10 OCTOBER 2026

Welcome!

Unlock your personalized experience.
Sign Up

Children: କୁପୋଷଣ କବଳରେ କୋମଳମତି ଶିଶୁ: ବରଗଡ଼ରେ ୧୦ ହଜାର ପିଲାଙ୍କ ସ୍ବାସ୍ଥ୍ୟ ଗଡ଼ବଡ଼

Oct 10, 2026 - 03:36
Children: କୁପୋଷଣ କବଳରେ କୋମଳମତି ଶିଶୁ: ବରଗଡ଼ରେ ୧୦ ହଜାର ପିଲାଙ୍କ ସ୍ବାସ୍ଥ୍ୟ ଗଡ଼ବଡ଼

ବରଗଡ଼ (ସୁଦୀପ୍ତ ଷଡ଼ଙ୍ଗୀ): ଓଡ଼ିଶାର ଭାତହାଣ୍ଡି ବରଗଡ଼ଜିଲ୍ଲା। ହେଲେ ଏହି ଜିଲ୍ଲାରେ ଏବେ ବି କୋମଳମତି ଶିଶୁଙ୍କ ଖାଦ୍ୟଥାଳିରେ ପୋଷଣର ଅଭାବ ବଡ଼ ଚିନ୍ତା ପାଲଟିଛି। କୁପୋଷଣ ଯୋଗୁଁ ଜିଲ୍ଲାର ପ୍ରାୟ ୧୦ ହଜାର ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗଡ଼ବଡ଼ ହୋଇଥିବା ବିଭାଗୀୟ ତଥ୍ୟ କହୁଛି। ବୟସ ଅନୁପାତରେ ଓଜନ ଓ ଉଚ୍ଚତା ବୃଦ୍ଧି ନ ହେବା ସହ ଶାରୀରିକ ବିକାଶରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଜିଲ୍ଲାର ଗ୍ରାମାଞ୍ଚଳରେ ଅନେକ ପରିବାର କୃଷି ଓ ଦିନମଜୁରି ଉପରେ ନିର୍ଭରଶୀଳ। ଆର୍ଥିକ ସମସ୍ୟା କାରଣରୁ ଶିଶୁଙ୍କ ଖାଦ୍ୟ ତାଲିକାରେ ଆବଶ୍ୟକ ପରିମାଣର ଡାଲି, ଅଣ୍ଡା, କ୍ଷୀର, ପନିପରିବା ଓ ଅନ୍ୟ ପୋଷଣଯୁକ୍ତ ଖାଦ୍ୟ ନିୟମିତ ଭାବେ ସାମିଲ ହୋଇ ପାରୁନାହିଁ। ଫଳରେ ଶିଶୁମାନେ ପୋଷକତତ୍ତ୍ୱରୁ ବଞ୍ଚିତ ହେଉଛନ୍ତି, ଯାହା ସେମାନଙ୍କ ଶାରୀରିକ ବିକାଶରେ ବାଧା ସୃଷ୍ଟି କରୁଛି। 

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ୍‌ ସମେତ ବରଗଡ଼ ସହରାଞ୍ଚଳରେ ମୋଟ ୨ ହଜାର ୯୧୯ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଚଳିତ ବର୍ଷ ଏହି କେନ୍ଦ୍ରରେ ପ୍ରାକ୍‌ ଶିକ୍ଷାଦାନ ଲାଭ କରୁଥିବା ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେପ୍ଟେମ୍ବର ମାସ ସୁଦ୍ଧା ପ୍ରାୟ ୮୧ ହଜାର ପିଲାଙ୍କ ସ୍କ୍ରିନିଂ କରାଯାଇଥିବା ବେଳେ ୧୦ ହଜାରରୁ ଅଧିକ ପିଲାଙ୍କ ସ୍ବାସ୍ଥ୍ୟ ଗଠନରେ ଅସମାନତା ରହିଥିବା ଲକ୍ଷ୍ୟ କରାଯାଇଥିଲା। ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ସୁଦ୍ଧା ଜିଲ୍ଲାରେ ୩୭୭ ଶିଶୁ ଗୁରୁତର ଅପପୁଷ୍ଟି (ସାମ୍‌) ଶିକାର ହୋଇଥିବା ବେଳେ ୧୪୩୬ ମଧ୍ୟମଧରଣ ଅପପୁଷ୍ଟି (ମାମ୍‌)ରେ ପୀଡ଼ିତ ରହିଛନ୍ତି। ସେହିପରି ୮୩୪ ପିଲାଙ୍କ ଓଜନ ମାତ୍ରାଧିକ କମ୍‌ ଥିବା ବେଳେ ୬ ହଜାର ୫୬୮ ପିଲାଙ୍କ ଓଜନ ସ୍ବାଭାବିକଠାରୁ କମ୍‌ ରହିଛି। ଅନ୍ୟପଟେ ୨୬୨ ପିଲା ମେଦବହୁଳତାର ଶିକାର ହୋଇଥିବା ବେଳେ ୫୫୯ ପିଲାଙ୍କ ଓଜନ ଅଧିକ ରହିଥିବା ଜଣାପଡ଼ିଛି।

Protest: ସିଇସି ବିରୋଧୀ ଆନ୍ଦୋଳନ; ବିଭିନ୍ନ ଅଭିଯୋଗ ପାଇଁ ୨୭ ଏତଲା ରୁଜୁ କଲା ଦିଲ୍ଲୀ ପୁଲିସ

କୁପୋଷଣର ପ୍ରଭାବ କେବଳ ଶିଶୁଙ୍କ ଓଜନ କିମ୍ବା ଉଚ୍ଚତାରେ ସୀମିତ ରହୁନାହିଁ। ରୋଗ ପ୍ରତିରୋଧକ ଶକ୍ତି କମିବା ସହ ବାରମ୍ବାର ଅସୁସ୍ଥ ହେବା, ଶିକ୍ଷାଗ୍ରହଣ କ୍ଷମତା ହ୍ରାସ ଏବଂ ଭବିଷ୍ୟତରେ ଶାରୀରିକ ବିକାଶ ପ୍ରଭାବିତ ହେବାର ଆଶଙ୍କା ରହିଛି। ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ପୋଷଣ ସଚେତନତା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସରକାରୀ ବ୍ୟବସ୍ଥାରେ ପୁଷ୍ଟିକର ଖାଦ୍ୟ ମଧ୍ୟ ପ୍ରଦାନ କରାଯାଉଛି। ତଥାପି ଦୁର୍ଗମ ଅଞ୍ଚଳରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନରେ ସମସ୍ୟା ଯୋଗୁଁ ସେମାନଙ୍କ ଶାରୀରିକ ବିକାଶ ହୋଇପାରୁ ନାହିଁ। ସେପଟେ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଥିବା ଡିଏସ୍‌ଡବ୍ଲୁଓ ସନ୍ଧ୍ୟାରାଣୀ ନେପାକ ସୂଚନା ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।