Circuit House: ସର୍କିଟ୍ ହାଉସ୍ ରହଣି ଓ ବନ୍ଧୁକ ଜବତ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ରାଜସ୍ବ ମନ୍ତ୍ରୀ
ରାଉରକେଲା: ସର୍କିଟ୍ ହାଉସ୍ରୁ ବନ୍ଧୁକ ଜବତ ଓ ଅପରାଧୀ ରହିବା ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ରାଜସ୍ବ ବିଭାଗ। କେଉଁ ଅଧିକାରୀ ଅପରାଧୀଙ୍କୁ ରହିବାକୁ ଅନୁମତି ଦେଇଥିଲେ ତା’ର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରୁମ୍ ବୁକିଂରେ ପ୍ରତ୍ୟକ୍ଷ ଓ ପରୋକ୍ଷ ସହାୟତା କରୁଥିବା ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ସାମନାକୁ ଆସିବା ପରେ ସର୍କିଟ୍ ହାଉସ୍ ବୁକିଂ ଦାୟିତ୍ବରେ ଥିବା ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମାଝୀ ଓ ନାଜର ଚିତ୍ତରଞ୍ଜନ ଦାସଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସର୍କିଟ୍ ହାଉସ୍ ବୁକିଂ ଦାୟିତ୍ବ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ହାତରେ ରହିବ।
ସୁନ୍ଦରଗଡ଼ ଗସ୍ତ ଅବସରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକଙ୍କ ପ୍ରଶ୍ନରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଉରକେଲା ସର୍କିଟ୍ ହାଉସ୍ରେ ଏପ୍ରକାର ଘଟଣା ଆଦୌ ଗ୍ରହଣୀୟ ନୁହେଁ। ସାମୟିକ ସମୟ ପାଇଁ ନୂଆ ସର୍କିଟ୍ ହାଉସ୍କୁ ବନ୍ଦ ରଖାଯାଇଛି। ପରିଚାଳନା ପାଇଁ ଟେଣ୍ଡର ଆହ୍ବାନ କରାଯିବ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ। କେଉଁ ପରିସ୍ଥିତିରେ ସର୍କିଟ୍ ହାଉସ୍ରେ ଅପରାଧୀମାନଙ୍କୁ ଏତେ ଦିନ ରହିବାକୁ ଅନୁମତି ଦିଆଗଲା, ସେ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ତଲବ କରାଯାଇଛି। ସରକାରୀ ଡାକବଙ୍ଗଳା ଓ ସର୍କିଟ୍ ହାଉସ୍ରେ କେଉଁମାନେ ରହିପାରିବେ ତା’ର ନିୟମ ରହିଛି। ଓଡ଼ିଶା ଭବନ, ଓଡ଼ିଶା ନିବାସ ବୁକିଂ ଯେମିତି ଅନ୍ଲାଇନ୍ରେ କରାଯାଉଛି ଠିକ୍ ସେମିତି ରାଜ୍ୟରେ ସମସ୍ତ ସର୍କିଟ୍ ହାଉସ୍ ବୁକିଂ ଅନ୍ଲାଇନ୍ ଦ୍ବାରା କରାଯିବାକୁ ପ୍ରକ୍ରିୟା ଚାଲିଛି।
ଖୁବ୍ଶୀଘ୍ର ରାଜ୍ୟର ସମସ୍ତ ସର୍କିଟ୍ ହାଉସ୍ ଅନ୍ଲାଇନ୍ରେ ବୁକିଂ ହେବ। ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଆର୍ଏମ୍ସି ପ୍ରତିନିଧି ପ୍ରକାଶ ପାଶ୍ବାନ ସର୍କିଟ୍ ହାଉସ୍ ତିନିଦିନ ବୁକିଂ କରିଥିଲେ ହେଁ ଦୁଇଟି ସୁଟ୍ ପ୍ରାୟ ୨୨ ଦିନ ଧରି ବୁକିଂ ରହିଥିଲା। ଯେଉଁ ରୁମ୍ରେ ପ୍ରକାଶଙ୍କ ସମେତ ଅପରାଧୀମାନେ ରହୁଥିଲେ। ଗତ ଅଗଷ୍ଟ ୧୪ ତାରିଖ ରାତିରେ ପୁଲିସ ଚଢ଼ଉ କରି ସର୍କିଟ୍ ହାଉସ୍ ରୁମରୁ ଦୁଇଟି ବନ୍ଧୁକ ଓ ଗୁଳି ଜବତ କରିଥିଲା। ଏହି ଘଟଣାରେ ପ୍ରକାଶ ପାଶ୍ବାନ ଓ ଅନ୍ୟ ୧୧ ଜଣ ସହଯୋଗୀକୁ ପୁଲିସ ଗିରଫ କରିଥିବାବେଳେ ଦୁଇ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। କେବଳ ସେତିକି ନୁହେଁ, ଗତ ଡିସେମ୍ବର ୨୦୨୫ରେ ସର୍କିଟ୍ ହାଉସ୍ରେ ଜଣେ ୱେବ୍ ସିରିଜ୍ ଅଭିନେତ୍ରୀଙ୍କ ରହଣିକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।