Andhra Police Intensifies Patrolling in Kotia: କୋଟିଆରେ ପୁଣି ଆନ୍ଧ୍ର ପୋଲିସର ତତ୍ପରତା, ସୀମାନ୍ତରେ ପାଟ୍ରୋଲିଂ ଜୋରଦାର

Oct 26, 2026 - 22:34
Andhra Police Intensifies Patrolling in Kotia: କୋଟିଆରେ ପୁଣି ଆନ୍ଧ୍ର ପୋଲିସର ତତ୍ପରତା, ସୀମାନ୍ତରେ ପାଟ୍ରୋଲିଂ ଜୋରଦାର

କୋଟିଆରେ ପୁଣି ଆନ୍ଧ୍ର ପୋଲିସର ତତ୍ପରତା। ସୀମାନ୍ତ ଗାଁରେ ପୋଲିସ ପିକେଟିଂ ଓ ପେଟ୍ରୋଲିଂକୁ ଜୋରଦାର କରିଛି ଆନ୍ଧ୍ର। ପାର୍ବତୀପୁରମ ମାନ୍ୟମ ଜିଲ୍ଲାର ଡିଏସ୍ ପି ଭେଙ୍କଟ ଶିଶାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ କୋଟିଆ ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛି। ଏପରିକି ଓଡ଼ିଶା ପୋଲିସ ସହ ମଧ୍ୟ ଆଲୋଚନା କରିଛି ଆନ୍ଧ୍ର ପୋଲିସ। ଅନ୍ୟପଟେ, କୋଟିଆର ବିଭିନ୍ନ ସ୍ଥାନରେ ଓଡ଼ିଶା ପୋଲିସ ପକ୍ଷରୁ ଅସ୍ଥାୟୀ ଚେକ୍ ପୋଷ୍ଟ ଓ ବ୍ୟାରିକେଡ୍ ନିର୍ମାଣ ପରେ ଆନ୍ଧ୍ର ପୋଲିସର ଏଭଳି ତତ୍ପରତାକୁ ନେଇ ବଢ଼ିଛି ଚର୍ଚ୍ଚା। ଆସନ୍ତା ୩ ତାରିଖରେ ପଂଚାୟତ ନିର୍ବାଚନ ଥିବାରୁ ସୀମାନ୍ତରେ ଉଭୟ ରାଜ୍ୟର ପୋଲିସ ସଜାଗ ହୋଇଛି। 

ସୀମାନ୍ତ ଅଞ୍ଚଳରେ ପୋଲିସ ପିକେଟିଂ, ବ୍ୟାରିକେଡ୍ ଓ ଚେକ୍ ପୋଷ୍ଟ ସହ ପେଟ୍ରୋଲିଂ ଜାରି ରହିବ ବୋଲି ଆନ୍ଧ୍ର ପୋଲିସର ଉଚ୍ଚ ଅଧିକାରୀ କହିଛନ୍ତି।  ତା ସହ କୋଟିଆରେ ଓଡ଼ିଶା ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆପତ୍ତି ଉଠାଇଛି ଆନ୍ଧ୍ର ଡିଏସପି । ଓଡ଼ିଶା ପୋଲିସ ପକ୍ଷରୁ କୋଟିଆ ଅଞ୍ଚଳର ପ୍ରାୟ ୬ଟି ସ୍ଥାନରେ ଅସ୍ଥାୟୀ ଚେକ୍ ପୋଷ୍ଟ ଓ ବ୍ୟାରିକେଡ୍ କରାଯାଇଛି। ଗତକାଲି ଓଡ଼ିଶା ପୋଲିସ ପକ୍ଷରୁ ଚେକ୍ ପୋଷ୍ଟ କରାଯିବା ପରେ ଆଜି ଆନ୍ଧ୍ର ପୋଲିସର ଗସ୍ତ ଓ ତଦାରଖ ଅଞ୍ଚଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।