After PM Modi Meeting: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସ୍କୁଲ ସାଙ୍ଗ ଅସଗର ଭୋରା, ବିଜେପି ବିଧାୟକ ଫେରାଇଦେଲେ ବିବାଦୀୟ ଜମି

Sep 16, 2026 - 16:11
After PM Modi Meeting: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ  ସ୍କୁଲ ସାଙ୍ଗ ଅସଗର ଭୋରା, ବିଜେପି ବିଧାୟକ ଫେରାଇଦେଲେ ବିବାଦୀୟ ଜମି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮୧ ବର୍ଷୀୟ ସ୍କୁଲ ସାଥୀ ଅସଗର ଅଲ୍ଲୀ ଭୋରା ଦଶନ୍ଧି ଧରି ଚାଲିଆସୁଥିବା ଜମି ବିବାଦରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଥିଲେ । କିଛି ଦିନ ପରେ ମହାରାଷ୍ଟ୍ରର ମୀରା-ଭାୟନ୍ଦରସ୍ଥିତ ବିଜେପି ବିଧାୟକଙ୍କଠାରୁ ନିଜ ଜମି ଫେରିପାଇଛନ୍ତି।

ବିଜେପି ବିଧାୟକ ନରେନ୍ଦ୍ର ମେହେଟା କହିଛନ୍ତି ଯେ, ସେ ବିବାଦୀୟ ଜମି ଛାଡ଼ୁଛନ୍ତି ଏବଂ ଏଥିପାଇଁ ମିଳିଥିବା ନିର୍ମାଣ ଅନୁମତିକୁ ଫେରାଇ ଦେଉଛନ୍ତି। ଦୁଇ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହେବା ପରେ ସେ ଭୋରାଙ୍କ ବିରୋଧରେ ଦାୟର କରିଥିବା ପୋଲିସ ଅଭିଯୋଗକୁ ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି।

ଗୁଜରାଟର ଭାଦନଗରସ୍ଥିତ ବିଏନ୍ ସ୍କୁଲରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପଢ଼ୁଥିବା ଭୋରା, ସେପ୍ଟେମ୍ବର ୮ ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ମେହେଟାଙ୍କ ସହ ଜଡ଼ିତ ବିଲ୍ଡରମାନେ ଭାୟନ୍ଦର ଇଷ୍ଟରେ ଥିବା ତାଙ୍କ ଜମିକୁ ଜବରଦଖଲ କରିଥିବା ସେ ଅଭିଯୋଗ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ସମୟରେ ଭୋରା ଦାବି କରିଥିଲେ ଯେ, ସେ ୧୯୮୯ ମସିହାରେ ଏକ ପଞ୍ଜୀକୃତ ଚୁକ୍ତିନାମା ମାଧ୍ୟମରେ ଭାୟନ୍ଦର ଇଷ୍ଟର ନବଘରଠାରେ ପ୍ରାୟ ୨,୮୧୦ ବର୍ଗ ମିଟର ଜମି କିଣିଥିଲେ ଏବଂ ଏହାକୁ କେବେ ବି ବିକ୍ରି କିମ୍ବା ହସ୍ତାନ୍ତର କରିନଥିଲେ। ସେ ଅଭିଯୋଗ କରିଥିଲେ ଯେ ୨୦୧୧ ମସିହାରେ ଜାଲ୍ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା ଏବଂ ତାଙ୍କ ଅଜାଣତରେ ସମ୍ପତ୍ତିକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା।

ଭୋରାଙ୍କ କହିବା ଅନୁଯାୟୀ, ଗୋଟିଏ ଭାଗ 'ସ୍ୱୟଂ ବିଲ୍ଡର୍ସ' ଦଖଲରେ ଥିବା ଦେଖାଯାଇଥିବା ବେଳେ ଅନ୍ୟ ଭାଗଟି ମେହେଟାଙ୍କ ସହ ଜଡ଼ିତ 'ସେଭେନ୍ ଇଲେଭେନ୍ କନ୍‌ଷ୍ଟ୍ରକ୍ସନ୍‌ସ' ସହ ଯୋଡ଼ାଯାଇଥିଲା। ତାଙ୍କର ମାଲିକାନା ଦାବି ସତ୍ତ୍ୱେ ମୀରା-ଭାୟନ୍ଦର ମ୍ୟୁନିସିପାଲ୍ କୋର୍ପୋରେସନ୍‌ର ଟାଉନ୍ ପ୍ଲାନିଂ ବିଭାଗ ବିବାଦୀୟ ଜମି ଉପରେ ନିର୍ମାଣ ଅନୁମତି ଦେଇଥିବା ସେ ଅଭିଯୋଗ କରିଥିଲେ।

ଏହି ଜାଲିଆତି ଏବଂ ବିଲ୍ଡର ଓ ସରକାରୀ ଅଧିକାରୀଙ୍କ ଭୂମିକାର ସିବିଆଇ (CBI) ତଦନ୍ତ ପାଇଁ ଭୋରା ଦାବି କରିଥିଲେ। ମ୍ୟୁନିସିପାଲିଟି, ରାଜସ୍ୱ ଏବଂ ପୋଲିସ୍ ବିଭାଗର ଅଧିକାରୀମାନେ ତାଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନେବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଥିଲେ।

ବିବାଦୀୟ ଜମି ଛାଡ଼ିଲେ ବିଜେପି ବିଧାୟକ

ଭୋରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ମହାରାଷ୍ଟ୍ରର ବରିଷ୍ଠ ଅଧିକାରୀମାନେ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀକର ପରଦେଶୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ବୈଠକରେ ଭୋରା, ମେହଟା, ମୀରା-ଭାୟନ୍ଦର ମ୍ୟୁନିସିପାଲ୍ କର୍ପୋରେସନ୍ କମିଶନର ରାଧା ବିନୋଦ ଶର୍ମା ଏବଂ ଟାଉନ୍ ପ୍ଲାନର ପୁରୁଷୋତ୍ତମ ସିନ୍ଦେ ଉପସ୍ଥିତ ଥିଲେ।

ବୈଠକ ସମୟରେ ମେହଟା ଟାଉନ୍ ପ୍ଲାନିଂ ବିଭାଗକୁ ଏକ ଚିଠି ଦେଇ ବିବାଦୀୟ ଜମିର ଦଖଲ ଛାଡ଼ିବା ସହ ନିର୍ମାଣ ଅନୁମତି ଫେରାଇ ଦେଉଥିବା ଜଣାଇଥିଲେ। ଚିଠିରେ ସେ କହିଥିଲେ ଯେ ୨୦୧୯ରେ ମର୍ଭିନ୍ ଫର୍ଣ୍ଣାଣ୍ଡିସଙ୍କଠାରୁ ଏହି ଜମି କିଣାଯାଇଥିଲା।
ଅନ୍ୟ ଏକ ଚିଠିରେ ମେହଟା ପୁଲିସ କମିଶନରଙ୍କୁ ଜଣାଇଥିଲେ ଯେ ଦୁଇ ପକ୍ଷ ମଧ୍ୟରେ ସମାଧାନ ହେବା ପରେ ସେ ଭୋରାଙ୍କ ବିରୋଧରେ ପୂର୍ବରୁ କରିଥିବା ଅଭିଯୋଗ ପ୍ରତ୍ୟାହାର କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।