49 villages in Gajapati: ଗଜପତିର ୪୯ ଗାଁକୁ ନାହିଁ ମୋବାଇଲ୍ ନେଟ୍ୱର୍କ: ଓଟିପି ପାଇଁ ଗରିବଙ୍କ ଉପରେ ଡିଜିଟାଲ୍ ବୋଝ
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଡିଜିଟାଲ୍ ଯୁଗରେ ସରକାରୀ ସେବା ପାଇଁ ମୋବାଇଲ୍ ନମ୍ବର ଓ ଓଟିପି ବ୍ୟବହାରକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ବିଭିନ୍ନ ଯୋଜନା, ବ୍ୟାଙ୍କିଙ୍ଗ ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ ଏହାର ଗୁରୁତ୍ବ ବଢ଼ୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଆଜି ବି ଅନେକ ଗାଁ ଓ ଦୁର୍ଗମ ଅଞ୍ଚଳକୁ ମୋବାଇଲ୍ ନେଟ୍ୱର୍କ ଅପହଞ୍ଚ ହୋଇ ରହିଛି। ଯାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି, ଗଜପତିଜିଲ୍ଲା। ପାହାଡ଼ ଓ ସବୁଜିମା ପରିବେଶ ଘେରା ଏହି ଜିଲ୍ଲାର ୧୬୦୯ଟି ଗାଁ ମଧ୍ୟରୁ ୪୯ଟି ଗାଁର ଲୋକେ ମୋବାଇଲ୍ ଫୋନ୍ ନେଟ୍ୱର୍କ ବାହାରେ ଅଛନ୍ତି। କିନ୍ତୁ ମୋବାଇଲ୍ ଫୋନ୍ ବ୍ୟବହାର ସେମାନଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି। ୨୦୨୬ ମାର୍ଚ୍ଚରେ ରାଜ୍ୟସଭାରେ ଦିଆଯାଇଥିବା କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଗଜପତି ଜିଲ୍ଲାର ମୋଟ ୧,୬୦୯ଟି ଗାଁ ମଧ୍ୟରୁ ୧,୫୬୦ଟି ଗାଁରେ ମୋବାଇଲ କନେକ୍ଟିଭିଟି ରହିଛି। ବାକି ୪୯ଟି ଗାଁରେ ସେବା ଉପଲବ୍ଧ ନାହିଁ। ଯାହା ମୋଟ ଗାଁର ପ୍ରାୟ ୩.୦୫ ପ୍ରତିଶତ।
Wildlife Week: ‘ବନ୍ୟଜନ୍ତୁମାନଙ୍କର ମୂଲ୍ୟ ବୁଝିବାର ଆବଶ୍ୟକତା ରହିଛି’
ଓଟିପି ପାଇଁ ଗରିବଙ୍କ ଉପରେ ଡିଜିଟାଲ୍ ବୋଝ
ନେଟ୍ୱର୍କ ନଥିଲେ ବି ରିଚାର୍ଜ ବାଧ୍ୟତାମୂଳକ
ତେବେ ଏହା ସରକାରୀ ତଥ୍ୟ ହୋଇଥିବା ବେଳେ ବେସରକାରୀ ହିସାବରେ ଏଭଳି ଗାଁ ସଂଖ୍ୟା ବହୁ ଅଧିକ। ଆଜି ବି ସବୁ ଅଞ୍ଚଳରେ ଲୋକଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ନେଟ୍ୱର୍କ ମିଳୁନି। ଅନେକ ପାହାଡ଼ିଆ ଅଞ୍ଚଳରେ ଆଜି ବି ସିଗ୍ନାଲ୍ ଦୁର୍ବଳ ହେବା କିମ୍ବା ହଠାତ୍ ନେଟ୍ୱର୍କ ଉଭାନ ହୋଇଯିବା ସାଧାରଣ ଘଟଣା। ଚଳିତବର୍ଷ ଏପ୍ରିଲ୍ରେ ଟ୍ରାଇ ପକ୍ଷରୁ ଗଜପତିର ବିଭିନ୍ନ ଅଞ୍ଚଳରେ ମୋବାଇଲ୍ ସେବାର ଗୁଣବତ୍ତା ଯାଞ୍ଚ ହୋଇଥିଲା। ଏଥିରୁ ଏହି ଚିତ୍ରକୁ ସାମନାକୁ ଆଣିଥିଲା। ବିଶେଷକରି ମୋହନା, ରା.ଉଦୟଗିରି, ନୂଆଗଡ଼, ଗୁମ୍ମା ଓ ରାୟଗଡ଼ ବ୍ଲକ୍ର ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ନେଟ୍ୱର୍କ ସମସ୍ୟା ସହ ଲୋକେ ପ୍ରତିଦିନ ସନ୍ତୁଳି ହେଉଛନ୍ତି। ସରକାରୀ ଯୋଜନା ପାଇଁ ଓଟିପି ନ ଆସିଲେ ମୋବାଇଲ୍ ଧରି ସେମାନଙ୍କୁ ଗାଁ ବାହାରକୁ, ପାହାଡ଼ ଉପରକୁ କିମ୍ବା ନିକଟ ବଜାରକୁ ଯାଇ ନେଟ୍ୱର୍କ ଖୋଜିବାକୁ ପଡୁଛି। ଗରିବ ବୃଦ୍ଧବୃଦ୍ଧା, ବିଧବା ଓ ଅସହାୟଙ୍କ ଚିନ୍ତା ଆହୁରି ବଢ଼ିଯାଉଛି। ନିୟମିତ ମୋବାଇଲ ବ୍ୟବହାର କରୁ ନ ଥିଲେ ବି କେବଳ ସିମ୍କୁ ସକ୍ରିୟ ରଖିବା ଓ ଆବଶ୍ୟକ ସମୟରେ ଓଟିପି ପାଇବା ପାଇଁ ମାସକୁ ମାସ ରିଚାର୍ଜ କରିବାକୁ ପଡୁଛି। ମାସିକ ଭତ୍ତା ଟଙ୍କାରୁ ୨୦୦ରୁ ୩୦୦ ଟଙ୍କା କେବଳ ମୋବାଇଲ୍ ରିଚାର୍ଜରେ ଖର୍ଚ୍ଚ ହେଉଛି। ଅର୍ଥାତ୍, ଯେଉଁ ଭତ୍ତା ଟଙ୍କାରେ ଔଷଧ ସମେତ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା କଥା ତାହାର ବଡ଼ ଅଂଶ ଡିଜିଟାଲ୍ ସେବା ପାଇଁ ଖର୍ଚ୍ଚ ହେଉଛି। ଜିଲ୍ଲାର ୧୫ ପ୍ରତିଶତ ଲୋକ ମୋବାଇଲ୍ ବ୍ୟବହାର ନକରି ରିଚାର୍ଜ କରୁଛନ୍ତି ।
Drinking water: ପାନୀୟ ଜଳ ପାଇଁ ୮ ପଞ୍ଚାୟତର ଲୋକେ ହନ୍ତସନ୍ତ
ସେହିପରି ଦୁର୍ଗମ ପଡ଼ାଗାଁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ହୋଇପାରୁନି। ଫଳରେ ନେଟ୍ୱର୍କ ଥିଲେ ମଧ୍ୟ ମୋବାଇଲରେ ଚାର୍ଜ ନ ଥିବାରୁ ଓଟିପି କିମ୍ବା ଅନ୍ୟ ଡିଜିଟାଲ୍ ସେବାରୁ ମଧ୍ୟ ଲୋକେ ବଞ୍ଚିତ ହେଉଛନ୍ତି। ଗୋଟିଏ ପଟେ ଡିଜିଟାଲ୍ ସେବାକୁ ସରଳୀକରଣ କରିବା ପାଇଁ ମୋବାଇଲ୍ ଓ ଓଟିପିର ବ୍ୟବହାର ବଢ଼ାଯାଉଛି। କିନ୍ତୁ ନେଟ୍ୱର୍କ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାକୁ ସରକାର ପ୍ରାଧାନ୍ୟ ଦେଉନାହାନ୍ତି। ଏଦିଗରେ ସରକାର ଉଦ୍ୟମ କଲେ ଡିଜିଟାଲ ସେବାର ପ୍ରକୃତ ଲାଭ ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ଆଇନଜୀବୀ ତଥା ଆଦିବାସୀ ନେତା ମଜେସ ଦଳବେହେରା କହିଛନ୍ତି। ଅଫ୍ଲାଇନ୍ ସେବା ଓ ସ୍ୱତନ୍ତ୍ର ସେବା କେନ୍ଦ୍ର ବ୍ୟବସ୍ଥା ପାଇଁ ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।