Chain Snatchers Target Women Across Bhubaneswar: ରାଜଧାନୀରେ ଚେନ୍ ଲୁଟେରାଙ୍କ ଆତଙ୍କ, ସକାଳୁ ସକାଳୁ ମହିଳାଙ୍କୁ ଟାର୍ଗେଟ୍

Aug 18, 2026 - 20:28
Chain Snatchers Target Women Across Bhubaneswar: ରାଜଧାନୀରେ ଚେନ୍ ଲୁଟେରାଙ୍କ ଆତଙ୍କ, ସକାଳୁ ସକାଳୁ ମହିଳାଙ୍କୁ ଟାର୍ଗେଟ୍

ସମୟ ସକାଳ ୬ଟା ୪୫ ମିନିଟ୍। ସ୍ଥାନ- ଭୁବନେଶ୍ବର ଏମ୍ସ ହସ୍ପିଟାଲ ମେନ୍ ଗେଟ୍ ସମ୍ମୁଖ। ବଲାଙ୍ଗୀରରୁ ନିଜ ସ୍ୱାମୀଙ୍କୁ ଧରି ଏମ୍ସ ଆସିଥିଲେ ଏହି ମହିଳା ଜଣକ। ଗେଟ  ନିକଟରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଟାର୍ଗେଟ୍ କରିଥିଲେ ଲୁଟେରା। ବାଇକରେ ଆସି ବେକରେ ପିନ୍ଧିଥିବା ସୁନା ଚେନ୍ ଝାମ୍ପି ନେବାକୁ କରିଥିଲେ ଉଦ୍ୟମ। କିନ୍ତୁ ମହିଳା ଜଣଙ୍କ ସାହସ ଜୁଟାଇ ସ୍ପିଡ୍ ବାଇକରୁ ଲୁଟେରାକୁ ଟାଣି ଆଣିବାରୁ ସେ ତଳେ ପଡ଼ିଯାଇଥିଲା। ତା ନାଁ ଇସ୍ଲାମୁଦିନ ଖାନ୍। ଘର ରଣପୁର। ଲୋକେ ତାକୁ କାବୁ କରି ପୋଲିସ୍ ଜିମା ଦେବା ପରେ ତା ନିକଟରୁ ମିଳିଥିଲା ଏକ ବନ୍ଧୁକ। ଏହାରି ଭିତରେ ବାଇକ ଚଳାଉଥିବା ଅନ୍ୟତମ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏବେ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚଳାଇଛି ପୋଲିସ୍।

ଚଳିତ ମାସ ୧୨ ତାରିଖରେ ଭୁବନେଶ୍ବର କାନନ ବିହାର ଅଞ୍ଚଳରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଲୁଟ୍ ର ଶିକାର ହୋଇଥିଲେ ଅନ୍ୟ ଜଣେ ବୟସ୍କ ମହିଳା। ଯାହାର ଫୁଟେଜ୍ କଏଦ୍ ହୋଇଛି ସିସିଟିଭିରେ। ଏଠି ଲୁଟେରା ଜଣକ ଜଣେ ଭଦ୍ରବ୍ୟକ୍ତି ଭଳି ଅଭିନୟ କରୁଛି। ମହିଳା ଜଣକୁ ଜଣେ ଡାକ୍ତରଙ୍କ ଠିକଣା ପଚାରିବା ବାହାନାରେ କଥାବାର୍ତ୍ତା ଆରମ୍ଭ କରୁଛି। କିଛି ସମୟ ପରେ ତାଙ୍କ ବେକରୁ ସୁନା ଚେନ୍ ଝାଂପିବାକୁ ଚେଷ୍ଟା କଲା ବେଳେ ମହିଳା ଜଣକ ତାକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଲୁଟେରା ଚେନ୍ ଝାଂପି ନେବା ସହ ତାଙ୍କୁ ଧକ୍କା ମାରି ନିକଟରେ ଅପେକ୍ଷା କରିଥିବା ଏକ ବାଇକରେ ବସି ଚଂପଟ୍ ମାରିଥିଲା। ଲୁଟେରା ଆକ୍ରମଣରେ ମହିଳା ଜଣଙ୍କର ଏକ ବି ଗୋଡ଼ ଭାଙ୍ଗି ଯାଇଛି।

ସେପଟେ ଛୋଟ ଛୋଟ କଥାରେ ଅପରାଧୀମାନେ ବନ୍ଧୁକ ଦେଖାଇବା ପୋଲିସ୍ ପାଇଁ ସୃଷ୍ଟି କରିଛି ଚ୍ୟାଲେଞ୍ଜ। ସ୍ପେଶାଲ୍ କ୍ରାଇମ ୟୁନିଟ୍, ସ୍ପେଶାଲ ସ୍କ୍ବାର୍ଡ୍, ଏସଟିଏଫ୍ ନିୟମିତ ବ୍ୟବଧାନରେ ବନ୍ଧୁକ ଧରୁଛନ୍ତି। ବନ୍ଧୁକ ବେପାରୀଙ୍କୁ ମଧ୍ୟ ଏନକାଉଣ୍ଟର କରାଯାଉଛି। ତା ସତ୍ତ୍ବେ ବାରମ୍ବାର ରାଜଧାନୀରୁ ବନ୍ଧୁକ ମିଳିବା ଘଟଣା ମୁଣ୍ଡବିନ୍ଧା ବଢ଼ାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।