Flood-displaced families struggle on embankments: ପଲିଥିନ୍ ତଳେ ମଣିଷ-ଗାଈ ଏକାଠି, ବନ୍ୟା ପରେ ଅସହ୍ୟ ଯନ୍ତ୍ରଣା
ଯେବେ ଘରଦ୍ବାର ବୁଡ଼ି ଯାଏ, ସେବେ ନିରୀହ ମଣିଷଙ୍କ ଭାଗ୍ୟରେ ମାଡ଼ି ଆସେ ଦୁର୍ଦ୍ଦିନର ଅନ୍ଧାର...ଯେବେ ବଢ଼ିପାଣିରେ ଭାସିଯାଏ ଚାଳ ଆଉ ଚୁଲି, ସେତେବେଳେ ଗରିବ ଖଟିଖିଆଙ୍କ ଅବସ୍ଥା ନକହିଲେ ଭଲ। ଏଠି ମଣିଷଙ୍କ ମୂଲ୍ୟ କେତେ...ଏମାନଙ୍କ ଜୀବନର ବା ମାନେ କ’ଣ ? ନଦୀ ବନ୍ଧ ଉପରେ ଧାଡ଼ି ଧାଡ଼ି ହୋଇରହିଥିବା ପଲିଥିନ୍ ଢଙ୍କା ଅସ୍ଥାୟୀ କୁଡ଼ିଆ, ତାହାରି ଭିତରେ ମଣିଷ ତ ମଣିଷ, ଗାଇ, ଗୋରୁ, ଛେଳି, ମେଣ୍ଢା ଏକାକାର। କେଇ ଖଣ୍ଡ ବାଉଁଶ ଆଉ ବରଡ଼ାପତ୍ର ସହାୟତାରେ ନିର୍ମିତ ଏହି କୁଡ଼ିଆ ହିଁ ଏବେ ନିରୀହଙ୍କ ଜୀବନକୁ ଜଗିଛି।
ଆଜିକୁ ୧୬ ଦିନ ହେଲା, ବୈତରଣୀ ଓ କୋଚିଳା ନଦୀ ମଝିରେ ଥିବା ବନ୍ଧ ଉପରେ ଭଦ୍ରକ ଧାମନଗର ବ୍ଲକ ତରେଇସାହି ଗାଁର ୨୦ରୁ ଅଧିକ ପରିବାର ଯେଉଁ ଯାତନା ଭିତରେ ଜୀବନ କାଟୁଛନ୍ତି, ଯିଏ ଭୋଗିଛି ସିଏ ଜାଣିଛି। ବନ୍ୟା ବେଦନାବେଳେ ଭୋକରେ ପୋଡ଼ିଯାଉଥିବା ପେଟ ପାଇଁ ଢୁ ଢୁ ବର୍ଷାରେ ଅସ୍ଥାୟୀ ଚୁଲିରେ ବସିଛି ଭାତ ହାଣ୍ଡି। ଓଳିଏ ହେଉପଛେ, କଷ୍ଟେ ମଷ୍ଟେ ଦି’ ମୁଠା ରୋଷେଇ କରି ଖାଇଦେଲେ ହୁଏତ ଭୋକରୁ ମିଳିବ ନିସ୍ତାର। ତାହାରି ଭିତରେ କେବେ କମିବ ବନ୍ୟା, କେବେ ଛାଡ଼ିବ ବର୍ଷା, କେବେ ଫେରିବେ ମାଟିରେ ମିଶିଯାଇଥିବା ଘର ଡିହକୁ ଅଜଣା ଆଶଙ୍କାରେ ଏବେ ଏମାନେ।
ବନ୍ୟାକୁ ବଳିଯାଇଛି ତା’ ପରବର୍ତ୍ତୀ ଦୁର୍ଦ୍ଦଶା। କାରଣ ଆଜିକୁ ମାସେ ହେଲା ଗାଁ ଦାଣ୍ଡରେ ସୁଅ କାଟି ଛୁଟୁଛି ବନ୍ୟା ପାଣି, ବତୁରି ଗଲାଣି ମାଟି କାନ୍ଥର ଘର, ଭୁଶୁଡ଼ି ଗଲାଣି କାହାର ଚାଳ ସହ ଛପର। ପ୍ରକୃତିର ତାଣ୍ଡବ ଭିତରେ ଯାଜପୁର ଜିଲ୍ଲାବାସୀଙ୍କ ଯନ୍ତ୍ରଣା ବି କିଛି କମ୍ ନୁହେଁ। ଘରେ ପଶିଛି ପାଣି, ବାହାରେ ବର୍ଷୁଛି ବର୍ଷା। ତେଣୁ ନଦୀ ବନ୍ଧ ହିଁ ସାହାରା ସାଜିଛି ଦଶରଥପୁର ବ୍ଲକ ଖାନନଗର ପଞ୍ଚାୟତର ଅନେକ ଗାଁ ଲୋକଙ୍କର। ତେଣୁ ଗାଇ ଗୋରୁଙ୍କୁ ସାଙ୍ଗରେ ଧରି ଗୋଟିଏ ଜରିପାଲ ତଳେ ଜୀବନ ଜୀଉଁଛନ୍ତି ଏକାଠି।
ଭଦ୍ରକ କି ଯାଜପୁର ନୁହେଁ, ବାଲେଶ୍ବରରୁ ଜଗତସିଂହପୁର, କେନ୍ଦ୍ରାପଡ଼ାରୁ କେନ୍ଦୁଝର। ପ୍ରଳୟଙ୍କରୀ ବନ୍ୟା ଭିତରେ ଉବୁଟୁବୁ ଉତ୍ତର ଓଡ଼ିଶାର ପ୍ରତିଟି ଜିଲ୍ଲାରେ ଦୁର୍ଦ୍ଦଶାର ଏଭଳି ମାଳ ମାଳ ଚିତ୍ର। ତାହାରି ଭିତରେ ଗୃହବନ୍ଦୀ ଜୀବନର ଯନ୍ତ୍ରଣା ଅସହ୍ୟ କରିପକାଉଛି। କିଏ ଗର୍ଭଯନ୍ତ୍ରଣାରେ ଛଟପଟ ତ ଆଉ କିଏ ବାର୍ଦ୍ଧକ୍ୟଜନିତ ରୋଗଦୁଃଖରେ ଜଡ଼ସଡ଼। ଏପରିକି ଗୃହପାଳିତ ପଶୁପକ୍ଷୀ ବି ଦହଗଞ୍ଜ ହେଉଛନ୍ତି। ତେଣୁ ସେମାନଙ୍କ ସୁରକ୍ଷା ବଡ଼ ଚିନ୍ତା ପାଲଟିଛି ପ୍ରଶାସନ ପାଇଁ। ପ୍ରାଣୀ ସମ୍ପଦ ମନ୍ତ୍ରୀ କହିଛନ୍ତି, ବନ୍ୟାରେ ରାଜ୍ୟର ୭ଟି ଜିଲ୍ଲା ପ୍ରଭାବିତ। ଏସବୁ ଜିଲ୍ଲାରେ ଗୋ ସମ୍ପଦର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆନିମଲ ହେଲଥ କ୍ୟାମ୍ପ ସହ ଟୀକାକରଣ କରାଯାଉଛି। ଗୋଖାଦ୍ୟ ବି ପର୍ଯ୍ୟାପ୍ତ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।