଙ୍କର ପ୍ରୋବେସନ ଆବେଦନକୁ ଖାରଜ କରିଦେଇଥିଲେ । ହାଇକୋର୍ଟ ଉଲ୍ଲେଖ କରିଥିଲେ ଯେ ବାରମ୍ବାର ସୁଯୋଗ ସତ୍ତ୍ୱେ ବକେୟା ପରିଶୋଧ କରାଯାଇନାହିଁ । ଅପରପକ୍ଷରେ, ୧୨ ଦିନ ତିହାଡ଼ ଜେଲରେ ରହି ଫେବୃଆରୀ ୧୭ରେ ଖଲାସ ହୋଇଥିବା ରାଜପାଲଙ୍କର ୧୩ ବର୍ଷ ମଧ୍ୟରେ ୨୫୦ କୋଟି ଟଙ୍କାର କ୍ଷତି ହୋଇଛି । ବ୍ୟାଙ୍କ ତାଙ୍କ ଘର ନିଲାମ କରୁଛି, କିନ୍ତୁ ସେ ସମସ୍ତଙ୍କ ବକେୟା ଟଙ୍କା ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରିଦେବେବୋଲି ରାଜପାଲ ମତ ରଖିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।