Alleged 1980 Voter Roll Entry: ପୁଣି ଖୋଲିଲା ସୋନିଆ ଗାନ୍ଧୀଙ୍କ ଭୋଟର ତାଲିକା ମାମଲା, ଦିଲ୍ଲୀ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

Sep 21, 2026 - 18:10
Alleged 1980 Voter Roll Entry: ପୁଣି ଖୋଲିଲା ସୋନିଆ ଗାନ୍ଧୀଙ୍କ ଭୋଟର ତାଲିକା ମାମଲା, ଦିଲ୍ଲୀ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଭୋଟର ତାଲିକାରେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାଁ ସାମିଲ ହେବାକୁ ନେଇ ଜାଲିଆତି ଅଭିଯୋଗର ତଦନ୍ତ ପାଇଁ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଆଦେଶକୁ ଦିଲ୍ଲୀର ଏକ କୋର୍ଟ ଖାରଜ କରିଛନ୍ତି। ଏହା ସହ ମାମଲାଟିକୁ ପୁଣି ମାଜିଷ୍ଟ୍ରେଟ୍‌ଙ୍କ ନିକଟକୁ ପଠାଇ ନୂଆକରି ତଦନ୍ତ ଓ ଶୁଣାଣି କରିବାକୁ କହିଛନ୍ତି। ଏହି ମାମଲା ସୋନିଆ ଗାନ୍ଧୀ ଭାରତୀୟ ନାଗରିକତା ହାସଲ କରିବାର ପ୍ରାୟ ୩ ବର୍ଷ ପୂର୍ବର ସମୟ ସହ ଜଡ଼ିତ।

ରାଉଜ୍ ଆଭେନ୍ୟୁ କୋର୍ଟର ସ୍ପେଶାଲ୍ ଜଜ୍ ବିଶାଲ ଗୋଗ୍ନେ ଆଦେଶର ମୁଖ୍ୟ ଅଂଶ ମୌଖିକ ଭାବେ ପଢ଼ିବା ବେଳେ କହିଛନ୍ତି ଯେ, ଗତବର୍ଷ ସେପ୍ଟେମ୍ବରରେ ମାଜିଷ୍ଟ୍ରେଟ୍ ଦେଇଥିବା ନିଷ୍ପତ୍ତି ଅଭିଯୋଗକାରୀଙ୍କ ଦ୍ୱାରା ଉଠାଯାଇଥିବା ଜାଲିଆତି ଅଭିଯୋଗ ସହ ସମନ୍ୱୟ ରଖୁନାହିଁ।

କୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶକୁ ମାମଲାର ତଥ୍ୟ ସମ୍ପର୍କରେ ନନ୍-ସ୍ପିକିଂ ବା ଯଥେଷ୍ଟ କାରଣ ଉଲ୍ଲେଖ ନଥିବା ଆଦେଶ ବୋଲି ମଧ୍ୟ କହିଛନ୍ତି। ମାମଲାଟିକୁ ପୁଣି ମାଜିଷ୍ଟ୍ରେଟ୍‌ଙ୍କ ନିକଟକୁ ପଠାଯାଇଥିବା ବେଳେ ସେପ୍ଟେମ୍ବର ୨୯ରେ ସ୍ପେଶାଲ୍ କୋର୍ଟରେ ଉପଯୁକ୍ତ ତଦନ୍ତ ଓ ନୂଆକରି ଶୁଣାଣି କରିବାକୁ କୁହାଯାଇଛି।

କୋର୍ଟ କହିଛନ୍ତି ଯେ, ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ ଅଭିଯୋଗରେ ପର୍ଯ୍ୟାପ୍ତ ତଥ୍ୟ ନଥିବା କୁହାଯାଇଥିଲା, ଯାହା ମ୍ୟାନିଫେଷ୍ଟ ଏରର ଅଫ୍ ଲ ବା ଆଇନର ସ୍ପଷ୍ଟ ତ୍ରୁଟିର ଶିକାର ହୋଇଛି।
ଏହା ପୂର୍ବରୁ ସେପ୍ଟେମ୍ବର ୧୦ରେ ଏକ ଦିଲ୍ଲୀ କୋର୍ଟ ୧୯୮୦ ମସିହାରେ ସୋନିଆ ଗାନ୍ଧୀଙ୍କ ନାଁ ଭୋଟର ତାଲିକାରେ ସାମିଲ ହୋଇଥିବା ନେଇ ହୋଇଥିବା ଅଭିଯୋଗକୁ ଖାରଜ କରିଥିଲେ। ସେତେବେଳେ ସୋନିଆ ଗାନ୍ଧୀ ୧୯୮୩ରେ ଭାରତୀୟ ନାଗରିକତା ହାସଲ କରିଥିବାରୁ ଏହି ଅଭିଯୋଗରେ କୌଣସି ଦୃଢ଼ ଆଧାର ନଥିବା ଏବଂ ଆଇନ ପ୍ରକ୍ରିୟାର ଦୁରୁପଯୋଗ କରାଯାଇଥିବା କୋର୍ଟ କହିଥିଲେ।

ଅତିରିକ୍ତ ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ବୈଭବ ଚୌରାସିଆ ସେପ୍ଟେମ୍ବର ୧୦ରେ ଏନେଇ ଚାରି ପୃଷ୍ଠାର ଆଦେଶ ଦେଇଥିଲେ। ଅଭିଯୋଗକାରୀ ବିକାଶ ପାଠକଙ୍କ ଯୁକ୍ତି ଦୁଇଟି ଶୁଣାଣିରେ ବିସ୍ତୃତ ଭାବେ ଶୁଣିବା ପରେ ଏହି ଆଦେଶ ଦିଆଯାଇଥିଲା।

ଅଭିଯୋଗ ଖାରଜ କରିବା ବେଳେ କୋର୍ଟ କହିଥିଲେ ଯେ, ସୋନିଆ ଗାନ୍ଧୀ ନିଜକୁ ଭୋଟର ଭାବେ ପଞ୍ଜୀକୃତ କରିବା ପାଇଁ ଜାଲି କାଗଜପତ୍ର ପ୍ରସ୍ତୁତ କରିଥିଲେ ବୋଲି ପ୍ରମାଣ କରିବା ପାଇଁ କୌଣସି ଦୃଢ଼ ପ୍ରମାଣ ନାହିଁ। ଏହା ସହ ଏହି ପ୍ରସଙ୍ଗ କୋର୍ଟଙ୍କ ଅଧିକାର କ୍ଷେତ୍ରରୁ ବାହାରେ ବୋଲି ମଧ୍ୟ କୁହାଯାଇଥିଲା।

ଜଜ୍ ବିଶାଲ ଗୋଗ୍ନେ କହିଛନ୍ତି ଯେ, ଦିଲ୍ଲୀ ପୋଲିସର ତଦନ୍ତକାରୀ ଅଧିକାରୀଙ୍କୁ ଅଭିଯୋଗ ଉପରେ ଜବାବ ଦେବା ଓ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପାଇଁ ପର୍ଯ୍ୟାପ୍ତ ସମୟ ନଦେଇ ମାଜିଷ୍ଟ୍ରେଟ୍ ପର୍ଭର୍ସ ଏବଂ ଇମ୍ପ୍ରପର୍ ବା ଅନୁଚିତ ଓ ତ୍ରୁଟିପୂର୍ଣ୍ଣ ଆଦେଶ ଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।