Al-Qaida-Linked Group Behind 2025 Red Fort blast: ଲାଲ କିଲ୍ଲା ବିସ୍ଫୋରଣ ପଛରେ ଅଲ୍-କାଏଦା ଲିଙ୍କ୍: ଜାତିସଂଘ ରିପୋର୍ଟରେ ସାଂଘାତିକ ତଥ୍ୟ

Aug 13, 2026 - 11:08
Al-Qaida-Linked Group Behind 2025 Red Fort blast: ଲାଲ କିଲ୍ଲା ବିସ୍ଫୋରଣ ପଛରେ ଅଲ୍-କାଏଦା ଲିଙ୍କ୍: ଜାତିସଂଘ ରିପୋର୍ଟରେ ସାଂଘାତିକ ତଥ୍ୟ

ନୂଆଦିଲ୍ଲୀର ଐତିହାସିକ ଲାଲ କିଲ୍ଲା ନିକଟରେ ୨୦୨୫ ନଭେମ୍ବରରେ ଘଟିଥିବା ଭୟଙ୍କର ବିସ୍ଫୋରଣକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଜାତିସଂଘ ସୁରକ୍ଷା ପରିଷଦର ଅଲ୍-କାଏଦା ଓ ଆଇଏସ୍‌ଆଇଏଲ୍‌ ସମ୍ପର୍କିତ ମନିଟରିଂ ଟିମ୍‌ର ନୂଆ ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀର ଲାଲ କିଲ୍ଲା ବିସ୍ଫୋରଣ ପଛରେ ଅଲକାଏଦା ଜଡିତ ଥିଲା।

୨୦୨୫ ନଭେମ୍ବର ୧୦ରେ ଲାଲ କିଲ୍ଲା ନିକଟରେ ଏକ କାର୍ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜାତୀୟ ତଦନ୍ତ ଏଜେନ୍ସି (NIA)ର ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ଅନେକ ଲୋକ ଆହତ ହୋଇଥିଲେ ଏବଂ ରେଡ୍ ଫୋର୍ଟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। 

ଘଟଣାର ତଦନ୍ତ କରି NIA ୨୦୨୬ ମେ’ରେ ପ୍ରାୟ ୭,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଏଥିରେ ୧୦ ଜଣ ଅଭିଯୁକ୍ତଙ୍କ ନାମ ରହିଥିବା ବେଳେ, ସେମାନନେ ଅଲ୍-କାଏଦା ସହ ସଂପୃକ୍ତ ଅନସାର ଘଜୱତ-ଉଲ-ହିନ୍ଦ ନେଟୱର୍କ ସହ ଜଡିତ ଥିବା କୁହାଯାଇଥିଲା। ଚାର୍ଜସିଟ୍‌ରେ ୫୮୮ ଜଣ ସାକ୍ଷୀଙ୍କ ବୟାନ, ୩୯୫ରୁ ଅଧିକ ଦସ୍ତାବିଜ ଏବଂ ୨୦୦ରୁ ଅଧିକ ଜବତ ସାମଗ୍ରୀକୁ ତଦନ୍ତର ପ୍ରମାଣ ଭାବେ ଦର୍ଶାଯାଇଥିଲା।

ଉମର ଉନ୍-ନବୀ ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଥିଲା। ସେ ଫରିଦାବାଦସ୍ଥିତ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟର ପୂର୍ବତନ ସହକାରୀ ପ୍ରଫେସର ଥିଲା ଏବଂ ବିସ୍ଫୋରଣରେ ତାର ମୃତ୍ୟୁ ଘଟିଥିଲା। 

ଜାତିସଂଘର ନୂଆ ରିପୋର୍ଟରେ AQIS ଏବେ କେବଳ ଏକ ଛୋଟ କିମ୍ବା ବିଖଣ୍ଡିତ ଗୋଷ୍ଠୀ ଭାବେ ନୁହେଁ, ବରଂ ଏକ ଆଞ୍ଚଳିକ ଆତଙ୍କବାଦୀ ସଂଗଠନ ଭାବେ ନିଜର କାର୍ଯ୍ୟକଳାପ ବଢ଼ାଉଥିବା କୁହାଯାଇଛି। ରିପୋର୍ଟ ଅନୁସାରେ, ଏହି ଗୋଷ୍ଠୀ ଛୋଟ ଛୋଟ ସେଲ୍ ମାଧ୍ୟମରେ ଲଜିଷ୍ଟିକ୍ସ ଓ ଆର୍ଥିକ ନେଟୱର୍କ ଗଢ଼ିବାରେ ଚେଷ୍ଟା କରୁଛି। 

ରିପୋର୍ଟରେ ଦକ୍ଷିଣ ଏସିଆରେ ଆତଙ୍କବାଦୀ ନେଟୱର୍କର ବିସ୍ତାର ନେଇ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଛି। ବିଶେଷକରି ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶର ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।